ବିବାହିତ ମହିଳାଙ୍କୁ ଚାକିରି ମନା: ରିପୋର୍ଟରେ ଖୁଲାସା ପରେ କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | June 26, 2024 IST

ନୂଆଦିଲ୍ଲୀ: ବିବାହିତ ମହିଳାଙ୍କୁ ଚାକିରି ଦେଉ ନାହିଁ ଭାରତରେ ଥିବା ଆଇଫୋନ୍ ଆସେମ୍ବଲ ପ୍ଲାଣ୍ଟ ଫକ୍ସକନ। ଅନ୍ତର୍ଜାତୀୟ ଗଣମାଧ୍ୟମ ରୟଟର୍ସର ରିପୋର୍ଟକୁ ଆଧାର କରି ବିଜନେସ ଖବର ଦେଉଥିବା ଇଂରାଜୀ ୱେବ୍‌ସାଇଟ୍‌ ‘ଲାଇଭମିଣ୍ଟ’ ଏହି ରିପୋର୍ଟ ପ୍ରକାଶ କରିଛି। ଫକ୍ସକନ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ବିବାହିତା ମହିଳାଙ୍କୁ ଚାକିରି ଦେବାରୁ ବିରତ ରହୁଛି ବୋଲି ରୟଟର୍ସ କହିଛି। ତେବେ ୨୦୨୨ରେ କମ୍ପାନୀ ନିଯୁକ୍ତି ପ୍ରକ୍ରିୟାରେ ସମସ୍ୟା ହୋଇଥିଲା ବୋଲି ଫକ୍ସକନ ଓ ଆପଲ ସ୍ୱୀକାର କରିବା ଓ ଏହାର ସମାଧାନ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ୨୦୨୩-୨୪ରେ ଚେନ୍ନାଇର ଶ୍ରୀପେରୁମ୍ବୁଦୁରରେ ଥିବା ପ୍ଲାଣ୍ଟରେ ଏଭଳି ବେଦଭାବ ହୋଇଥିବା ରିପୋର୍ଟକୁ ଦୁଇ କମ୍ପାନୀ ଅସ୍ୱୀକାର କରିଛି। 

ବିବାହିତ ମହିଳାଙ୍କୁ କାହିଁକି ଚାକିରି ଦେଉ ନାହିଁ ଫକ୍ସକନ?

ଅବିବାହିତ ମହିଳାଙ୍କ ଅପେକ୍ଷା ବିବାହିତ ମହିଳାଙ୍କର ପରିବାର ପ୍ରତି ଅଧିକ ଦାୟିତ୍ୱ ଥାଏ। ଏଥିପାଇଁ ସେମାନଙ୍କର ଅଫିସିଆଲ ଡ୍ୟୁଟିରେ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଫକ୍ସକନ ଭାବୁଛି। ରୟଟର୍ସକୁ ସାକ୍ଷାତ୍‌କାର ଦେଇ ଫକ୍ସନ ଇଣ୍ଡିଆର ପୂର୍ବଚନ ଏଚ୍‌ଆର ଏ. ପଲ କହିଛନ୍ତି ଯେ ବିବାହିତ ମହିଳାଙ୍କୁ ଚାକିରି ଦେଲେ ଅଧିକ ରିକ୍ସ ଥାଏ। ସାଂସ୍କୃତିକ ପ୍ରସଙ୍ଗ ଓ ସାମାଜିକ ଚାପ ଯୋଗୁ ଫକ୍ସକନ ବିବାହିତ ମହିଳାଙ୍କୁ ନିଯୁକ୍ତି ଦିଆଯା ନାହିଁ। କାରଣ କମ୍ପାନୀ ଭାବେ ଯେ ବିବାହ ପରେ ମହିଳାଙ୍କର ଏକାଧିକ ସମସ୍ୟା ରହିଛି। ଯେମିତିକି ବିବାହ ପରେ ମହିଳାଙ୍କର ପିଲା ସମସ୍ୟା ବୋଲି ପଲ୍ କହିଛନ୍ତି। 

କେବଳ ପଲ୍ ନୁହଁନ୍ତି, ଭାରତରେ ଫକ୍ସନରେ ନିଯୁକ୍ତି ଦେଉଥିବା ଏକାଧିକ ଏଜେନ୍ସିର ୧୭ ଜଣ କର୍ମଚାରୀ ଓ ୪ ପୂର୍ବତନ ଓ ବର୍ତ୍ତମାନ ଏଚ୍‌ଆର୍ ଏକ୍‌ଜିକ୍ୟୁଟିଭ୍‌ ଏହି ଦାବିକୁ ସ୍ୱୀକାର କରିଛନ୍ତି। ବିବାହିତ ମହିଳାଙ୍କର ଅତ୍ୟଧିକ ପାରିବାରିକ ଦାୟିତ୍ୱ, ଅଧିକ ଛୁଟି ଓ ସେମାନଙ୍କର ପିନ୍ଧିଥିବା ଆଭୂଷଣରେ ମୋବାଇଲ୍ ଉତ୍ପାଦନରେ କ୍ଷତି ଆଦି କାରଣରୁ ଚେନ୍ନାଇ ପ୍ଲାଣ୍ଟ ସେମାନଙ୍କୁ ନିଯୁକ୍ତି ଦିଆଯାଉ ନାହିଁ ବୋଲି ରୟଟର୍ସ ଖବର ପ୍ରକାଶ କରିଛି। ତେବେ ବିବାହିତ ମହିଳାଙ୍କୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇ ନାହିଁ। ରୟଟର୍ସର ଗବେଷଣାରେ ଜଣାପଡ଼ିଛି ଯେ ନିଯୁକ୍ତି ଏଜେନ୍ସିଗୁଡିକ ବିବାହିତ ମହିଳାଙ୍କୁ ସହଯୋଗ କରିବା ପାଇଁ ବିବାହ କଥାକୁ ଲୁଚାଇବାରେ ସହଯୋଗ କରନ୍ତି। ତେବେ ହାଇ ପ୍ରଡକ୍ସନ ପିରିଡ଼ିୟଡ ସମୟରେ ଯେତେବେଳେ ଅଧିକ ଶ୍ରମିକଙ୍କ ଆବଶ୍ୟକତା ପଡ଼ିଥାଏ ସେତେବେଳେ କମ୍ପାନୀ ଏହି ନିୟମରେ କୋହଳ କରିଥାଏ। ଓ ବିବାହିତ ମହିଳାଙ୍କୁ ନିଯୁକ୍ତି ମିଳିଥାଏ ବୋଲି ଫକ୍ସକନ ୩ ପୂର୍ବତନ ଏଚ୍‌ଆର କହିଛନ୍ତି।

ତେବେ ଆପଲ  ଓ ଫକ୍ସକନ ରୟଟର୍ସର ଏହି ରିପୋର୍ଟକୁ ଅସ୍ୱୀକାର କରିଛି। କିଛି ବିବାହିତ ମହିଳା ଫକ୍ସକନରେ କାମ କରୁଛନ୍ତି ବୋଲି ଆପଲ କହିଛି।  ୨୦୨୨ରେ ଥିବା ସମସ୍ୟା ଜାଣିବା ପରେ ଆମେ ତୁରନ୍ତ ଆକ୍ସନ ନେଇଥିଲୁ। ଭାରତର ଆମର ସମସ୍ତ ସପ୍ଲାୟର ବିବାହିତ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଆପଲ କହିଛି। ଫକ୍ସକନ ମଧ୍ୟ ଲିଙ୍ଗ ଆଧାରରେ କିମ୍ବା ବିବାହିତ ଆଧାରରେ କୌଣସି ଭେଦଭାବ ହେଉଥିବା ଘଟଣାକୁ ଅସ୍ୱୀକାର କରିଛି। ନୂଆ ନିଯୁକ୍ତିରେ ୨୫ ପ୍ରତିଶତ ମହିଳା ବିବାହିତ ବୋଲି କମ୍ପାନୀ କହିଛି। 

ଆକ୍ସନରେ କେନ୍ଦ୍ର ସରକାର

ରୟଟର୍ସ ରିପୋର୍ଟ ପ୍ରକାଶ ପାଇବା ପରେ ବୁଧବାର କେନ୍ଦ୍ର ସରକାର ଏନେଇ ପଦକ୍ଷେପ ନେଇଛନ୍ତି। ଫକ୍ସକନ କମ୍ପାନୀରେ ଏମିତି ଭେଦଭାବ ହେଉଛି କି ନା ସେ ବିଷୟରେ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ କେନ୍ଦ୍ର ସରକାର ତାମିଲନାଡୁକୁ ନିର୍ଦ୍ଦେଶ ଦେଇଛନ୍ତି।  କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ପକ୍ଷରୁ ସମାନ ପାରିଶ୍ରମିକ ଧାରା ୧୯୭୬ ମସିହା ଆଧାରରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।  ଏହି ନିୟମରେ କୌଣସି ଭେଦଭାବ ହେବ ନାହିଁ ବୋଲି ସ୍ପଷ୍ଟ କୁହାଯାଇଛି। ସରକାରଙ୍କ ପଦକ୍ଷେପକୁ ନେଇ ଆପଲ ଓ ଫକ୍ସକନ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.