ନୂଆଦିଲ୍ଲୀ ୧୫।୧୧; ଚାମ୍ପିଅନ୍ସ ଟ୍ରଫି ୨୦୨୫ । ଏହାକୁ ନେଇ ଚାଲିଛି ବାଦବିବାଦ । ଟିମ୍ ଇଣ୍ଡିଆ ପାକିସ୍ତାନ ଯିବନି ବୋଲି ବିସିସିଆଇ ସ୍ପଷ୍ଟ କରିଛି । ଏହାପରେ ଦୁଇ ଦେଶ ମଧ୍ୟରେ ଚାଲିଛି ଟକରାଟକରି । ବିସିସିଆଇ ଚାହୁଁଛି ଟିମ୍ ଇଣ୍ଡିଆର ସବୁ ମ୍ୟାଚ୍ ପାକିସ୍ତାନ ବାହାରେ ଖେଳାଯିବ । ଯେପରି ଏସିଆ କପ୍ ୨୦୨୩ରେ ହୋଇଥିଲା ।
ଏହାସହିତ ପାକିସ୍ତାନ ହାଇବ୍ରିଡ ମଡେଲ ଉପରେ ଟୁର୍ନାମେଣ୍ଟ କରିବାକୁ ଚାହୁଁନାହିଁ । କୁହାଯାଉଛି କି ଯଦି ପୁରା ଟୁର୍ନାମେଣ୍ଟ ପାକିସ୍ତାନରେ ଖେଳାନଯାଏ ତେବେ ପାକିସ୍ତାନ ଏହି ଟୁର୍ନାମେଣ୍ଟରୁ ନିଜ ନାଁ ପ୍ରତ୍ୟାହାର କରିପାରେ । ଅର୍ଥାତ୍ ଏହି ଟୁର୍ନାମେଣ୍ଟକୁ ପାକିସ୍ତାନ ବହିଷ୍କାର କରିବ । ଯଦି ହାଇବ୍ରିଡ୍ ମଡେଲ୍ ପାଇଁ ପାକିସ୍ତାନ ପ୍ରସ୍ତୁତ ନହୁଏ, ତେବେ ଆଇସିସି ପୁରା ଟୁର୍ନାମେଣ୍ଟକୁ ଅନ୍ୟ ଦେଶକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦେଇପାରେ । ଯେଉଁଥିରେ ୟୁଏଇ, ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶ ସାମିଲ ରହିଛି ।
ତେବେ ବର୍ତ୍ତମାନ ଏକ ରିପୋର୍ଟ ଦାବି କରିଛି ଯେ ଯଦି ପାକିସ୍ତାନ ପ୍ରତ୍ୟାହାର କରେ, ତେବେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ପାଇଁ ଭାରତ ଆଗରେ ରହିଛି । ଅର୍ଥାତ୍ ଏହି ଟୁର୍ନାମେଣ୍ଟ ଭାରତରେ ମଧ୍ୟ ଅନୁଷ୍ଠିତ ହୋଇପାରିବ । ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଡ୍ରାଫ୍ଟ ସୂଚୀ ଅନୁଯାୟୀ, ଏହି ଟୁର୍ନାମେଣ୍ଟ ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଛି । ଯେତେବେଳେ କି ଫାଇନାଲ ମ୍ୟାଚ୍ ୯ ମାର୍ଚ୍ଚରେ ଲାହୋରରେ ଖେଳାଯିବ ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ପାଇଁ ଆଉ ୧୦୦ଦିନ ବି ବାକି ନାହିଁ । ଏଭଳି ପରିସ୍ଥିତିରେ ଆଇସିସି ଏନେଇ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ପଡ଼ିବ । ଯାହାଦ୍ୱାରା କାର୍ଯ୍ୟସୂଚୀ ଘୋଷଣା ହୋଇପାରିବ ।