ବାହାନା କରିବା ବନ୍ଦ କର, ଦାୟିତ୍ୱ ତୁଲାଅ; ହିନ୍ଦୁ ନେତାଙ୍କ ହତ୍ୟା ପରେ ବାଂଲାଦେଶ ସରକାରକୁ ଚେତାଇଲେ ଭାରତ ସରକାର

Published By : Prameya-News7 Bureau | April 19, 2025 IST

ନୂଆଦିଲ୍ଲୀ: ବାଂଲାଦେଶର ଦିନାଜପୁର ଜିଲ୍ଲାରେ ହିନ୍ଦୁ ନେତା ଭାବେଶ ଚନ୍ଦ୍ର ରାୟଙ୍କ ହତ୍ୟା ଉପରେ ଭାରତ ସରକାର କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ଭାରତ ସରକାର ଏହି ଘଟଣାକୁ ନିନ୍ଦା କରିବା ସହ ବାଂଲାଦେଶର ଅନ୍ତରୀଣ ସରକାରଙ୍କୁ ସଂଖ୍ୟାଲଘୁଙ୍କ ସୁରକ୍ଷା ଦାୟିତ୍ୱ ସଠିକ୍ ଭାବେ ତୁଲାଇବା ପାଇଁ କହିଛନ୍ତି । ଏହାସହ ବାଂଲାଦେଶ ସରକାର ନିଜ ଦାୟିତ୍ୱରୁ ତୁଲାଇବାରେ କୌଣସି ବାହାନା କରନ୍ତୁ ନାହିଁ ବୋଲି ମଧ୍ୟ କହିଛନ୍ତି ।

ବିଦେଶ ମନ୍ତ୍ରଣାଳୟ ମୁଖ୍ୟପାତ୍ର ରଣଧୀର ଜୟସୱାଲ ଏକ୍ସରେ ଲେଖିଛନ୍ତି, 'ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁ ନେତା ଶ୍ରୀ ଭାବେଶ ଚନ୍ଦ୍ର ରାୟଙ୍କ ଅପହରଣ ଓ କ୍ରୁର ହତ୍ୟାରେ ଆମେ ଦୁଃଖୀ ଅଛୁ । ଏହି ଘଟଣା ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଲଗାତାର ହେଉଥିବା ଅତ୍ୟାଚାରର ଅଂଶ ପରି ଅନୁଭବ ହେଉଛି, ଅନ୍ୟପଟେ ପୁରୁଣା ମାମଲାର ଦୋଷୀ ଏବେ ବି ଖୁଲମଖୁଲା ବୁଲୁଛନ୍ତି ।'

ରଣଧୀର ଜୟସୱାଲ ଲେଖିଛନ୍ତି, 'ଏହି ନୃଶଂସ ହତ୍ୟାର ନିନ୍ଦା କରୁଛୁ ଓ ବାଂଲାଦେଶର ଅନ୍ତରୀଣ ସରକାରଙ୍କୁ ପୁଣି ଥରେ ମନେ ପକାଇ ଦେଉଛୁ ଯେ ବିନା କୌଣସି ବାହାନା କିମ୍ୱା ଭେଦଭାବରେ ହିନ୍ଦୁଙ୍କ ସମେତ ସବୁ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବାର ନିଜ ଦାୟିତ୍ୱ ନିର୍ବାହ କରନ୍ତୁ ।'

ଦ ଡେଲି ଷ୍ଟାର୍ ରିପୋର୍ଟ ଅନୁସାରେ ଢାକାରୁ ପ୍ରାୟ ୩୩୦ କିଲୋମିଟର ଉତ୍ତର-ପଶ୍ଚିମରେ ଦିନାଜପୁରର ବସୁଦେବପୁର ଗାଁର ଭାବେଶଙ୍କ ମୃତ ଦେହ ଗୁରୁବାର ରାତିରେ ମିଳିଥିଲା । ରାୟଙ୍କ ପତ୍ନୀ ଶାନ୍ତନା କହିଥିଲେ ଯେ ଦୁଇଟି ବାଇକରେ ଚାରି ଜଣ ଦୁର୍ବୃତ୍ତ ଘରକୁ ଆସିଥିଲେ ଓ ଭାବେଶଙ୍କୁ ଅପହରଣ କରି ନେଲେ । ରାୟଙ୍କୁ ନାରାବରୀ ଗାଁକୁ ନିଆଗଲା ଏବଂ ସେଠାରେ ଅତି ନିର୍ମତାର ସହ ମାରପିଟ୍ କରାଗଲା । ଭାବେଶ ରାୟ ବାଂଲାଦେଶରେ ପୂଜା ଅଧ୍ୟାପନ ପରିଷଦର ଉପାଧ୍ୟକ୍ଷ ଓ ଜଣେ ପ୍ରମୁଖ ହିନ୍ଦୁ ନେତା ଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.