ନୂଆଦିଲ୍ଲୀ: ଯେସାକୁ ତେସା ନୀତିରେ ବାଂଲାଦେଶକୁ କଡ଼ା ଜବାବ ଦେଇଛି ଭାରତ। ସୀମା ବିବାଦ ନେଇ ଗତକାଲି ବାଂଲାଦେଶ ଭାରତୀୟ ଉଚାୟୁକ୍ତ ପ୍ରଣୟ ବର୍ମାଙ୍କୁ ସମନ କରିଥିଲା। ଆଉ ଆଜି(୧୩ ଜାନୁଆରୀ ୨୦୨୫) ଠିକଣା ଜବାବ ଦେଇ ଭାରତ ବାଂଲାଦେଶ ଉଚ୍ଚାୟୁକ୍ତ ନୁରୁଲ ଇସ୍ଲାମଙ୍କୁ ସମନ କରିଛି।
ନ୍ୟୁଜ ଏଜେନ୍ସି ଏଏନ୍ଆଇର ରିପୋର୍ଟ ଅନୁସାରେ, ନୁରୁଲ ଇସ୍ଲାମ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଠାରୁ ସମନ ପାଇବା ପରେ ତୁରନ୍ତ ସାଉଥ ବ୍ଲକ୍ରୁ ମନ୍ତ୍ରଣାଳୟ କାର୍ଯ୍ୟାଳୟ ଆସିଥିବ ସୂଚନା ମିଳିଛି।
ଶେଖ ହସିନାଙ୍କ ସରକାରର ପତ୍ତନ ପରେ ବାଂଲାଦେଶରେ ଚରମପନ୍ଥୀ କାର୍ଯ୍ୟକଳାପ ବଢ଼ି ଯିବାରୁ ସୁରକ୍ଷା ଦୃଷ୍ଟିରୁ ଭାରତ ନିଜ ସୀମାର ୫ଟି ସ୍ଥାନରେ ତାରବାଡ଼ ବସାଉଥିଲା। ବାଂଲାଦେଶ ଏହାକୁ ନେଇ ଆପତ୍ତି ଉଠାଇଥିଲା। ଏହା ଉଭୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିର ଉଲ୍ଲଂଘନ ବୋଲି ବାଂଲାଦେଶ ଅଭିଯୋଗ କରିଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ି ଯାଇଛି।
ଭାରତ ସହିତ ବାଂଲାଦେଶର ମୋଟ ୫ଟି ସ୍ଥାନରେ ବିବାଦ ରହିଛି ବୋଲି ବାଂଲାଦେଶ ଗୃହ ବ୍ୟାପାର ପରାମର୍ଶଦାତା, ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଜାହାଙ୍ଗୀର ଆଲମ ଚୌଧୁରୀ କହିଛନ୍ତି। (ଉତ୍ତରପଶ୍ଚିମ) ଚାପାଇନବାବଗଞ୍ଜ, ନାଓଗାଓଁ, ଲାଲମୋନିରହାଟ ଏବଂ ଟିନ୍ ବିଘା କରିଡର ଅଞ୍ଚଳରେ ବିବାଦ ରହିଛି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।
Read More: ସୀମାରେ ଉତ୍ତେଜନା: ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସମନ କଲେ ବାଂଲାଦେଶ ସରକାର
ସେ ଆହୁରି କହିଛନ୍ତି ଯେ ଭାରତ-ବାଂଲାଦେଶ ସୀମାରେ ଅନେକ ସମସ୍ୟା ଉପୁଜିଛି। ଏସବୁ ପୂର୍ବ ସରକାର(ଶେଖ ହସିନା ସରକାର)ରେ ହୋଇଥିବା ଭୁଲ ଚୁକ୍ତି ଯୋଗୁ ହେଉଛି।" ଏନେଇ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ସମାଲୋଚନା କରିଛନ୍ତି।
ଶେଖ ହସିନାଙ୍କ ନେତୃତ୍ୱାଧୀନ ସରକାରଙ୍କ ଅନୁଚିତ ଚୁକ୍ତିନାମା ଯୋଗୁ ୨୦୧୦ ରୁ ୨୦୨୩ ମଧ୍ୟରେ ୧୬୦ ଟି ସ୍ଥାନରେ ବାଡ଼ ଦେବା ନେଇ ବିବାଦ ସୃଷ୍ଟି ହେଉଛି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।
ସେପଟେ ବାଂଲାଦେଶ ସମନ ପରେ ଭାରତୀୟ ଉଚ୍ଚାୟୁକ୍ତ ଗତକାଲି ତାଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହିତ ଆଲୋଚନା କରିଥିଲେ। ଆଲୋଚନା ପରେ ମିଡିଆକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ ସୁରକ୍ଷା ପାଇଁ ସୀମାରେ ବାଡ଼ ଦେବା ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ବୁଝାମଣା ରହିଛି।"
ଶ୍ରୀ ବର୍ମା କହିଥିଲେ "ଆମ ଦୁଇ ଦେଶର ସୀମା ସୁରକ୍ଷା ବାହିନୀ - ବିଏସଏଫ ଏବଂ ବିଜିବି ଏ ସମ୍ପର୍କରେ ପରସ୍ପର ସହିତ ଯୋଗାଯୋଗରେ ଅଛନ୍ତି। ଆମେ ଆଶା କରୁଛୁ ଯେ ଉଭୟଙ୍କ ମଧ୍ୟରେ ଉଚିତ ବୁଝାମଣା ହୋଇ ଏହାକୁ କାର୍ଯ୍ୟକାରୀ କରାଯିବ। ଏବଂ ସୀମାରେ ଅପରାଧର ମୁକାବିଲା ପାଇଁ ଏକ ସହଯୋଗପୂର୍ଣ୍ଣ ଆଭିମୁଖ୍ୟ ଦୁଇ ଦେଶଙ୍କ ମଧ୍ୟରେ ରହିବ।”