ସେ ବିଦେଶିନୀ ଭାରତରେ ପ୍ରେମ ତା ପରେ ଲକ୍ଷେ କୋଟିର ବ୍ୟବସାୟ, ଏହି ମହିଳାଙ୍କ ସହ ରତନ ଟାଟାଙ୍କ ସଂପର୍କ କ'ଣ ?

Published By : Prameya-News7 Bureau | October 17, 2024 IST

ନୂଆଦିଲ୍ଲୀ ୧୭।୧୦: ଭାରତର ରତ୍ନ ରତନ ଟାଟା । ୮୬ ବର୍ଷ ବୟସରେ ଦୁନିଆକୁ କହିଛନ୍ତି ଅଲବିଦା । ତାଙ୍କ ମୃତ୍ୟୁ ପରେ ଏକ ଗୌରବଶାଳୀ ଯୁଗର ହୋଇଛି ଅନ୍ତ । ରତନ ଟାଟାଙ୍କୁ ଶ୍ରଦ୍ଦାଞ୍ଜଳୀ ଦେବାକୁ ପହଞ୍ଚିଥିଲେ ରାଜନେତାଙ୍କ ଠାରୁ ଆରମ୍ଭ କରି ଦିଗ୍ଗଜ ଉଦ୍ୟୋଗପତି । କିନ୍ତୁ ସମସ୍ତଙ୍କ ନଜର ହ୍ବିଲଚେୟାର ଉପରେ ବସିଥିବା ଜଣେ ମହିଳାଙ୍କ ଉପରେ ଅଟକିଥିଲା ।   କିଏ ଏହି ମହିଳା ? ରତନ ଟାଟାଙ୍କ ସହିତ କଣ ଥିଲା ତାଙ୍କର ସମ୍ପର୍କ ? 

ରତନ ଟାଟାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ନେଇ ଖୁବ୍‌ ଚର୍ଚ୍ଚା । କେତେବେଳେ ଉତ୍ତରାଧିକାରୀଙ୍କୁ ନେଇ ତ ଆଉ କେତେବେଳେ ପରିବାର ସଦସ୍ୟଙ୍କୁ ନେଇ । କିଛି ନା କିଛି କାରଣରୁ ହେଉଛି ଚର୍ଚ୍ଚା । ଏବେ ଖାସ୍‌ କରି ଏହି ମହିଳାଙ୍କୁ ନେଇ ଚାଲିଛି ଆଲୋଚନା । ଜାଣି ଆଶ୍ଚର୍ଯ୍ୟ ହେବେ ହ୍ବିଲ୍‌ଚେୟାରରେ ବସିଥିବା ଏହି ମହିଳା ହେଉଛନ୍ତି ରତନ ଟାଟାଙ୍କ ସାବତ ମା’ ।  ତାଙ୍କ ନାଁ ହେଉଛି  ସିମୋନ ଟାଟା । ତାଙ୍କୁ ବର୍ତ୍ତମାନ ବୟସ ୯୪ ବର୍ଷ । 

ସେ ନିଜେ ଜଣେ ବହୁତ ବଡ ବିଜନେସ୍‌ ଓମେନ୍‌ ରହିସାରିଛନ୍ତି । ସିମୋନ ହେଉଛନ୍ତି ଭାରତର ସବୁଠାରୁ ବଡ ମେକଅପ୍‌ ବ୍ରାଣ୍ଡ ଲାକ୍‌ମିର ଫାଉଣ୍ଡର ଥିଲେ  । ମେକଅପ୍‌ ଇଣ୍ଡଷ୍ଟ୍ରିରେ ତାଙ୍କର ରହିଛି ବଡ ନାଁ। ସେ ରତନ ଟାଟାଙ୍କ ଠାରୁ ଦୂରରେ ରୁହନ୍ତି । କିନ୍ତୁ ପରିବାର ଭଳି ରହିଥାନ୍ତି ସବୁବେଳେ ।  

ତେବେ କିଏ ଏହି ସିମୋନ ଟାଟା ? ୧୯୩୦ ମସିହାରେ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଜନ୍ମଗ୍ରହଣ କରିଥିଲେ ସିମୋନ । ସେ ପ୍ରତିଷ୍ଠିତ ଜେନେଭା ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଛନ୍ତି । ୧୯୫୩ରେ ସେ ପର୍ଯ୍ୟଟକ ଭାବେ ଭାରତକୁ ଆସିଥିଲେ । ଏହି ସମୟରେ ନାଭାଲ ଟାଟାଙ୍କ ସହ ହୋଇଥିଲା । ପରସ୍ପର ନିକଟତର ହୋଇଥିଲେ । 

ଆଉ ୧୯୫୫ରେ ସିମୋନ ଏବଂ ନାଭାଲ ଟାଟାଙ୍କର ହୋଇଥିଲା ବିବାହ । ଆଉ ନାଭାଲ ଟାଟାଙ୍କର ହୋଇଥିଲେ ଦ୍ବିତୀୟ ପତ୍ନୀ । ଏହାପରେ ସିମୋନ ସ୍ବିଜରଲ୍ୟାଣ୍ଡରୁ ସବୁଦିନ ପାଇଁ ମୁମ୍ବାଇ ଚାଲି ଆସିଥିଲେ । ଟାଟା ଗ୍ରୁପରେ ଏକ ପ୍ରତିଷ୍ଠିତ ନାଁ ରହିଛି ସିମୋନଙ୍କର । ୧ ଲକ୍ଷ କୋଟି ସାମ୍ରାଜ୍ୟକୁ ଠିଆ କରିବାରେ ତାଙ୍କର ରହିଛି ବଡ ଅବଦାନ । 

ସିମୋନ ୧୯୬୨ରେ ଟାଟା ଗ୍ରୁପର ମେକଅପ୍‌ ବ୍ରାଣ୍ଡ ଲାକମିର ପରିଚାଳନା ନିର୍ଦ୍ଦେଶକ ଭାବରେ ବ୍ୟବସାୟରେ କରିଥିଲେ ଏଣ୍ଟ୍ରି । ବିଜନେସରେ ତାଙ୍କ ଅଳ୍ପ ଅଭିଜ୍ଞତା ଥିଲା ସତ, କିନ୍ତୁ ମେକଅପ୍‌ରେ ଥିବା ତାଙ୍କ ଅଭିଜ୍ଞତା ଲାକମିକୁ ଏକ ବଡ ବ୍ରାଣ୍ଡରେ ପରିଣତ କରିବାରେ କରିଥିଲା ସାହାଯ୍ୟ । ସେ ୧୯୮୨ରେ ଲାକମିର ହୋଇଥିଲେ ଚେୟାରମ୍ୟାନ୍ । ପରେ ୧୯୮୭ରେ ହୋଇଥିଲେ ଟାଟା ଇଣ୍ଡଷ୍ଟ୍ରିଜର ସଦସ୍ୟ । 

 ସିମୋନ୍ ନୋଏଲ୍ ଟାଟାଙ୍କ ମା ଏବଂ ନାଭାଲ୍ ଏଚ୍‌ ଟାଟାଙ୍କ ଦ୍ୱିତୀୟ ପତ୍ନୀ । ଏହି ଦୃଷ୍ଟିରୁ ସିମୋନ୍‌ ରତନ ଟାଟାଙ୍କର ସାବତ ମା । ଲାକମିର ସଫଳତା ପରେ ରିଟେଲ୍‌ ସେକ୍ଟରରେ ସମ୍ଭାବନା ଦେଖିବା ପରେ ସେ ଏକ ରଣନୀତିକ ପଦକ୍ଷେପ ନେଇଥିଲେ । ୧୯୯୬ରେ ଟାଟା ଲାକମିକୁ ହିନ୍ଦୁସ୍ତାନ ଲିଭର ଲିମିଟେଡକୁ ବିକ୍ରି କରି ଦେଇଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.