ସୀମା ପାର୍ ମହଙ୍ଗା ବଜାର: କନ୍ଦାଉଛି ପିଆଜ, ପନିପରିବା ଠାରୁ ଆରମ୍ଭ ଡାଲି ଓ ତେଲ ସବୁ ଆକାଶ ଛୁଆଁ

Published By : Prameya-News7 Bureau | September 27, 2024 IST

ନୂଆଦିଲ୍ଲୀ: ପାର୍ବଣ ସମୟରେ ଖାଇବା ତେଲର ଦାମ ଲୋକଙ୍କ ବଜେଟ୍‌କୁ ବିଗାଡ଼ି ଦେଇଛି। ସରକାରୀ ଆକଳନ ଅନୁସାରେ ଗତ ମାସେ ମଧ୍ୟରେ ସୋରିଷ ତେଲ ଦାମରେ ୯.୧୦ ପ୍ରତିଶତ ଓ ପାମ ତେଲ ଦାମ ୧୪.୧୬ ପ୍ରତିଶତ ବଢିଛି। ଅନ୍ୟପଟେ ରିଟେଲ ମାର୍କେଟ୍ ଓ ଅନ୍‌ଲାଇନ୍ ଗ୍ରୋସରୀ କମ୍ପାନୀ ପୋର୍ଟାଲ୍‌ରେ ସୋରିଷ ତେଲ ଦାମରେ ୨୬ ପ୍ରତିଶତ ବୃଦ୍ଧି କରିଛନ୍ତି। 

ଦେଶରେ ଖାଇବା ତେଲ ଭାବରେ ସୋରିଷ ତେଲ ଅଧିକ ବ୍ୟବହାର କରାଯାଇଥାଏ। ମାସକ ପୂର୍ବରୁ ଅନ୍‌ଲାଇନ୍ ଗ୍ରୋସରୀ ପୋର୍ଟାଲରେ ସୋରିଷ ତେଲର ଦାମ କିଲୋଗ୍ରାମ ପିଛା ୧୩୯ ଟଙ୍କାରେ ବିକ୍ରି ହେଉଥିଲା। ଏବେ ଏହା ୧୭୬ ଟଙ୍କାରେ ବିକ୍ରି ହେଉଛି। ଅର୍ଥାତ୍ ଗୋଟିଏ ମାସରେ ସୋରିଷ ତେଲ ମୂଲ୍ୟରେ ୨୬.୬୧ ପ୍ରତିଶତ ବୃଦ୍ଧି ପାଇଛି। 

ସେହିପରି ସରକାରୀ ଡାଟା କଣ କହୁଛି ଦେଖନ୍ତୁ। ଡିପାର୍ଟମେଣ୍ଟ ଅଫ୍ କଞ୍ଜ୍ୟୁମର ଆଫେୟାର୍ସର ପ୍ରାଇସ ମନିଟରିଂ ଡିଭିଜନର ଡାଟା ଅନୁସାରେ, ୨୫ ଅଗଷ୍ଟ ୨୦୨୪ରେ ସୋରିଷ ତେଲ ଦାମ ୧୩୯.୧୯ ଟଙ୍କା ଥିଲା। ବର୍ତ୍ତମାନ ଏହା ୧୫୧.୮୫ ଟଙ୍କାରେ ବିକ୍ରି ହେଉଛି। 

ଦେଶର ବିଭିନ୍ନ ସହରରେ ଯଦି ତେଲ ମୂଲ୍ୟକୁ ଦେଖିବା ତେବେ ଭୁବନେଶ୍ୱରରେ ସୋରିଷ ତେଲ କେଜି ପ୍ରତି ୧୭୦ରୁ ୮୦ ଟଙ୍କା ଭିତରେ ବିକ୍ରି ହେଉଥିବା ବେଳେ ମୁମ୍ବାଇରେ ୧୮୩ ଟଙ୍କା, ଦିଲ୍ଲୀରେ ୧୬୫ ଟଙ୍କା, କୋଲକାତାରେ ୧୮୧, ଚେନ୍ନାଇରେ ୧୬୭ ଟଙ୍କା ଏବଂ ରାଞ୍ଚିରେ ୧୬୩ ଟଙ୍କାରେ ବିକ୍ରି ହେଉଛି। ଖାଲି ସୋରିଷ ତେଲ ନୁହେଁ ସନଫ୍ଲାୱାର, ସୋୟାବିନ ଓ ପାମ ତେଲର ଦାମ ବି ବଢ଼ିଛି। ଭୁବନେଶ୍ୱରରେ ରିଫାଇନ୍‌ ତେଲ ଦର ପୂର୍ବରୁ ୯୦ରୁ ୧୦୦ରେ ବିକ୍ରି ହେଉଥିବା ବେଳେ ଏବେ ୧୨୦ ଟଙ୍କାରେ ପହଞ୍ଚିଛି । ସୂର୍ଯ୍ୟମୁଖୀ ତେଲ ୧୨୨ ଓ ପାମୋଲିନ୍‌ ତେଲ ୧୦୭ ଟଙ୍କାରେ ବିକ୍ରି ହେଉଛି। ସେହିପରି ବଡ଼ ସହଗୁଡ଼ିକରେ 
ସୂର୍ଯ୍ୟମୁଖୀ ବା ସନଫ୍ଲାୱାର ତେଲ ମାସକ ପୂର୍ବରୁ କେଜି ୧୧୯.୩୮ ଟଙ୍କାରେ ବିକ୍ରି ହେଉଥିଲା। ବର୍ତ୍ତମାନ ଏହା ୧୨୯.୮୮ ଟଙ୍କାରେ ବିକ୍ରି ହେଉଛି। ସେହିପରି ପାମ ତେଲ ଦାମ ୯୮.୨୮ ଟଙ୍କା ଥିବା ବେଳେ ବର୍ତ୍ତମାନ କେଜି ୧୧୨.୨ ଟଙ୍କାରେ ବିକ୍ରି କରାଯାଉଛି। ସୋୟା ତେଲର ମୂଲ୍ୟ ମଧ୍ୟ ମାସକ ମଧ୍ୟରେ ୧୧୭.୪୫ ରୁ ୧୨୭.୬୨ ଟଙ୍କାକୁ ବୃଦ୍ଧି ପାଇଛି। ବନସ୍ପତି ମୂଲ୍ୟ ୧୨୨.୦୪ ରୁ ୧୨୯.୦୪ ଟଙ୍କାକୁ ବୃଦ୍ଧି ପାଇଛି।

ଖାଇବା ତେଲର ଦାମ ଏମିତି ହୁ ହୁ ହୋଇ ବଢ଼ିବାର ମୁଖ୍ୟ କାରଣ ହେଉଛି କେନ୍ଦ୍ର ସରକାରଙ୍କ ଶୁଳ୍କ ବୃଦ୍ଧି। ସରକାର ଅଶୋଧିତ ସୋୟାବିନ୍ ତେଲ, ଅଶୋଧିତ ଖଜୁରୀ ତେଲ ଏବଂ ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ ଶୂନରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଥିଲେ। ଏବଂ ଖାଇବା ତେଲ ଉପରେ ୧୨.୫ ପ୍ରତିଶତରୁ ୩୨.୫ ପ୍ରତିଶତକୁ ଶୁଳ୍କ ବଢ଼ାଇଥିଲେ। ଯାହାର ପରିଣାମ ଏଇ ମହଙ୍ଗା ମାଡ଼।  

ଆମଦାନୀ ଶୁଳ୍କ ବଢ଼ାଇବା ପରେ ଭାରତୀୟ ରିଫାଇନର କମ୍ପାନୀମାନେ ୧ ଲକ୍ଷ ମେଟ୍ରିକ ଟନ୍ ପାମ ତେଲ ଅର୍ଡର ରଦ୍ଦ କରିଦେଇଛନ୍ତି। ଅକ୍ଟୋବର ଓ ଡିସେମ୍ବର ମଧ୍ୟରେ ଏହି ତେଲ ସବୁ ବିଦେଶରୁ ଆମଦାନୀ ହୋଇଥାନ୍ତା। ହେଲେ ଏବେ ଆମଦାନୀ ଶୁଳ୍କ ବଢ଼ିବା ପରେ କମ୍ପାନୀମାନେ ଲାଭ ଆଶାରେ ଆମଦାନୀ ବନ୍ଦ କରିଦେଇ ପୂର୍ବରୁ ଆମଦାନୀ କରିଥିବା ତେଲକୁ ଅଧିକ ଦାମ ଦେଇ ବିକିବେ ଓ ଲାଭ ପାଇବେ ବୋଲି ବ୍ୟବସାୟୀମାନେ କହିଛନ୍ତି। 

ଭାରତ ହାରାହାରି ୭ ଲକ୍ଷ ୫୦ ହଜାର ଟନ୍ ପାମ ତେଲ ଆମଦାନୀ କରିଥାଏ। ଏବେ ୧ ଲକ୍ଷ ଟନ୍ ବାତିଲ୍ କରିବା ମାସିକ ଆମଦାନୀର ପ୍ରାୟ ୧୩.୩% ହେବ। ଭାରତ ମୁଖ୍ୟତଃ ଇଣ୍ଡୋନେସିଆ, ମାଲେସିଆ ଏବଂ ଥାଇଲାଣ୍ଡରୁ ପାମ ତେଲ କିଣିଥାଏ। ସେହିପରି ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଆର୍ଜେଣ୍ଟିନା, ବ୍ରାଜିଲ, ଋଷିଆ ଓ ୟୁକ୍ରେନ୍ ଠାରୁ କିଣିଥାଏ। କିନ୍ତୁ ଏଥର ଭାରତରେ ପାମ ତେଲ ଚାଷ ଅଧିକ ହୋଇଛି। ଆସନ୍ତା ୬ ବର୍ଷରେ ପୂର୍ବ ଅପେକ୍ଷା ତିନିଗୁଣା ଉତ୍ପାଦନ ବଢ଼ିବ ଯିବ। ପାମ ଗଛ ଲଗାଇଲେ ୩-୪ ବର୍ଷ ଭିତରେ ପ୍ରଡକ୍ସନ ଆରମ୍ଭ ହୋଇଥାଏ। ଏଥର ଚାଷ ବଢ଼ିଛି ତେଣୁ ୨୦୩୦-୩୧ ସୁଦ୍ଧା ଭାରତରେ ପାମ ଉତ୍ପଦାନ ୧.୨ ରୁ ୧.୫ ମିଲିଅନ ମ୍ୟାଟ୍ରିକ୍ ଟନ୍ ହୋଇଯିବ ବୋଲି ଗଦ୍ରେଜ୍ ଏଗ୍ରୋଭେଟ୍ ଲିମିଟେଡ୍‌ର ସିଇଓ ସୌଗତ ନିୟୋଗୀ କହିଛନ୍ତି।

ଖାଇବା ତେଲର ମହଙ୍ଗା ସ୍ଥିତି ତ ଆପଣ ଦେଖିଲେ। ପନିପରିବାର ଦର ବି କିଛି କମ ନୁହେଁ। ବର୍ଷା ଯୋଗୁ ଫସଲ ନଷ୍ଟ ହେବା ଓ ସପ୍ଲାଏରେ ବାଧା ସୃଷ୍ଟି ହେବା ଯୋଗୁ ପନିପରିବା ଦରଦାମ ଆକାଶ ଛୁଆଁ ହୋଇଛି। ସବୁଠାରୁ ଅଧିକ କନ୍ଦାଉଛି ପିଆଜ। କାରଣ ଦାମ ଏବେ ୭୦ ପାର୍ କରିଛି। ସେହିପରି ଟମେଟୋ ସମେତ ଅନ୍ୟ ପରିବା ଦାମ ବି ବଢ଼ିଛି।

ବର୍ତ୍ତମାନ ଅଦା ଓ ରସୁଣ କେଜି ୪୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି କଞ୍ଚା ଲଙ୍କା କେଜି ୨୦୦, ପୋଟଳ ୮୦, କାଙ୍କଡ଼ ୬୦, ବାଇଗଣ ୬୦, ଜହ୍ନି ୫୦, କୋବି ୬୦ ଟଙ୍କାରେ ବିକ୍ରି ହେଉଛି। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ମେଟ୍ରୋ ସହରଗୁଡ଼ିକରେ  କ୍ୟାପସିକମ୍, ଲାଉ ଓ ପାଳଙ୍ଗ ଭଳି ସବୁଜ ପନିପରିବାର ମୂଲ୍ୟ କେଜି ୧୦୦ ଟଙ୍କାରେ ପହଞ୍ଚିଛି। ଫଳରେ ସାଧାରଣ ଲୋକଙ୍କ କିଚେନ୍ ମହଙ୍ଗା ହୋଇଛି। 

ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ଦିଲ୍ଲୀର ଆଜାଦପୁର ମଣ୍ଡିର ବ୍ୟବସାୟୀଙ୍କ କହିବା ଅନୁସାରେ, ପ୍ରବଳ ବର୍ଷା ଯୋଗୁ ପିଆଜ, ଟମାଟୋ ଏବଂ ସବୁଜ ପନିପରିବା ମୂଲ୍ୟ ବଢ଼ିଛି। ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ ଇତ୍ୟାଦି ପ୍ରମୁଖ ପନିପରିବା ଉତ୍ପାଦନକାରୀ ରାଜ୍ୟରେ ପ୍ରବଳ ବର୍ଷା ପାଇଁ ଉତ୍ପାଦନ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ରାସ୍ତା ନଷ୍ଟ ହୋଇଯିବାରୁ ରପ୍ତାନୀ ବାଧାପ୍ରାପ୍ତ ହୋଇଛି। ଏହିସବୁ କାରଣ ଯୋଗୁ ଦେଶରେ ପନିପରିବା ଦାମ ଆକାଶ ଛୁଆଁ ହୋଇଛି। 

କେବଳ ଖାଇବା ତେଲ ଓ ପନିପରିବା ଦାମ ନୁହେଁ ଡାଲି ଦର ମଧ୍ୟ ଅନୁରୂପ ଭାବେ ବଢ଼ିଛି। ଭୁବନେଶ୍ୱରରେ ଯେଉଁ ହରଡ଼ ଡାଲି କିଲୋ ପୂର୍ବରୁ ୧୬୦ରୁ ୧୬୫ ଟଙ୍କା ଥିଲା ତାହା ଏବେ ୧୭୦ ଟଙ୍କାରେ ପହଞ୍ଚିଛି। ସେହିପରି ମୁଗ ଡାଲି ୧୨୦ଟଙ୍କାରୁ ୧୩୦ ଛୁଇଁଥିବା ବେଳେ ମସୁରା ଡାଲି୧୦୦ରେ ବିକ୍ରି ହେଉଛି। ସେହିପରି ଚିନି ୪୬, ଅଟା ୪୭ରୁ ୪୨ ଟଙ୍କାରେ ବିକ୍ରି ହେଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.