ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ହିଂସା ନେଇ ବାଂଲାଦେଶ ପ୍ରତିକ୍ରିୟା ଦେବା ପରେ ଏହାର କଡ଼ା ଜବାବ ଦେଇଛି ଭାରତ। ଏହା ବାଂଲାଦେଶର କପଟିପଣ ବୋଲି କହିବା ସହିତ ନିଜ ଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ଘଟଣା ଘୋଡ଼ାଇବା ପାଇଁ ବାଂଲାଦେଶ ଏଭଳି ବୟାନ ଦେଇଛି ବୋଲି ଭାରତ କହିଛି। ଗୁରୁବାର ଦିନ, ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ପ୍ରେସ୍ ସଚିବ ପଶ୍ଚିମବଙ୍ଗରେ ଘଟିଥିବା ହିଂସାକାଣ୍ଡକୁ ନେଇ ପ୍ରତିକ୍ରିୟା ଦେଇଥିଲେ। ଏନେଇ ସେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ସଂଖ୍ୟାଲଘୁ ମୁସଲିମ ସମ୍ପ୍ରଦାୟକୁ ସୁରକ୍ଷା ଦେବାକୁ ଆହ୍ୱାନ କରିଥିଲେ। ଭାରତ ପକ୍ଷରୁ ଏହାର ପ୍ରତିକ୍ରିୟା ଆସିଛି। ବାଂଲାଦେଶର ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରି, ବୈଦେଶିକ ମନ୍ତ୍ରଣାଳୟ (MEA) ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ବାଂଲାଦେଶ ଅଯଥା ମନ୍ତବ୍ୟ ଦେବା ପରିବର୍ତ୍ତେ ନିଜ ସଂଖ୍ୟାଲଘୁଙ୍କ ଅଧିକାର ସୁରକ୍ଷା ଉପରେ ଧ୍ୟାନ ଦେବା ଉଚିତ ବୋଲି କହିଛନ୍ତି।
ଜୟସ୍ୱାଲ କହିଛନ୍ତି ଯେ ପଶ୍ଚିମବଙ୍ଗର ଘଟଣା ସମ୍ପର୍କରେ ବାଂଲାଦେଶୀ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ। ଏହା ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଚାଲିଥିବା ନିର୍ଯାତନା ଉପରେ ଭାରତର ଚିନ୍ତାର ପ୍ରତି ଜବାବରେ ବାଂଲାଦେଶ ଏପରି କପଟପୂର୍ଣ୍ଣ ମନ୍ତବ୍ୟ ଦେଉଛି। ବାଂଲାଦେଶରେ ଅପରାଧୀମାନେ ଅପରାଧ କରି ଖଲୋଖୋଲି ବୁଲୁଛନ୍ତି ବୋଲି ଜୟସୱାଲ କହିଛନ୍ତି। ସେ ଆହୁରି କହିଛନ୍ତି ଅନାବଶ୍ୟକ ମନ୍ତବ୍ୟ ଦେବା ଏବଂ ଅଯଥା ସଦଭାବନାର ସଙ୍କେତ ଦେବା ପରିବର୍ତ୍ତେ, ବାଂଲାଦେଶ ନିଜର ସଂଖ୍ୟାଲଘୁଙ୍କ ଅଧିକାର ସୁରକ୍ଷା ଉପରେ ଧ୍ୟାନ ଦେଲେ ଭଲ ହେବ।”
ବାଂଲାଦେଶରେ ଅତ୍ୟାଚାର ଶିକାର ସଂଖ୍ୟାଲଘୁ
ଗତ ବର୍ଷ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଗାଦିଚ୍ୟୁତ କରିବା ପରଠାରୁ ବାଂଲାଦେଶର ପରିସ୍ଥିତି ଅସ୍ଥିର ରହିଛି। ବାଂଲାଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କ ଉପରେ ମୌଳବାଦୀ ଇସଲାମବାଦୀମାନେ ଅନେକ ଆକ୍ରମଣ କରିଛନ୍ତି। ପ୍ରାୟ ୨୦୦ ମନ୍ଦିର ଭଙ୍ଗାରୁଜା କରାଯାଇଛି ଏବଂ ପୂଜାରୀମାନଙ୍କୁ ଗିରଫ କରାଯାଇଛି।
ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଅବସ୍ଥା ବିଷୟରେ ଭାରତ ବିଭିନ୍ନ କୂଟନୈତିକ ସ୍ତରରେ ବାରମ୍ବାର ଉଠାଇବାକୁ ଚେଷ୍ଟା କରିଛି। ହେଲେ ବାଂଲାଦେଶ ଭାରତର ଚିନ୍ତାକୁ ଖଣ୍ଡନ କରିବା ସହିତ ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେଉନି ବୋଲି କହିଛନ୍ତି। ଏହାସତ୍ତ୍ୱେ ବି ବାଂଲାଦେଶରେ ହିନ୍ଦୁ ମନ୍ଦିରକୁ ଅପବିତ୍ର କରିବା ଏବଂ ଧାର୍ମିକ ପର୍ବ ସମୟରେ ଆକ୍ରମଣ ସମେତ ସାମ୍ପ୍ରତିକ ଘଟଣାଗୁଡ଼ିକୁ ମାନବାଧିକାର ଗୋଷ୍ଠୀ ଏବଂ ପ୍ରବାସୀ ସମ୍ପ୍ରଦାୟଙ୍କ ତୀବ୍ର ସମାଲୋଚନା କରୁଛନ୍ତି।