ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଇତିହାସ ରଚିଛନ୍ତି । ସିଙ୍ଗାପୁରରେ ଚାଲିଥିବା ୱାର୍ଲଡ ଚେସ୍ ଚାମ୍ପିୟନଶିପରେ ଡିଫେଣ୍ଡିଂ ଚାମ୍ପିୟନ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ସେ ଚାମ୍ପିଅନ ହୋଇଛନ୍ତି । ଏହାସହ ଚେସ୍ ଇତିହାସରେ ଡି ଗୁକେଶ ସବୁଠୁ ଯୁବ ଚାମ୍ପିଅନ ବି ହୋଇଛନ୍ତି । ଗୁରୁବାର ଖେଳାଯାଇଥିବା ୱାର୍ଲଡ ଚେସ୍ ଚାମ୍ପିଅନଶିପ ଫାଇନାଲର ୧୪ତମ ରାଉଣ୍ଡରେ ଦୁଇ ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ତେବେ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ଲିରେନଙ୍କୁ ତାଙ୍କ ଛୋଟିଆ ଭୁଲ ଭାରି ପଡ଼ିଛି । ଏହାସହ ୧୮ ବର୍ଷୀୟ ଗୁକେଶ ୱାର୍ଲଡ୍ ଚାମ୍ପିଅନ ହୋଇଛନ୍ତି । ତେବେ ରୋଚକ କଥା ହେଉଛି ୧୮ ବର୍ଷୀୟ ଗୁକେଶ ୧୮ତମ ୱାର୍ଲଡ ଚେସ୍ ଚାମ୍ପିଅନ ହୋଇଛନ୍ତି ।
ଗୁକେଶ ଏବଂ ଡିଙ୍ଗଙ୍କ ମଧ୍ୟରେ ଚାମ୍ପିଅନଶିପ ଫାଇନାଲର ୧୪ତମ ଏବଂ ଶେଷ ରାଉଣ୍ଡ ଖେଳାଯାଇଥିଲା । ଏହା ପୂର୍ବର ୧୩ ରାଉଣ୍ଡରେ ଦୁହେଁ ୨-୨ ମ୍ୟାଚ୍ ଜିତିଥିବା ବେଳେ ୯ ମ୍ୟାଚ୍ ଡ୍ର’ ରହିଥିଲା । ଚୂଡ଼ାନ୍ତ ମୁକାବିଲା ପୂର୍ବରୁ ଦୁହେଁ ୬.୫ ପଏଣ୍ଟରରେ ବରାବର ଥିଲେ । ଯଦି ଆଜିର ମ୍ୟାଚ୍ ଡ୍ର ରହିଥାନ୍ତା ତେବେ ଟ୍ରାଇବ୍ରେକରରୁ ରେଜଲ୍ଟ ବାହାରିଥାନ୍ତା । କିନ୍ତୁ ଭାରତୀୟ ଗ୍ରାଣ୍ଡମାଷ୍ଟର ଗୁକେଶ ଚୀନ ଗ୍ରାଣ୍ଡମାଷ୍ଟରଙ୍କୁ ୭.୫-୬.୫ ପଏଣ୍ଟରେ ମାତ ଦେଇ ଟାଇଟଲ୍ ନିଜ ନାଁରେ କରିଛନ୍ତି ।
ଡିଙ୍ଗ୍ ରିଜାଇନ୍ କରିବା ସହ ଗୁକେଶ ନିଜକୁ ଭାବନାକୁ ରୋକିପାରିଲେ ନାହିଁ । ଭାରତୀୟ ଗ୍ରାଣ୍ଡମାଷ୍ଟରଙ୍କ ଆଖିରୁ ଝରି ଆସଥିଲା ଖୁସିର ଲୁହ । ଏହି ଐତିହାସିକ ବିଜୟ ଗୁକେଶଙ୍କୁ କେବଳ ଭାରତୀୟ ଚେସରେ ନୁହେଁ, ବରଂ ବିଶ୍ୱ ଚେସରେ ମଧ୍ୟରେ ସବୁଦିନ ପାଇଁ ଅମର କରିଦେଇଛି । ବିଶ୍ୱନାଥନ ଆନନ୍ଦଙ୍କ ପରେ ୱାର୍ଲଡ ଚେସ୍ ଚାମ୍ପିଅନଶିପ ଜିତିବାରେ ଗୁକେଶ ହେଉଛନ୍ତି ଦ୍ୱିତୀୟ ଭାରତୀୟ ।
ଗୁକେଶ ୧୮ ବର୍ଷ ୮ ମାସ ୧୪ ଦିନ ବୟସରେ ଏହି ଟାଇଟଲ୍ ଜିତି ଇତିହାସ ରଚିଛନ୍ତି । ଏହାସହ ସେ ଗ୍ୟାରି କାସ୍ପାରୋଭଙ୍କ ରେକର୍ଡ ଭାଙ୍ଗିଛନ୍ତି । କାସ୍ପାରୋଭ ୨୨ ବର୍ଷ ୬ ମାସ ୨୭ ଦିନରେ ଚାମ୍ପିଅନ ହୋଇଥିଲେ । ଗୁକେଶ ୧୨ ବର୍ଷ ସାତ ମାସ ୧୭ ଦିନ ବୟସରେ ଭାରତର ସବୁଠୁ ଯୁବ ଗ୍ରାଣ୍ଡମାଷ୍ଟର ହୋଇଥିଲେ । ଗତ ବର୍ଷ ୫ ଥରର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନଙ୍କୁ ପଛରେ ପକାଇ ୩୬ ବର୍ଷ ପରେ ପ୍ରଥମ ଦେଶର ଶୀର୍ଷ ରାଙ୍କିଂ ଖେଳାଳିଙ୍କ ପ୍ରବେଶ କରିଥିଲେ ।
ଡି ଗୁକେଶଙ୍କ ପୂରା ନାଁ ଡୋମାରାଜୁ ଗୁକେଶ । ଗୁକେଶଙ୍କ ଜନ୍ମ ଚେନ୍ନାଇରେ ୨୦୦୬ ମେ ୭ରେ ହୋଇଥିଲା । ଗୁକେଶଙ୍କ ବାପା ଜଣେ ଡାକ୍ତର ଏବଂ ମାଆ ମାଇକ୍ରୋବାୟଲୋଜିଷ୍ଟ । ଗୁକେଶ ସାତ ବର୍ଷ ବୟସରେ ଚେସ୍ ଖେଳିବା ଆରମ୍ଭ କରିଥିଲେ । ଭାସ୍କରଙ୍କଠାରୁ ପ୍ରଥମେ କୋଚିଂ ନେବା ବିଶ୍ୱନାଥନ ଆନନ୍ଦ ତାଙ୍କୁ ଚେସର ଅଧିକ ଟ୍ରେନିଂ ଦେଇଥିଲେ । ୨୦୨୧ରେ ଜୁଲିୟସ ବେୟର ଚ୍ୟାଲେଞ୍ଜର୍ସ ଚେସ୍ ଟୁର୍, ଗେଲଫେଡ୍ ଚ୍ୟାଲେଞ୍ଜ ଜିତିଥିଲେ । ୨୦୨୨ରେ ଗୁକେଶ ୪୪ତମ ଚେସ୍ ଅଲିମ୍ପିଆଡରେ ୮ରୁ ୮ ପରଫେକ୍ଟ ସ୍କୋର କରିଥିଲେ । ୨୦୨୨ରେ ଗୁକେଶ ୨୭୨୬ ରେଟିଂ ସହ ପ୍ରଥମ ପାଇଁ ୨୭୦୦ରୁ ଅଧିକ ରେଟିଂରେ ପହଞ୍ଚିଥିଲେ । ୨୦୨୨ ଅକ୍ଟୋବରରେ ଗୁକେଶ ଏମଚେସ ରାପିଡ୍ ଟୁର୍ଣ୍ଣାମେଣ୍ଟରେ ମାଗସନ କାର୍ଲସେନଙ୍କୁ ହରାଇବାରେ ସବୁଠୁ ଯୁବ ଖେଳାଳି ହୋଇଥିଲେ । ୨୦୨୩ ରେଟିଂ ସୂଚୀରେ ୨୭୫୦ ରେଟିଂ ପଏଣ୍ଟରେ ପହଞ୍ଚିବାରେ ଦୁନିଆର ସବୁଠୁ ଯୁବ ଖେଳାଳି ହୋଇଥିଲେ ।