ନୂଆଦିଲ୍ଲୀ: ଗୋଟିଏ ପଟେ ଯୁବ ବକ୍ସର ଜେକ୍ ପଲ୍ ଅନ୍ୟପଟେ ଦୁନିଆର ସବୁଠାରୁ ଅନୁଭବୀ ବକ୍ସିଂ ଚାମ୍ପିଅନ ମାଇକ୍ ଟାଇସନ୍ । ଦୁହିଁଙ୍କ ମଧ୍ୟରେ ହେବାକୁ ଥିବା ଫାଇଟ୍କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଜେକ୍ ପଲ୍ ଏବଂ ମାଇକ୍ ଟାଇସନଙ୍କ ମଧ୍ୟରେ ଏହି ମୁକାବିଲା ଆମେରିକାର ଟେକ୍ସାସରେ ହେବ । ଭାରତୀୟ ସମୟ ଅନୁସାରେ ଶନିବାର ସକାଳ ୬.୩୦ରେ ଏହି ଫାଇଟ୍ ହେବ । ଏହି ଦୁଇ ବକ୍ସରଙ୍କ ମଧ୍ୟରେ ହେବାକୁ ଥିବା ମୁକାବିଲା ଉପରେ ସାରା ଦୁନିଆର ନଜର ରହିଛି । ତେବେ ଏହା ପୂର୍ବରୁ ଶେଷ ଓଜନ ମାପିବା କାର୍ଯ୍ୟକ୍ରମରେ ଜେକ୍ ପଲ୍ଙ୍କୁ ଟାଇସନ୍ ଚାପୁଡ଼ା ମାରି ଚର୍ଚ୍ଚାକୁ ଅଧିକ ବଡ଼ କରିଛନ୍ତି ।
ମ୍ୟାଚ୍ ପୂର୍ବରୁ ଶେଷ ସାମ୍ନାସାମ୍ନିରେ ଜେକ୍ ପଲଙ୍କୁ ମାଇକ୍ ଟାଇସନ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି । ତେବେ ସେଠାରେ ଥିବା ସୁରକ୍ଷାକର୍ମୀ ଏଥିରେ ହସ୍ତକ୍ଷେପ କରି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଟାଇସନ୍ କାହିଁକି ଚାପୁଡ଼ା ମାରିଲେ, ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ତାର ଖୁଲାସା କରିଛନ୍ତି । ପଲ୍ ଓଜନ ମାପିବା ପାଇଁ ଆଡଭାନ୍ସ ପୁସ୍ ଅପ୍ ମାରି ଆସୁଥୁଲେ । ତେବେ ଏହି ସମୟରେ ସେ ଟାଇସନଙ୍କ ଡାହାଣ ଗୋଡ଼ ଉପରକୁ ଚଢି ଯାଇଥିଲେ । ଯେଉଁଥିରେ ରାଗି ଟାଇସନ୍ ତାଙ୍କୁ ଚାପୁଡ଼ା ମାରିଥିଲେ ବୋଲି ସେ କହିଛନ୍ତି ।
ଫାଇଟ୍ ପାଇଁ କେତେ ଟଙ୍କା ପାଇବେ ?
ଏହି ଦୁଇ ବକ୍ସରଙ୍କ ମଧ୍ୟରେ ହେବାକୁ ଥିବା ମୁକାବିଲା ଉପରେ ସାରା ଦୁନିଆର ନଜର ରହିଛି । ଏହି କାରଣରୁ ଦୁଇ ବକ୍ସରଙ୍କୁ ମ୍ୟାଚ୍ ଖେଳିବା ପାଇଁ ମୋଟା ଅଙ୍କର ଅର୍ଥ ରାଶି ମଧ୍ୟ ମିଳୁଛି । ଏହି ରାଶି ଏତେ ଅଧିକ ଯେ ଆଇପିଏଲ୍ ଟିମର ପର୍ସ ମଧ୍ୟ ଏତେ ବଡ଼ ନାହିଁ ।
ମାଇକ୍ ଟାଇସନ୍ ୧୯ ବର୍ଷ ପରେ ବକ୍ସିଂ ରିଙ୍ଗକୁ ଓହ୍ଲାଇବାକୁ ଯାଉଛନ୍ତି । ଟାଇସନଙ୍କ ଲୋକପ୍ରିୟତା ଏତେ ଅଧିକ ଯେ ତାଙ୍କୁ ଏହି ଗୋଟିଏ ମ୍ୟାଚ୍ ପାଇଁ ୨୦ ମିଲିୟନ ଡଲାର ଅର୍ଥାତ୍ ୧୬୮ କୋଟି ଟଙ୍କାରୁ ଅଧିକ ରାଶି ମିଳିବ । ମାଇକ୍ ଟାଇସନ୍ ଜିତନ୍ତୁ ବା ହାରନ୍ତୁ ତାଙ୍କୁ ଏହି ରାଶି ମିଳିବା ନିଶ୍ଚିତ । ଅନ୍ୟପଟେ ଜେକ୍ ପଲଙ୍କୁ ଟାଇସନଙ୍କଠାରୁ ଦ୍ୱିଗୁଣା ଟଙ୍କା ମିଳିବାକୁ ଯାଉଛି । ରିପୋର୍ଟ ଅନୁସାରେ ଜେକ୍ ପଲ୍ଙ୍କୁ ଏହି ଫାଇଟ୍ ପାଇଁ ୪୦ ମିଲିୟନ ଡଲାର ମିଳୁଛି, ଯାହା ଭାରତୀୟ ମୁଦ୍ରାରେ ୩୩୭ କୋଟି ଟଙ୍କା ।
ମାଇକ୍ ଟାଇସନ ଏବଂ ଜେକ୍ ପଲ୍ଙ୍କ ମଧ୍ୟରେ ମୋଟ ୮ ରାଉଣ୍ଡ ଫାଇଟ୍ ହେବ । ପ୍ରତି ରାଉଣ୍ଡ ୨ ମିନିଟ୍ ଲେଖାଏ ଖେଳାଯିବ । ଦୁଇ ବକ୍ସରଙ୍କ ଓଜନ ୧୧୩ କିଲୋଗ୍ରାମରୁ ଅଧିକ ହେବ ନାହିଁ । ସେପଟେ ରେକର୍ଡ ଦେଖିବାକୁ ଗଲେ ଜେକ୍ ପଲ୍ ଆଜି ସୁଦ୍ଧା ୧୧ ଫାଇଟ୍ ଖେଳିଥିବା ବେଳେ ଗୋଟିଏରେ ପରାଜିତ ହୋଇଛନ୍ତି । ଜେକ୍ ୭ଟି ଫାଇଟ୍କୁ ନକଆଉଟ୍ରେ ଜିତିଛନ୍ତି । ଅନ୍ୟପଟେ ମାଇକ୍ ଟାଇସନ ୫୮ଟି ଫାଇଟ୍ରୁ ୫୦ ଫାଇଟ୍ ଜିତିଛନ୍ତି । ଏଥିରୁ ୪୪ ଫାଇଟ୍ ନକଆଉଟ୍ରେ ଜିତିଛନ୍ତି । ମାଇକ୍ ଟାଇସନ ନିଜ କ୍ୟାରିୟରରେ ୬ ଫାଇଟ୍ ହାରିଛନ୍ତି ।