ଅହମ୍ମଦାବାଦ: ବ୍ୟାଟରଙ୍କ ପରେ ବୋଲରଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ବଳରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଥିବା ତୃତୀୟ ଦିନିକିଆରେ ଭାରତ ଇଂଲଣ୍ଡକୁ ୧୪୨ ରନରେ ହରାଇଛି। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ ୩-୦ରେ କ୍ଲିନ ସୁଇପ୍ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୩୫୬ ରନ କରିଥିଲା। ଦଳ ପକ୍ଷରୁ ଶୁଭମନ ଗିଲ୍ ୧୧୨ ରନର ଶତକୀୟ ଇନିଂସ ଖେଳିଥିବା ଶ୍ରେୟସ ଆୟର ୭୮ ରନ ଓ ବିରାଟ କୋହଲି ୫୨ ରନ କରିଥିଲା। ଜବାବରେ ଇଂଲଣ୍ଡ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂର ମୁକାବିଲା କରି ନ ପାରି ୩୪.୨ ଓଭରରେ ୨୧୪ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଟମ୍ ବ୍ୟାଣ୍ଟନ ୩୮ ରନ ଓ ଗସ୍ ଅଟିଙ୍କସନ ୩୮ ରନ କରିଥିଲେ। ଭାରତୀୟ ବୋଲରଙ୍କୁ ମିଳିତ ସଫଳତା ମିଳିଛି। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତୀୟ ଦଳ ବଡ଼ ବିଜୟ ହାସଲ କରିଛି।
୩୫୭ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଇଂଲଣ୍ଡକୁ ଦୁଇ ଓପନର ବେନ ଡକେଟ୍ ଓ ଫିଲିପ ସଲ୍ଟ ବିସ୍ଫୋରକ ଆରମ୍ଭ ଦେଇଥିଲେ। ଉଭୟ ୬.୨ ଓଭରରେ ୬୦ ରନ ଯୋଡ଼ିଥିଲେ। ବେନ ଡକେଟ୍ ୨୨ ବଲ୍ରୁ ୮ ଚୌକା ସହ ୩୪ ରନ କରି ଅର୍ଶଦୀପ ସିଂଙ୍କ ଶିକାର ହୋଇଥିଲେ। ଫିଲିପ୍ ସଲ୍ଟ ୨୩ ରନ କରି ଅର୍ଶଦୀପ ସିଂଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ୮୦ ରନରେ ଦୁଇ ଓପନରଙ୍କୁ ହରାଇବା ପରେ ଇଂଲଣ୍ଡର ଇନିଂସ ଟମ ବ୍ୟାଣ୍ଟନ ଓ ହ୍ୟାରି ବ୍ରୁକ ସମ୍ଭାଳିଥିଲେ ହେଁ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ ପାଇଁ ୪୬ ରନ ଯୋଡ଼ିଥିଲେ। ଟମ୍ ବ୍ୟାଣ୍ଟନ ୩୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। ତାଙ୍କୁ ଆଉଟ୍ କରି କୁଲଦୀପ ଯାଦବ ଦଳକୁ ବଡ଼ ସଫଳତା ଦେଇଥିଲେ।
ଏହା ପରେ ଜୋ ରୁଟ୍ ୨୪ ରନ କରି ପାଭିଲିୟନ ଫେରିଥିଲେ। ଅଧିନାୟକ ଜୋସ୍ ବଟଲର(୬) ଓ ଲିୟାମ ଲିଭିଙ୍ଗଷ୍ଟୋନ(୯) କରି ଦଳକୁ ନିରାଶ କରିଥିଲେ। ହ୍ୟାରି ବ୍ରୁକ ୨୪ ରନ କରି ପାଭିଲିୟନ ଫେରିଥିଲେ। ନିମ୍ନକ୍ରମରେ ଗସ୍ ଅଟିଙ୍କସନ ୧୯ ବଲ୍ରୁ ୩୮ ରନର ଧୂଆଁଧାର ଇନିଂସ ଖେଳିବାରୁ ଇଂଲଣ୍ଡ ୨୧୪ ରନରେ ପହଞ୍ଚି ପାରିଥିଲା। ଭାରତ ପକ୍ଷରୁ ବୋଲିଂରେ ଅର୍ଶଦୀପ ସିଂ, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ପ୍ରତ୍ୟେକଙ୍କୁ ୨ଟି ଲେଖାଏଁ ସଫଳତା ମିଳିଛି।
ଭାରତୀୟ ଇନିଂସ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ଭାରତର ଆରମ୍ଭ ନୈରାଶ୍ୟଜନକ ଥିଲା। ଅଧିନାୟକ ରୋହିତ ଶର୍ମା(୧) ଦ୍ଵିତୀୟ ଓଭରରେ ଆଉଟ୍ ହୋଇଥିଲେ। ଏହା ପରେ ଶୁଭମନ ଗିଲ୍ ଓ ବିରାଟ କୋହଲି ଦଳର ବ୍ୟାଟିଂ ମଙ୍ଗ ସମ୍ଭାଳିଥିଲେ। ଉଭୟ ବ୍ୟାଟର ଚିତ୍ତାକର୍ଷକ ବ୍ୟାଟିଂ କରି ଇଂଲଣ୍ଡ ବୋଲରଙ୍କୁ ଚାପରେ ରଖିଥିଲେ। ଏହି କ୍ରମରେ ଦୁଇ ବ୍ୟାଟର ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୀର୍ଘ ଦିନ ଧରି ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲି ୫୫ ବଲରୁ ୭ ଚୌକା ଓ ୧ ଛକା ସହ ୫୨ ରନ କରି ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ଗିଲ୍ ଓ କୋହଲି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୧୬ ରନର ଶତକୀୟ ଭାଗିଦାରୀ ଯୋଡ଼ିଥିଲେ।
ଏହା ପରେ ଗିଲ୍ ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ଆଉ ଏକ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା। ଗିଲ୍ ଦିନିକିଆରେ ନିଜର ଚମତ୍କାର ଫର୍ମ ଜାରି ରଖି ଦିନିକିଆରେ ସପ୍ତମ ଶତକ ପୂରଣ କରିଥିଲେ। ଏହି ଶତକ ଜରିଆରେ ସେ ଅନେକ ରେକର୍ଡ ଭାଙ୍ଗିଛନ୍ତି। ଗିଲ୍ ୧୦୨ ବଲ୍ରୁ ୧୪ ଚୌକା ଓ ୩ ଛକା ସହ ୧୧୨ ରନ କରି ଆଉଟ୍ ହୋଇଛନ୍ତି। ଆୟର ଓ ଗିଲ୍ ତୃତୀୟ ଓ୍ଵିକେଟ୍ରେ ୧୦୪ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଥିଲେ।
ଅନ୍ୟପଟେ ଶ୍ରେୟସ ଆୟର ଆଉ ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ସେ ୬୪ ବଲ୍ରୁ ୮ ଚୌକା ଓ ୨ ଛକା ସହ ୭୮ ରନ କରି ପାଭିଲିୟନ ଫେରିଥିଲେ। ତାଙ୍କ ପରେ କେଏଲ ରାହୁଲ ନିମ୍ନ କ୍ରମରେ ଉପଯୋଗୀ ବ୍ୟାଟିଂ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୯ ବଲରୁ ୧୭ ରନ ଓ ଅକ୍ଷର ପଟେଲ୍ ୧୩ ରନ କରି ଆଉଟ୍ ହୋଇଥିଲେ। କେଏଲ ରାହୁଲ ଦ୍ରୁତ ବ୍ୟାଟିଂ କରି ୨୯ ବଲ୍ରୁ ୪୦ ରନ କରି ଆଉଟ୍ ହୋଇଥିଲେ। ଶେଷ ଆଡ଼କୁ ହର୍ଷିତ ରାଣା ୧୩ ରନ ଓ ଓ୍ଵାଶିଂଟନ ସୁନ୍ଦର ୧୪ ରନ କରି ଆଉଟ୍ ହୋଇଥିଲେ। ଏହିପରି ଭାରତ ୫୦ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୩୫୬ ରନ କରି ପାରିଛି।
ବୋଲିଂରେ ଇଂଲଣ୍ଡ ପକ୍ଷରୁ ଆଦିଲ ରଶିଦ ୬୪ ରନ ବ୍ୟୟ କରି ସର୍ବାଧିକ ୪ ଟି ସଫଳତା ପାଇଛନ୍ତି। ମାର୍କ ଉଡଙ୍କୁ ଦୁଇଟି ଓ୍ଵିକେଟ୍ ମିଳିଥିବା ବେଳେ ଶାକିବ ମେହମୁଦ, ଗସ ଏଟିଙ୍କନ ଓ ଜୋ ରୁଟ୍ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।