ଦ୍ରୁତଗତିରେ ବଢ଼ୁଛି ଭାରତର ଅଭିବୃଦ୍ଧି; ମୁଡିସ୍‌ର ଆକଳନ, ଚଳିତ ବର୍ଷ ୬.୮% ହାରରେ ବଢ଼ିବ

Published By : Prameya-News7 Bureau | June 15, 2024 IST

ନୂଆଦିଲ୍ଲୀ,୧୫/୬: ଲୋକସଭା ନିର୍ବାଚନ ପରେ ଦେଶର କମାଣ ସମ୍ଭାଳିଛି ଏନ୍‌ଡିଏ ସରକାର । ଏଥିସହ ଅର୍ଥନୀତିକୁ ନେଇ ଖୁସି ଖବର ଆସଛି । ବିଶ୍ୱ ବ୍ୟାଙ୍କ୍ ଏକ ରିପୋର୍ଟରେ ପ୍ରକାଶ କରିଥିଲା, ଭାରତର ଅଭିବୃଦ୍ଧି ଆଗକୁ ବି ଜାରି ରହିବ । ଏବେ ଗ୍ଲୋବାଲ ରେଟିଂ ଏଜେନ୍ସି ମୁଡିସ୍‌ର ନୂଆ ସର୍ଭେ ରିପୋର୍ଟ ଜାରି କରିଛି । ଏଥିରେ ଭାରତ ୨୦୨୪ରେ ଏସିଆ  ପାସିଫିକ୍‌ରେ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଉଭା ହେବ । ରେଟିଂ ଏଜେନ୍ସିର  କହିବାନୁସାରେ, ଘରୋଇ ସ୍ତରରେ ଚାହିଦା ଜାରି ରହିବ । ନୀତିରେ ମଧ୍ୟ ନିରନ୍ତରତା ରହିବ ।  ଭିତ୍ତିଭୂମି ବିକାଶ ଏବଂ ଘରୋଇ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହନ ଅର୍ଥବ୍ୟବସ୍ଥାକୁ ଦ୍ରୁତ  ବେଗରେ ଅଗ୍ରସର କରାଇବ ।  

‘କ୍ରେଡିଟ୍‌ କଣ୍ଡିସନ୍ସ-ଏସିଆ ପାସିଫିକ୍‌  ଏଚ୍‌-୨ ୨୦୨୪ କ୍ରେଡିଟ୍‌ ଆଉଟ୍‌ଲୁକ୍‌’ ରିପୋର୍ଟ ଇତି ମଧ୍ୟରେ ଜାରି କରାଯାଇଛି । ଏଥିରେ ମୁଡିସ୍‌ ପ୍ରକାଶ କରିଛି ଯେ, ୨୦୨୪ର ପ୍ରଥମ ୬ ମାସରେ ଇଣ୍ଡୋନେସିଆ, ଫିଲିପାଇନ୍ସ ଏବଂ  ଭାରତ ଅଭିବୃଦ୍ଧି ହାରରେ ଅଗ୍ରଣୀ ରହିବେ ।  କମ୍ପାନି ଗୁଡ଼ିକର ଆୟ  ଉନ୍ନତ ରହିବା କାରଣରୁ ଭାରତ ଏବଂ ଏସୀୟ  ଅର୍ଥନୀତିଗୁଡ଼ିକରେ ଅଧିକ ପୋର୍ଟଫୋଲିଓ ନିବେଶ ଆସିବ । ଗତ ମେ’ରେ ମୁଡିସ୍‌ ଅନୁମାନ କରିଥିଲା ଯେ, ଚଳିତ କ୍ୟାଲେଣ୍ଡର ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ୬.୮% ହାରରେ ବଢ଼ିପାରେ । ୨୦୨୫ରେ ଏହି ହାର ୬.୫% ରହିପାରେ । ଲୋକସଭା ନିର୍ବାଚନ ପରେ ନୀତିରେ ନିରନ୍ତରତା  ଜାରି ରହିବା କାରଣରୁ ଭାରତର ଅଭିବୃଦ୍ଧି ବଜାୟ ରହିବ ବୋଲି ମୁଡିସ୍‌ ପ୍ରକାଶ କରିଛି ।

ସରକାରୀ ତଥ୍ୟ ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ବାସ୍ତବ ଜିଡିପି  ଅଭିବୃଦ୍ଧି ୮.୨% ରହିଛି । ଏହା ବିଶ୍ୱରେ ସବୁଠାରୁ ଦ୍ରୁତ ଅଭିବୃଦ୍ଧି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ଅନୁମାନକୁ ୭.୨%କୁ ବଢ଼ାଇ ଦେଇଛି । ପୂର୍ବରୁ ସର୍ବୋଚ୍ଚ ବ୍ୟାଙ୍କର ଅନୁମାନ ଥିଲା ୭% ।  ବିଶ୍ୱ ବ୍ୟାଙ୍କ୍ ମଧ୍ୟ ଭାରତ ପାଇଁ ଏହାର  ଅଭିବୃଦ୍ଧି ଅନୁମାନକୁ ସଂଶୋଧିତ କରିଛି । ୨୦୨୪-୨୫ ଆର୍ଥିକ ବର୍ଷରେ   ଭାରତର ଅଭିବୃଦ୍ଧି ୬.୬% ରହିବ । ଏହାର   ପୂର୍ବ ଆକଳନ ଥିଲା ୬.୪% ।  ବିଶ୍ୱବ୍ୟାଙ୍କ୍ ଆହୁରି ମଧ୍ୟ ପ୍ରକାଶ କରିଛି ଯେ,   ଭାରତ ବିଶ୍ୱର ସର୍ବବୃହତ୍‌ ଅର୍ଥନୀତିଗୁଡ଼ିକ ମଧ୍ୟରେ ଦ୍ରୁତ ଅଭିବୃଦ୍ଧିଶୀଳ ରହିବ । ମଜଭୁତ ଘରୋଇ ନିବେଶ ଏବଂ ଚାହିଦା ବୃଦ୍ଧି ଯୋଗୁ ଏହା ଭାରତର ଅଭିବୃଦ୍ଧି ଅନୁମାନକୁ ସଂଶୋଧିତ  କରିଛି । ଭାରତରେ ଶିଳ୍ପ ଗତିବିଧି ବଢୁଛି ।  ବିନିର୍ମାଣ ଏବଂ ନିର୍ମାଣ କ୍ଷେତ୍ରରେ ଉତ୍ସାହ  ଦେଖିବାକୁ ମିଳୁଛି । ଏହା ଅଭିବୃଦ୍ଧିକୁ ତ୍ୱରାନ୍ୱିତ  କରୁଥିବା ବିଶ୍ୱବ୍ୟାଙ୍କ୍ ପ୍ରକାଶ କରିଛି । ୨୦୨୫- ୨୬ ପାଇଁ ବିଶ୍ୱ ବ୍ୟାଙ୍କ୍ ଭାରତର ଅଭିବୃଦ୍ଧି ଅନୁମାନକୁ ୬.୫%ରୁ ବଢ଼ାଇ ୬.୭% କରିଛି ।

  • Economy
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.