ନୂଆଦିଲ୍ଲୀ: କତର ପରେ ମଧ୍ୟପ୍ରାଚ୍ୟର ଆଉ ଏକ ଦେଶକୁ ମିଳିଛି ଫୁଟବଲ୍ ବିଶ୍ୱକପ ଆୟୋଜନ ଲାଗି ସୁଯୋଗ । ସାଉଦି ଆରବ ହେବ ୨୦୩୪ ପୁରୁଷ ଫୁଟବଲ୍ ବିଶ୍ବକପର ଆୟୋଜକ ଦେଶ । ସେହିଭଳି ୨୦୩୦ ବିଶ୍ୱକପ୍ ସ୍ପେନ୍, ପର୍ତ୍ତୁଗାଲ ଏବଂ ମୋରୋକୋରେ ଆୟୋଜିତ ହେବ । ବୁଧବାର ଫୁଟ୍ବଲ୍ର ସର୍ବୋଚ୍ଚ ସଂସ୍ଥା ଏହି ଘୋଷଣା କରିଛନ୍ତି ।
ଫିଫା ଅଧ୍ୟକ୍ଷ ଗିୟାନୀ ଇନଫ୍ୟାଣ୍ଟିନୋ ଏହି ଘୋଷଣା କରି କହିଛନ୍ତି, ‘ଆମେ ଫୁଟବଲକୁ ଆହୁରି ଅଧିକ ଦେଶକୁ ନେଇ ଯିବାକୁ ପ୍ରୟାସ କରୁଛୁ ଏବଂ କୌଣସି ଟିମ୍ର ଗୁଣବତ୍ତା ସହ ସାଲିସ କରୁନାହୁଁ ।’ ସାଉଦି ଆରବରେ ଆୟୋଜନ ପାଇଁ କୌଣସି ପ୍ରକାର ବିରୋଧ ହୋଇ ନାହିଁ । ଜ୍ୟୁରିଖରେ ଫିଫା ବିଶ୍ୱକପ୍ ପାଇଁ ହୋଇଥିବା ବୈଠକରେ ୨୦୦ରୁ ଅଧିକ ସଦସ୍ୟ ଦେଶ ସର୍ବସମ୍ମତିରେ ମଞ୍ଜୁରି ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୨୦୨୬ ଫିଫା ବିଶ୍ୱକପ୍ ଉତ୍ତର ଆମେରିକା (ୟୁଏସ୍, ମେସ୍କିକୋ ଏବଂ କାନାଡା)ର ୧୬ ସହରରେ ଆୟୋଜନ କରାଯିବ ।
ଫିଫା ଏବଂ ସାଉଦି ଆରବର ଅଧିକାରୀଙ୍କ ଅନୁସାରେ, '୨୦୩୪ ଫୁଟବଲ୍ ବିଶ୍ବକପ୍ ଆୟୋଜନ ଦ୍ୱାରା ଦେଶରେ ମହିଳାଙ୍କୁ ଅଧିକ ସ୍ୱାଧୀନତା ଏବଂ ଅଧିକାର ମିଳିପାରେ । ଯାହା ଭବିଷ୍ୟତରେ ଏକ ବଡ଼ ପରିବର୍ତ୍ତନ ଆଣିବ ।'
ଜ୍ୟୁରିଖ ବୈଠକରେ ମହିଳା ଫିଫା ବିଶ୍ୱକପ୍ ଆୟୋଜନ ପାଇଁ ମଧ୍ୟ ଘୋଷଣା ହୋଇଛି । ବିଶ୍ୱ ଫୁଟ୍ବଲ୍ର ସର୍ବୋଚ୍ଚ ସଂସ୍ଥା ଫିଫାର ଘୋଷଣା ଅନୁସାରେ, ୨୦୨୭ରେ ମହିଳା ବିଶ୍ବକପ୍ ୨୪ ଜୁନ୍ରୁ ୨୫ ଜୁଲାଇ ଯାଏଁ ବ୍ରାଜିଲ୍ରେ ଆୟୋଜିତ ହେବ । ପ୍ରଥମ ଥର ଲାଗି କୌଣସି ଦକ୍ଷିଣ ଆମେରିକୀୟ ଦେଶରେ ମହିଳା ଫୁଟବଲ୍ ବିଶ୍ୱକପ୍ ଆୟୋଜନ ହେବାକୁ ଯାଉଛି । ମହିଳା ବିଶ୍ୱକପ୍ରେ ମୋଟ ୩୨ଟି ଟିମ୍ ଅଂଶଗ୍ରହଣ କରିବେ । ଏହା ପୂର୍ବରୁ ୨୦୨୩ରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡର ମିଳିତ ଆୟୋଜନରେ ହୋଇଥିବା ମହିଳା ବିଶ୍ବକପ୍ରେ ସ୍ପେନ୍ ବିଜୟୀ ହୋଇଥିଲା ।