ପଛରେ ପଡ଼ିଲା ଚୀନ୍‌, ଭାରତରୁ ସବୁଠୁ ଅଧିକ ରପ୍ତାନୀ ହୋଇଥିବା ଦେଶଙ୍କ ମଧ୍ୟରେ ଚାରି ନମ୍ବର ସ୍ଥାନକୁ ଆସିଲା ବ୍ରିଟେନ୍

Published By : Prameya-News7 Bureau | June 17, 2024 IST

indiatoday

ନୂଆଦିଲ୍ଲୀ: ମେ ମାସରେ ଭାରତରୁ ସବୁଠୁ ଅଧିକ ରପ୍ତାନୀ ହୋଇଥିବା ଦେଶଙ୍କ ମଧ୍ୟରେ ଚାରି ନମ୍ବର ସ୍ଥାନକୁ ଆସିଲା ବ୍ରିଟେନ୍। ଅର୍ଥାତ୍‌, ଚୀନ୍‌କୁ ପଛରେ ପକାଇ ବ୍ରିଟେନ ଏବେ ହୋଇଛି ଭାରତଠାରୁ ଆମଦାନୀ କରିଥିବା ଦେଶଙ୍କ ତାଲିକାରେ ଚତୁର୍ଥ ଦେଶ । ଯେତେବେଳେକି ଗତ ବର୍ଷ ଏହି ମାସରେ ବ୍ରିଟେନ ଛଅ ନମ୍ବର ସ୍ଥାନରେ ଥିଲା। ସୂଚନା ଅନୁଯାୟୀ ଚଳିତ ବର୍ଷ ମେ ମାସରେ ବ୍ରିଟେନକୁ ରପ୍ତାନୀ ବଢ଼ି ୧.୩୭ ବିଲିୟନ ଡଲାର ହୋଇଛି। ଯେତେବେଳେ ଚୀନ୍‌କୁ ରପ୍ତାନୀ ୩ ପ୍ରତିଶତ ବଢ଼ି ୧.୩୩ ବିଲିୟନ ଡଲାର ହୋଇଛି। 

ଗତ କିଛି ମାସର ତଥ୍ୟ ଅନୁଯାୟୀ, ବ୍ରିଟେନକୁ ଯନ୍ତ୍ରପାତି, ଖାଦ୍ୟ ପଦାର୍ଥ, ଔଷଧ, କପଡ଼ା, ଅଳଙ୍କାର, ଲୁହା ଏବଂ ଇସ୍ପାତ ଭଳି ବସ୍ତୁ ଅଧିକ ରପ୍ତାନୀ ହୋଇଛି। ବାଣିଜ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ଭାରତର ଟପ୍‌ ୧୦ ରପ୍ତାନୀ ବଜାରରେ ମେ ମାସରେ ସକାରାତ୍ମକ ବୃଦ୍ଧି ଦେଖିବାକୁ ମିଳିଛି । ଅନେକ ମାସର ମାନ୍ଦାବସ୍ତା ପରେ ମେ ମାସରେ ବୈଶ୍ବିକ ଚାହିଦାରେ କମ୍ ବେଶୀ ଏବଂ ଅସମାନ ଆର୍ଥିକ ସୁଧାର ପରେବି ଭାରତର ରପ୍ତାନୀରେ ଭଲ ବୃଦ୍ଧି ଦେଖିବାକୁ ମିଳିଛି।

ଏହି ୧୦ ଦେଶକୁ ମେ ମାସରେ ଭାରତରୁ ସମୁଦାୟ ୫୨ ପ୍ରତିଶତ ସାମଗ୍ରୀ ରପ୍ତାନୀ ହୋଇଛି। ମେ ମାସରେ ଭାରତର ବାଣିଜ୍ୟିକ ରପ୍ତାନୀ ୯.୧୩ ପ୍ରତିଶତ ବଢ଼ି ୩୮ ବିଲିୟନ ଡଲାର ହୋଇଛି। ୧୩ ପ୍ରତିଶତ ବୃଦ୍ଧି ସହ ଆମେରିକା, ଭାରତ ପାଇଁ ସବୁଠୁ ବଡ଼ ରପ୍ତାନୀ ଡେଷ୍ଟିନେସନ ହୋଇଛି। 

ସେହିଭଳି ୟୁଏଇକୁ ୧୯ ପ୍ରତିଶତ ଏବଂ ନେଦରଲ୍ୟାଣ୍ଡସରେ ୪୪ ପ୍ରତିଶତର ଆକର୍ଷଣୀୟ ବୃଦ୍ଧି ଦେଖିବାକୁ ମିଳିଛି। ଯାହା ଭାରତର ତୃତୀୟ ସବୁଠୁ ବଡ଼ ରପ୍ତାନୀ ବଜାର ହୋଇଛି। ଉଲ୍ଲେଖଯୋଗ୍ୟ, ସାଉଦି ଆରବ (୮.୪୬ ପ୍ରତିଶତ), ସିଙ୍ଗାପୁର (୪.୬୪ ପ୍ରତିଶତ), ବାଂଲାଦେଶ (୧୩.୪୭ ପ୍ରତିଶତ), ଜର୍ମାନୀ (୬.୭୪ ପ୍ରତିଶତ) ଏବଂ ଫ୍ରାନ୍ସ (୩୬.୯୪ ପ୍ରତିଶତ) ଭଳି ଦେଶକୁ ମଧ୍ୟ ରପ୍ତାନୀ ବଢ଼ିଛି।

ଆମଦାନୀରେ ମଧ୍ୟ ଦେଖିବାକୁ ମିଳିଛି ଆଶ୍ବସ୍ତି:

ଭାରତର ଆମଦାନୀରେ ମଧ୍ୟ ଆଶ୍ବସ୍ତି ଦେଖିବାକୁ ମିଳିଛି। ତଥ୍ୟ ଅନୁଯାୟୀ, ଟପ୍‌ ୧୦ ଆମଦାନୀକାରୀ ଦେଶଙ୍କ ମଧ୍ୟରେ ମେ ମାସରେ କେବଳ ସାଉଦି ଆରବ ଏବଂ ସ୍ବିଜରଲ୍ୟାଣ୍ଡ୍‌ରୁ ଆମଦାନୀରେ ହ୍ରାସ ଦେଖିବାକୁ ମିଳିଛି। ଅନ୍ୟ ଆଠ ଦେଶ ମଧ୍ୟରେ ଆମଦାନୀ ବଢ଼ିବା ଯୋଗୁଁ ସମୁଦାୟ ଭାରତର ଆମଦାନୀ ୭.୭ ପ୍ରତିଶତ ବଢ଼ି ୬୧.୯୧ ବିଲିୟନ ଡଲାର ହୋଇଛି।

ରୁଷରୁ କଞ୍ଚାତେଲ ଆମଦାନୀ ଉପରେ ନିର୍ଭରତା କାରଣରୁ ସେଠାରୁ ଆମଦାନୀ ୧୮ ପ୍ରତିଶତ ବଢ଼ି ୭.୧ ବିଲିୟନ ଡଲାରରେ ପହଞ୍ଚିଛି। ଅବଶ୍ୟ, ରୁଷ ଏବେବି ଚୀନ ପରେ ଭାରତର ଦ୍ବିତୀୟ ସବୁଠୁ ବଡ଼ ଆମଦାନୀ ସ୍ରୋତ ହୋଇ ରହିଛି।

ସେହିଭଳି ଚୀନରୁ ଆମଦାନୀରେ ମଧ୍ୟ ୨.୮୧ ପ୍ରତିଶତ ସାମନ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଆମଦାନୀରେ ହ୍ରାସ କଥା କହିଲେ ସ୍ବିଜରଲ୍ୟାଣ୍ଡରୁ ସୁନାର ଆମଦାନୀରେ ହ୍ରାସ ହୋଇଛି, ଯେଉଁଥିରେ ସମୁଦାୟ ଆମାଦାନୀ ୩୨.୩୩ ପ୍ରତିଶତ ଖସି ୧.୫୨ ବିଲିୟନ ଡଲାର ହୋଇଛି। 

ଅବଶ୍ୟ ଆମେରିକା (୦.୪ ପ୍ରତିଶତ), ୟୁଏଇ (୧୮ ପ୍ରତିଶତ), ଇରାକ (୫୮.୬୮ ପ୍ରତିଶତ), ଇଣ୍ଡୋନେସିଆ (-୨୩.୩୬ ପ୍ରତିଶତ), ଦକ୍ଷିଣ କୋରିଆ (୧୩ ପ୍ରତିଶତ) ଏବଂ ସିଙ୍ଗାପୁର (୮.୭୮ ପ୍ରତିଶତ) ଦେଖିବାକୁ ମିଳିଛି। ସମୁଦାୟ କଥା କହି‌ଲେ ୧୦ ଦେଶ ଭାରତର ୬୧ ପ୍ରତିଶତରୁ ଅଧିକ ଆମଦାନୀ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.