ଆମେରିକାର ଧାର୍ମିକ ସ୍ୱାଧିନତା ରିପୋର୍ଟକୁ ଭାରତର ଖଣ୍ଡନ: ଭୋଟ୍ ବ୍ୟାଙ୍କ ପାଇଁ ଦିଆଯାଉଛି ଏଭଳି ରିପୋର୍ଟ

Published By : Prameya-News7 Bureau | June 28, 2024 IST

indiatoday

ନୂଆଦିଲ୍ଲୀ: ଭାରତରେ ସାମ୍ପ୍ରଦାୟିକ ସଦଭାବନା ନଷ୍ଟ ହେଉଥିବା ନେଇ ଆମେରିକା ପ୍ରକାଶ କରିଥିବା ରିପୋର୍ଟକୁ ଭାରତ ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରିଛି। ଏହି ରିପୋର୍ଟ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଏଥିରେ ପକ୍ଷପାତ ହୋଇଛି। ଭାରତର ସାମାଜିକ ଗତିଶୀଳତା ଉପରେ ଜ୍ଞାନର ଅଭାବ ଯୋଗୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି ବୋଲି ଶୁକ୍ରବାର ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମ୍‌ଇଏ) କହିଛି। 

ଆମେରିକା ଷ୍ଟେଟ୍ ଡିପାର୍ଟମେଣ୍ଟ ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ରିପୋର୍ଟ ୨୦୨୩  ପ୍ରକାଶ କରିଛି। ଯେଉଁଥିରେ ଭାରତରେ ଧର୍ମୀୟ ସ୍ୱାଧୀନ କ୍ଷୁଣ୍ଣ ହେଉଛି ବୋଲି କୁହାଯାଇଛି। ଏଥିରେ କୁହାଯାଇଛି ଯେ ଭାରତରେ ଘୃଣା ଭାଷଣ, ଧର୍ମାନ୍ତରଣ ବିରୋଧୀ ଆଇନ, ସଂଖ୍ୟାଲଘୁ ଘର ଓ ଉପାସନା ସ୍ଥଳ ଭାଙ୍ଗିବା ଆଦି ବଢିଛି।

ରିପୋର୍ଟରେ ଜବାବରେ ଏମ୍‌ଇଏ ପ୍ରବକ୍ତା ରଣଧୀର ଜୈୟସ୍ୱାଲ କହିଛନ୍ତି “ଆମେ ୨୦୨୩ ପାଇଁ ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଉପରେ ଆମେରିକାର ବୈଦେଶିକ ବିଭାଗ ଦ୍ୱାରା ପ୍ରକାଶିତ ରିପୋର୍ଟ ବିଷୟରେ ଅବଗତ ଅଛୁ। ଅତୀତର ରିପୋର୍ଟ ଭଳି ଏହି ରିପୋର୍ଟ ମଧ୍ୟ ଅତି ପକ୍ଷପାତ କରାଯାଇଛି। ଏଥିସହିତ ଭାରତର ସାମାଜିକ ଚଳଣିକୁ ବୁଝିବାରେ ଅଭାବ, ଭୋଟ ବ୍ୟାଙ୍କ ପାଇଁ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣରୁ ପ୍ରେରିତ ହୋଇଛି। ତେଣୁ ଆମେ ଏହାକୁ ପ୍ରତ୍ୟାକ୍ଷାନ କରିଛୁ।” 

ଏହି ରିପୋର୍ଟ ଭାରତର ସାମ୍ବିଧାନିକ ବ୍ୟବସ୍ଥା ଏବଂ ଆଇନକୁ ଭୁଲ ଭାବରେ ଦର୍ଶାଉଛି। ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖି କିଛି ଘଟଣାକୁ ଅତିରଞ୍ଜିତ କରି ଭାରତର ଆଇନଗତ ଏବଂ ବିଧାନସଭା ପ୍ରକ୍ରିୟାର ବୈଧତା ଉପରେ ପ୍ରଶ୍ନ ଛିଡ଼ା କରିଛି। ଏଥିସହିତ ଭାରତରେ ଆର୍ଥିକ ପ୍ରବାହକୁ ତଦାରକ କରିବା ନିୟମକୁ ଏକ ବୋଝ ବୋଲି କହି ଏହା ଆଇନ ବ୍ୟବସ୍ଥାକୁ ଟାର୍ଗେଟ୍ କରିଛି ବୋଲି ଏମ୍‌ଇଏ କହିଛି। ଆମେରିକାରେ ବି ଏନେଇ ନିୟମ କାନୁନ ରହିଛି, ହେଲେ ନିଜ ପାଇଁ ଏଭଳି ପ୍ରସ୍ତାବ ଆମେରିକା ଦେଉ ନାହିଁ ବୋଲି ରଣଧୀର ଜୈୟସ୍ୱାଲ କହିଛନ୍ତି। 

କେବଳ ସେତିକି ନୁହେଁ ଆମେରିକାରେ ବର୍ଣ୍ଣ ଓ ରଙ୍ଗ ଆଧାରରେ ହେଉଥିବା ଆକ୍ରମଣ, ସଂଖ୍ୟାଲଘୁ ଓ ସେମାନଙ୍କ ଉପାସନା ସ୍ଥଳ ଉପରେ କରାଯାଉଥିବା ଟାର୍ଗେଟ୍‌କୁ ନେଇ ଜୟସ୍ୱାଲ ଆମେରିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ମାନବିକ ଅଧିକାର, ବିଭିଧତାକୁ ସ୍ୱୀକାର ଆଦି ଘଟଣାକୁ ନେଇ ଭାରତ ଓ ଆମେରିକା ମଧ୍ୟରେ ଆଲୋଚନାର ଆବଶ୍ୟକତା ରହିଛି। ଆମେରିକାରେ ଭାରତୀୟ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ରୋକିବାକୁ ଭାରତ କିଭଳି ପ୍ରୟାସ କରିଛି ତାହା ଦର୍ଶାଇଛନ୍ତି ଜୟସ୍ୱାଲ। 

୨୦୨୩ରେ ଆମେରିକାର ଏକାଧିକ ଘୃଣା ଅପରାଧ, ଭାରତୀୟ ଓ ଅନ୍ଯ ସଂଖ୍ୟାଲଘୁଙ୍କ ଉପରେ ଜାତିଆଣା ଆକ୍ରମଣ, ପୂଜାସ୍ଥଳରେ ଭାଙ୍ଗାରୁଜା କରିବା ହିଂସା ତଥା ଆଇନ ଶୃଙ୍ଖଳା ଅଧିକାରୀଙ୍କ ଦ୍ୱାରା ନିର୍ଯାତନା ଦିଆଯିବା ସହ ବିଦେଶରେ ଆତଙ୍କବାଦ ତଥା ଆତଙ୍କବାଦ ସମର୍ଥକଙ୍କୁ ରାଜନୈତିକ ସ୍ଥାନ ଦିଆଯାଉଛି ବୋଲି ଜୟସ୍ୱାଲ କହିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.