ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଚାଲିଥିବା ଦିନିକିଆ ସିରିଜରେ ଭାରତୀୟ ମହିଳା କ୍ରିକେଟ୍ ଦଳ ପରାଜୟର ସମ୍ମୁଖୀନ ହୋଇଛି। ଭାରତୀୟ ମହିଳା ଦଳ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଗୋଟିଏ ବି ମ୍ୟାଚ୍ ଜିତିପାରିନାହିଁ। ୩-୦ କ୍ଲିନ ସ୍ୱିପ୍ କରିଛି ଆୟୋଜକ ଅଷ୍ଟ୍ରେଲିଆ। ପର୍ଥରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ବଳରେ ୨୯୮ ରନ୍ ସ୍କୋର କରିଥିଲା। ଏହାର ଜବାବରେ ଭାରତୀୟ ଦଳ ୪୫.୧ ଓଭରରେ ୨୧୫ ରନ ସ୍କୋର କରିପାରିଥିଲା। ଏହି ପରାଜୟ ପରେ ବି ଟିମ୍ ଇଣ୍ଡିଆକୁ ଆଉ ଏକ ବଡ଼ ଝଟକା ଲାଗିଛି।
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ସ୍ଲୋ ବୋଲିଂ ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ମ୍ୟାଚ୍ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଆଇସିସି ମ୍ୟାଚ୍ ରେଫରି ଡେଭିଡ ଗିଲବର୍ଟ ଏହି ପେନାଲ୍ଟି ଲଗାଇଛନ୍ତି। କାରଣ ହରମନପ୍ରୀତ କୌରଙ୍କ ଦଳ ଧାର୍ଯ୍ୟ ସମୟ ମଧ୍ୟରେ ଦୁଇ ଓଭର କମ୍ ବୋଲିଂ କରିଥିଲେ।
ଆଇସିସି ବିବୃତ୍ତିରେ କୁହାଯାଇଛି ଯେ ଭାରତୀୟ ଅଧିନାୟକ ହରମାନପ୍ରୀତ କୌର ଏହି ତ୍ରୁଟିକୁ ସ୍ୱୀକାର କରିଛନ୍ତି। ଏବଂ ପ୍ରସ୍ତାବିତ ଦଣ୍ଡକୁ ମଧ୍ୟ ଗ୍ରହଣ କରିଛନ୍ତି। ତେଣୁ ଆନୁଷ୍ଠାନିକ ଶୁଣାଣି କରିବାର କୌଣସି ଆବଶ୍ୟକତା ନାହିଁ। ଫିଲ୍ଡ ଅମ୍ପାୟାର କ୍ଲେୟାର ପୋଲୋସାକ ଏବଂ ଡୋନୋଭାନ କୋଚ, ତୃତୀୟ ଅମ୍ପାୟାର ଜ୍ୟାକଲିନ ୱିଲିୟମସ ଏବଂ ଚତୁର୍ଥ ଅମ୍ପାୟାର ଡେଭିଡ ଟେଲର ଏହି ଅଭିଯୋଗ କରିଛନ୍ତି। ଆଇସିସି ଆଚରଣ ସଂହିତାର ଧାରା ୨.୨୨ ଅନୁଯାୟୀ, ସର୍ବନିମ୍ନ ଓଭର-ରେଟ୍ ପାଳନ ନକଲେ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ସେମାନଙ୍କ ମ୍ୟାଚ୍ ଫିର ସର୍ବନିମ୍ନ ପାଞ୍ଚ ପ୍ରତିଶତ ଜୋରିମାନା ଆଦାୟ କରାଯାଏ।
ସୂଚନାଯୋଗ୍ୟ ବ୍ରିସବେନରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ମଧ୍ୟ ଭାରତୀୟ ଦଳକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଥିଲା। ଭାରତ ବିପକ୍ଷ ଦିନିକିଆରେ ଅଷ୍ଟ୍ରେଲିଆ ସର୍ବାଧିକ ୩୭୧ ସ୍କୋର କରିଥିଲା। ଏହାର ଜବାବରେ ଭାରତ ମାତ୍ର ୨୪୯ ରନ୍ ସ୍କୋର କରି ୧୨୨ ରନର ବ୍ୟବଧାନରେ ହାରିଥିଲା। ତୃତୀୟ ମ୍ୟାଚ୍ ହାରିବା ସହିତ ଟିମ୍ ଇଣ୍ଡିଆକୁ କ୍ରମାଗତ ସପ୍ତମ ପରାଜୟର ସମ୍ମୁଖୀନ ହେବାକୁ ପଡିଛି।