ସର୍ବକାଳୀନ ଉଚ୍ଚତମ ସ୍ତରରେ ସେୟାର ବଜାର, ସେନସେକ୍ସ ୭୮୦୫୩ ଓ ନିଫ୍ଟି ୨୩ ୭୨୧ ଲେବୁଲରେ ବନ୍ଦ

Published By : Prameya-News7 Bureau | June 25, 2024 IST

ମୁମ୍ବାଇ ୨୫।୬: ସେୟାର ବଜାର ୨୫ ଜୁନ ମଙ୍ଗଳବାର ସର୍ବକାଳୀନ ଉଚ୍ଚତମ ସ୍ତରକୁ ଛୁଇଁଛି। କାରବାର କାଳରେ ସେନସେକ୍ସ ୭୮,୦୬୬ ଓ ନିଫ୍ଟି ୨୩,୭୧୫ସ୍ତରକୁ ପହଞ୍ଚିଛି। କାରବାର ଶେଷରେ ସେନସେକ୍ସ ୭୧୨ ପଏଣ୍ଟ ଉପରକୁ ଉଠି ୭୮,୦୫୩ବନ୍ଦ ହୋଇଥିବା ବେଳେ ନିଫ୍ଟିରେ ୧୮୩ ପଏଣ୍ଟ ବୃଦ୍ଧି ହୋଇଛି। ଦିନ ତମାମ କାରବାରରେ ବ୍ୟାଙ୍କିଙ୍ଗ ସେୟାର ବେଶ ଅଭିବୃଦ୍ଧି ହାସଲ କରିଛି। ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ ଏସବିଆଇ ସେୟାର ମୂଲ୍ୟରେ ୨.୫ ପ୍ରତିଶତ ବୃଦ୍ଧି ହୋଇଛି। 

ତେବେ କାରବାର କାଳରେ ମେଟାଲ, ଅଟୋ ଓ ଏନର୍ଜୀ ସେୟାର ଚାପରେ ଥିବା ଦେଖିବାକୁ ମିଳିଛି। ବ୍ୟଙ୍କିଙ୍ଗ ସେୟାରର ଅଭିବୃଦ୍ଧିକୁ ମାର୍କେଟର ସମର୍ଥନ ମିଳିଛି। ଏକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ସେୟାର ୨.୫୦ ପ୍ରତିଶତ ବୃଦ୍ଧିରେ କାରବାର କରିଛନ୍ତି। ସେହିପରି ଏଲଟି ଓ ଅଲ୍ଟ୍ରାଟେକ୍ ସିମେଣ୍ଟ ମଧ୍ୟ ବଜାରକୁ ବଢାଇଛନ୍ତି। ତେବେ କେବଳ ଭାରତ ନୁହେଁ ଏସିୟ ବାଜରରେ ମଙ୍ଗଳବାର ଅଭିବୃଦ୍ଧି ଦେଖାଯାଇଛି। 

ଜାପାନର ନିକ୍କେଇରେ ୦.୬୮ ପ୍ରତିଶତ ବୃଦ୍ଧି ଦେଖାଯାଇଥିବା ବେଳେ ଦକ୍ଷିଣ କୋରିଆ କୋସ୍ପିରେ ୦.୪୩ ପ୍ରତିଶତ ଅଭିବୃଦ୍ଧି ଦେଖାଯାଇଛି। ଏଥିରେ ହଙ୍ଗକଙ୍ଗର ହେଙ୍ଗସେଙ୍ଗ ଇଣ୍ଡେକ୍ସରେ ୦.୪୫ ପ୍ରତିଶତ ବୃଦ୍ଧି ଦେଖାଯାଇଛି। ଏହା ପୂର୍ବରୁ ସୋମବାର ଅର୍ଥାତ ଜୁନ ୨୪ ତାରିଖରେ ଫରେନ ଇନଷ୍ଟିଚ୍ୟୁସନାଲ ଇନଭେଷ୍ଟର୍ସ (ଏଫଆଇଆଇଏସ) ୮୨୦.୪୭ କୋଟିର ସେୟାର ବିକ୍ରି କରିଥିଲେ। ଏହି ସମୟରେ ଡୋମେଷ୍ଟିକ୍ ଇନଷ୍ଟିଚ୍ୟୁସନାଲ ଇନଭେଷ୍ଟର୍ସ (ଡିଆଇଆଇ) ମଧ୍ୟ ୬୫୩.୯୭ କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ। 

ସୋମବାର ଆମେରିକା ସେୟାର ବଜାରରେ କାରବାର ମିଶ୍ରିତ ଥିଲା। ଏସଆଣ୍ଡପି-୫୦୦ରେ ୧୬.୭୫ ପଏଣ୍ଟ ଓ ନାସଦାକରେ ୧୯୨.୫୪ ପଏଣ୍ଟ ହ୍ରାସ ଦେଖାଯାଇଥିଲା। ତେବେ ଡାଓଜୋନ୍ସ ୨୬୦.୮୮ ପଏଣ୍ଟ ଅଭିବୃଦ୍ଧି ହାସଲ କରିଥିଲା। ଏହା ପୂର୍ବରୁ ଜୁନ ୨୪ରେ ଭାରତୀୟ ସେୟାର ବଜାରରେ ଅଭିବୃଦ୍ଧି ସାମାନ୍ୟ ଥିଲା। ସେନସେକ୍ସ ୧୩୧ ପଏଣ୍ଟ ବୃଦ୍ଧି ସହ ୭୭,୩୪୧ ସ୍ତରକୁ ପହଞ୍ଚିଥିବା ବେଳେ ନିଫ୍ଟିରେ ୩୬ ପଏଣ୍ଟ ବୃଦ୍ଧି ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.