ବୈଧ ରହିବ ନାଗରିକତା ଅଧିନିୟମର ଧାରା ୬A; ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

Published By : Prameya-News7 Bureau | October 17, 2024 IST

ନୂଆଦିଲ୍ଲୀ: ବୈଧ ରହିବ ନାଗରିକତା ଆଇନର ଅନୁଚ୍ଛେଦ ୬A। ସିଟିଜେନସିପ୍ ଆଇନକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଆସାମ ଚୁକ୍ତିକୁ ଆଗେଇ ନେବାକୁ ସର୍ବୋଚ୍ଚ ଅଦାଲତଙ୍କ ୫ ଜଣିଆ ଖଣ୍ଡପୀଠ ୧୯୮୫ର ଏକ ସଂଶୋଧନ ମାଧ୍ୟମରେ ଧାରା ୬Aର ବୈଧତାକୁ ବଜାଇ ରଖିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଏମଏମ ସୁନ୍ଦ୍ରେଶ ଓ ଜଷ୍ଟିସ ମନୋଜ ମିଶ୍ର ବହୁମତରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ମାତ୍ର ଖଣ୍ଡପୀଠର ଅନ୍ୟ ଜଣେ ଜଷ୍ଟିସ ଜେବି ପରଦୀୱାଲା ଏହି ରାୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି, ନାଗରିକତା ଆଇନର ଧାରା ୬A ସାମ୍ବିଧାନିକ ଭାବେ ସଠିକ୍ ବୋଲି ୪:୧ରେ ନିଷ୍ପତ୍ତି ନିଆଯାଇଛି । 

ସିଟିଜେନ ସିପ୍ ଆକ୍ଟର ଧାରା ୬Aକୁ ୧୯୮୫ରେ ଆସାମ ବୁଝାମାଣାକୁ ଆଗକୁ ନେବା ପାଇଁ ସଂଶୋଧନ ପରେ ଯୋଡ଼ା ଯାଇଥିଲା । ୧୯୬୬ ଜାନୁଆରୀ ପହିଲାରୁ ୧୯୭୧ ମାର୍ଚ୍ଚ ୨୫ ମଧ୍ୟରେ ବାଂଲାଦେଶରୁ ଆସାମରେ ପ୍ରବେଶ କରିଥିବା ପ୍ରବାସୀଙ୍କୁ ନାଗରିକତା ସୁବିଧା ପ୍ରଦାନ କରିବା ପାଇଁ ୧୯୮୫ମସିହାରେ ଆସାମ ଚୁକ୍ତିରେ ଧାରା ୬A କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ୧ ଜାନୁଆରୀ ୧୯୬୬ରୁ ୨୪ ମାର୍ଚ୍ଚ ୧୯୭୧ ପର୍ଯ୍ୟନ୍ତ ବାଂଲାଦେଶରୁ ଆସାମକୁ ଆସିଥିବା ଲୋକଙ୍କ ନାଗରିକତ୍ୱ ପ୍ରତି ବିପଦ ରହିବ ନାହିଁ । ପରିସଂଖ୍ୟାନ ଅନୁଯାୟୀ ଆସାମରେ ୪୦ ଲକ୍ଷ ବେଆଇନ ପ୍ରବାସୀ ଥିବା ବେଳେ ପଶ୍ଚିମବଙ୍ଗରେ ସେମାନଙ୍କ ସଂଖ୍ୟା ୫୭ ଲକ୍ଷ । ଏହା ସତ୍ତ୍ବେ ଆସାମର କମ୍ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଅଲଗା କଟ୍ ଅଫ୍ ତାରିଖ ଜରୁରି ଥିଲା । ଏନେଇ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି, ୨୫ ମାର୍ଚ୍ଚ ୧୯୭୧ର କଟ୍ ଅଫ୍ ତାରିଖ ଠିକ୍ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.