ଟିମ୍‌ ଇଣ୍ଡିଆ ପାଇଁ ଲକି ଚେପକ୍‌ ! ଜାଣନ୍ତୁ ଷ୍ଟାଡିୟମରେ ପ୍ଲେୟରଙ୍କ ରେକର୍ଡ ଇତିହାସ

Published By : Prameya-News7 Bureau | September 18, 2024 IST

ନୂଆଦିଲ୍ଲୀ ୧୮।୦୯:  ଟିମ୍‌ ଇଣ୍ଡିଆ ୧୯ ନଭେମ୍ବରରେ ବାଲାଂଦେଶ ବିପକ୍ଷରେ ଖେଳିବ ଟେଷ୍ଟ ମ୍ୟାଚ୍‌ ।  ଚେନ୍ନାଇର ଚିଦାମ୍ବରମ୍‌ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଉଭୟ ଟିମ୍‌ । ଚେପକରେ ଜିତିବ ଟିମ୍‌ ଇଣ୍ଡିଆ । ଏକଥା ଆମେ କହୁନୁ, ଏକଥା ରେକର୍ଡ କହୁଛି । ବାସ୍ତବରେ ଚେପକ୍ ସହ ଟିମ୍ ଇଣ୍ଡିଆର ସମ୍ପର୍କ ବହୁତ ଲମ୍ବା । ୧୯୫୨ରେ ଭାରତ ଇଂଲଣ୍ଡ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଚେପକରେ ଜିତିଥିଲା । ଯାହା ଭାରତୀୟ କ୍ରିକେଟ୍ ଇତିହାସର ଏକ ମାଇଲଖୁଣ୍ଟ । ଏହି ଗ୍ରାଉଣ୍ଡରେ ଭାରତ ମଧ୍ୟ ଟେଷ୍ଟ କ୍ରିକେଟ୍ ଇତିହାସରେ ସବୁଠାରୁ ବଡ ସ୍କୋର କରିଛି । 

ବର୍ତ୍ତମାନ ପର୍ଯ୍ୟନ୍ତ ଚେପକରେ ଖେଳାଯାଇଛି ୩୪ଟି ଟେଷ୍ଟ ମ୍ୟାଚ୍ । ଏହି ସମୟରେ ଟିମ୍‌ ଇଣ୍ଡିଆ ୧୫ଟି ମ୍ୟାଚ୍‌ ଜିତିଥିବା ବେଳେ ୭ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି ।  ସେହିପରି ୧୧ଟି ମ୍ୟାଚ ଡ୍ର ହୋଇଥିବା ବେଳେ ଗୋଟିଏ ମ୍ୟାଚ୍ ଟାଇରେ ଶେଷ ହୋଇଥିଲା । ତେବେ ସବୁଠାରୁ ଖାସ୍‌ କଥା ହେଉଛି ଚେପକ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍‌ ମ୍ୟାଚ୍‌ ଜିତିଥାଏ । ଚେପକରେ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍‌ ୧୩ଟି ଟେଷ୍ଟ ମ୍ୟାଚ୍ ଜିତିଛି । ୨୦୨୧ରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ଖେଳିଥିଲା ଏହାର ଶେଷ ଟେଷ୍ଟ ମ୍ୟାଚ୍ । ଯେଉଁଥିରେ ୩୧୭ରନ୍‌ରେ ଜିତିଥିଲା । 

ଅନ୍ୟପଟେ ବାଂଲାଦେଶ ଟିମ୍ ପ୍ରଥମଥର ପାଇଁ ଚେପକ ଗ୍ରାଉଣ୍ଡରେ ଖେଳିବାକୁ ଯାଉଛି ଟେଷ୍ଟ ମ୍ୟାଚ୍ । କିନ୍ତୁ ୱାନଡେ ଇଣ୍ଟରନ୍ୟାସନାଲରେ ବାଂଲାଦେଶ ଏହି ଗ୍ରାଉଣ୍ଡରେ ଖେଳିଛି ୨ଟି ମ୍ୟାଚ୍ । ଯେଉଁଥିରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ତେବେ ବର୍ତ୍ତମାନ ଯେତେବେଳେ ଭାରତୀୟ ଟିମ୍‌ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍ ପାଇଁ ପଡ଼ିଆକୁ ଓହ୍ଲାଇବାକୁ ଯାଉଛି, ସେତେବେଳେ ସମସ୍ତଙ୍କ ନଜର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ଧୁରନ୍ଧରଙ୍କ ଉପରେ ରହିବ । ଏହି ମୈଦାନରେ ରେକର୍ଡ ତ ଭାରତ ପକ୍ଷରେ ରହିଛି, କିନ୍ତୁ ଅଭିଜ୍ଞତା ଦୃଷ୍ଟିରୁ ମଧ୍ୟ ଭାରତ ବାଂଲାଦେଶ ଉପରେ ଭାରୀ । ତେବେ ଏପରି ସ୍ଥିତିରେ ଭ୍ରମଣକାରୀ ଟିମ୍‌ ହୋଇପାରେ ଅଡୁଆ ।  

ତେବେ ଭାରତ ଏବଂ ବାଲାଂଦେଶ ୮ ଥର ମୁହାଁମୁହିଁ ହୋଇଛନ୍ତି । ଏଥିରେ ଭାରତ ୭ଟି ସିରିଜ୍‌ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍‌ ୨୦୧୫ରେ ହୋଇଥିଲା ଡ୍ର । ଭାରତ ବାଲାଂଦେଶ ବିପକ୍ଷରେ ମୋଟ ୧୩ଟି ମ୍ୟାଚ ଖେଳିଛି । ଏଥିରୁ ଭାରତ ୧୧ଟିରେ ବିଜୟ ହାସଲ କରିଛି । ଏହାବ୍ୟତୀତ ୨୦୦୭ ଏବଂ ୨୦୧୫ରେ ୨ଟି ମ୍ୟାଚ୍‌ ଡ୍ର ରହିଥିଲା ।  ଏଥିରୁ ସ୍ପଷ୍ଟ ସେ ବାଲାଂଦେଶ ଉପରେ ସବୁବେଳେ ଭାରି ପଡିଛି ଟିମ୍‌ ଇଣ୍ଡିଆ । ତେବେ ରେକର୍ଡ ଅନୁଯାୟୀ ଚଳିତ ସିଜିନ୍‌ରେ ମଧ୍ୟ ମେନ ଇନ୍‌ ବ୍ଲୁ ସିରିଜ୍‌ ଜିତିବାରେ ରହିଛି ଦୃଢ ଆଶା । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.