ନାଗପୁର: ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ୪-୧ରେ ଜିତିବା ପରେ ଏବେ ଦିନିକିଆ ସିରିଜ୍ରେ ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ। ଗୁରୁବାର ମହାରାଷ୍ଟ୍ରର ନାଗପୁର ସ୍ଥିତ ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳାଯାଇଛି। ପ୍ରଥମ ମ୍ୟାଚ୍ରୁ ହିଁ ପରାଜୟର ସ୍ୱାଦ ଚାଖିଛି ଇଂଲଣ୍ଡ।
ଆଜିର ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୪୭.୪ ଓଭରରେ ୨୪୮ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା। ଜବାବରେ ଭାରତ ୪ ୱିକେଟ୍ରେ ମ୍ୟାଚ୍ ଜିତି ନେଇଛି। ଭାରତ ପକ୍ଷରୁ ବିଜୟର ନାୟକ ସାଜିଛନ୍ତି ଶୁଭମନ ଗିଲ। ସେ ୯୬ ବଲ୍ରେ ୮୭ ରନ୍ କରି ଇଂଲଣ୍ଡ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଛନ୍ତି। ସେହିପରି ଶ୍ରେୟସ ଆୟର ଓ ଅକ୍ଷର ପଟେଲଙ୍କ ଅର୍ଦ୍ଧଶତକ ଟିମ୍ ଇଣ୍ଡିଆକୁ ବିଜୟୀ କରାଇବାରେ ବଡ଼ ଭୂମିକା ନିଭାଇଛି। ଆଜିର ମ୍ୟାଚ୍ରେ ଏହି ୩ ଖେଳାଳି ସୁପର ଷ୍ଟାର ପ୍ରଦର୍ଶନ କରିଛନ୍ତି।
ଇଂଲଣ୍ଡ ଦେଇଥିବା ୨୪୯ ରନର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ଦୁର୍ବଳ ପ୍ରଦର୍ଶନ କରିଥିଲା। ପ୍ରଥମ ଦିନିକିଆରେ ଫ୍ଲପ୍ ମାରିଥିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା। ସେ ୭ ବଲ୍ ଖେଳି ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ। ଶକିବ ମହମ୍ମୁଦ ତାଙ୍କୁ କ୍ୟାଚ୍ ଆଉଟ୍ କରାଇଥିଲେ। କିଛି ଦିନରେ ବିରତୀ ପରେ ଦିନିକିଆ ଫର୍ମାଟକୁ ଫେରିଥିବା ରୋହିତ ଆରମ୍ଭରୁ ଫେଲ୍ ମାରିବା ଆଗକୁ ଚାମ୍ପିୟନ ଟ୍ରଫି ପାଇଁ ଚିନ୍ତାର କାରଣ ହୋଇପାରେ। ସେହିପରି ଓପନିଂ ଆସିଥିବା ଜଶସ୍ୱୀ ଜୟସ୍ୱାଲ ମଧ୍ୟ ମାତ୍ର ୧୫ ରନ୍ କରି ପାଭିଲିଅନ ଫେରିଥିଲେ। ଏହାପରେ ସବୁ ଚାପ ଶୁଭମନ ଗିଲଙ୍କ ଉପରକୁ ଚାଲି ଆସିଥିଲା।
ଏହାପରେ ଶ୍ରେୟସ ଆୟର ଓ ଶୁଭମନ ଗିଲ୍ ଦୁହେଁ ମିଶି ୧୦ ଓଭର ଯାଏ ଭଲ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଶ୍ରେୟସ ଆୟର ବିସ୍ଫୋରକ ଶୈଳୀରେ ବ୍ୟାଟିଂ କରି ୩୬ ବଲ୍ରେ ଦ୍ରୁତ ୫୯ ରନ୍ ସଂଗ୍ରହ କରିଥିଲେ। ଦଳୀୟ ସ୍କୋର ୧୧୩ ବେଳେ ଜାକବ ବେଥେଲଙ୍କ ବଲ୍ରେ ଏଲ୍ବି ଡବ୍ଲୁ ହୋଇ ପାଭିଲିଅନ ଫେରିଥିଲେ ଆୟର। ଏହାପରେ ଶୁଭମନଙ୍କୁ ସହଯୋଗ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ଅକ୍ଷର ପଟେଲ। ସେ ମଧ୍ୟ ଶୁଭମନଙ୍କ ସହ ମିଶି ରକ୍ଷଣଶୀଳ ଖେଳ ପ୍ରଦର୍ଶନ କରିଥିଲେ। ଦୁଇ ବ୍ୟାଟର ଚତୁରତାର ସହ ୱିକେଟ୍ ରଖି ସ୍କୋର୍ ବୋର୍ଡକୁ ଆଗକୁ ନେଇଥିଲେ।
ଦଳୀୟ ସ୍କୋର ୨୨୧ରେ ପହଞ୍ଚାଇବା ପରେ ଆଦିଲ ରଶିଦଙ୍କ ବଲ୍ରେ ଅକ୍ଷରଙ୍କ ୱିକେଟ୍ ଯାଇଥିଲା। ତେବେ ଆଉଟ ହେବା ପୂର୍ବରୁ ଅକ୍ଷର ପଟେଲ ଦଳ ପାଇଁ ୪୭ ବଲ୍ ଖେଳି ୫୨ ରନ୍ର ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଏଥିରେ ସେ ୬ଟି ଚୌକା ଓ ଗୋଟିଏ ଛକ୍କା ମାରିଥିଲେ। ସେପଟେ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଥିଲେ ଶୁଭମନ ଗିଲ୍। ଅକ୍ଷର ଆଉଟ୍ ହେବାର ଦୁଇ ଓଭର ଭିତରେ କେଏଲ୍ ରାହୁଲ(୯ ବଲ ୨ ରନ୍) ଓ ଶୁଭମନ ଗିଲଙ୍କ ୱିକେଟ୍ ଯାଇଥିଲା।
ଶୁଭମନ ଗିଲ୍ ୯୬ ବଲ୍ରେ ୮୭ ରନ୍ର ବଡ଼ ଇନିଂସ୍ ଖେଳିଥିଲେ। ଯେଉଁଥିରେ ସେ ୧୪ଟି ଚୌକା ମାରିଥିଲେ ବି ଗୋଟିଏ ଭି ଛକ୍କା ମାରିପାରି ନଥିଲେ।
ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡ଼େଜା ଶେଷରେ ବ୍ୟାଟିଂ କରି ଦଳକୁ ମ୍ୟାଚ୍ ଜିତାଇଥିଲେ। ଜାଡ଼େଜା ୧୦ ବଲ୍ରେ ୧୨ ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୬ ବଲ୍ରେ ୯ ରନ୍ କରିଥିଲେ। ଫଳରେ ଭାରତ ୩୮.୪ ଓଭରରେ ୬ ୱିକେଟ୍ ହରାଇ ୨୫୧ ରନ୍ କରି ମ୍ୟାଚ୍ ଜିତି ନେଇଥିଲା। ବ୍ୟାଟିଂରେ ଶେଷ ବେଳକୁ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ରବିନ୍ଦ୍ର ଜାଡ଼େଜା ଆଜି ବୋଲିଂରେ କମଲା ଦେଖାଇଥିଲେ। ସେ ଆଜି ୩ ଟି ୱିକେଟ୍ ମଧ୍ୟ ନେଇଥିଲେ।
ସେହିପରି ଇଂଲଣ୍ଡ ପକ୍ଷରୁ ଶାକିବ ମହମ୍ମଦୁ ଓ ଆଦିଲ ରଶିଦ ଦୁଇଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଜାକୋବ ବାଥେଲ ଗୋଟିଏ ୱିକେଟ୍ ନେଇଥିଲେ। ଅନ୍ୟ କୌଣସି ଇଂଲଣ୍ଡ ବୋଲର ଆଜି ଭାରତୀୟ ବ୍ୟାଟରଙ୍କୁ ଅଟକାଇ ପାରି ନଥିଲେ।
Harshit Rana: ହର୍ଷିତ ରାଣାଙ୍କ ନାଁରେ ବିରଳ ରେକର୍ଡ, ୫୦ ବର୍ଷର ଇତିହାସରେ ଏପରି କରିବାରେ ପ୍ରଥମ ଭାରତୀୟ