ପାକିସ୍ତାନକୁ ଧୂଳି ଚଟାଇଲା ଭାରତୀୟ ହକି ଦଳ, ହିରୋ ସାଜିଲେ ଅଧିନାୟକ ହରମନପ୍ରୀତ ସିଂ

Published By : Prameya-News7 Bureau | September 14, 2024 IST

abp live

ନୂଆଦିଲ୍ଲୀ: ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ହକି ଦଳର ବିଜୟ ଯାତ୍ରା ଅବ୍ୟାହତ ରହିଛି। ଶନିବାର ଖେଳା ଯାଇଥିବା ଶେଷ ରାଉଣ୍ଡ ମ୍ୟାଚ୍‌ରେ ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୨-୧ରେ ହରାଇଛି। ଏଥିସହ ଭାରତ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ଦୁଇଟି ଗୋଲ୍ ଦେଇ ଦଳକୁ ବିଜୟୀ କରାଇଛନ୍ତି। ପାକିସ୍ତାନ ପକ୍ଷରୁ ନଦୀମ ଅହମ୍ମଦ ଏକ ମାତ୍ର ଗୋଲ୍ ଦେଇଛନ୍ତି। 

ଆଜିର ମ୍ୟାଚ୍‌ ପ୍ରାରମ୍ଭରେ ପାକିସ୍ତାନର ଦବଦବା ଦେଖିବାକୁ ମିଳିଛି। ମ୍ୟାଚ୍‌ର ପ୍ରଥମ ଗୋଲ୍ ପାକିସ୍ତାନ ପକ୍ଷରୁ ଆସିଥିଲା।ପ୍ରଥମ କ୍ଵାର୍ଟରର ୮ତମ ମିନିଟ୍‌ରେ ପାକିସ୍ତାନର ଅହମ୍ମଦ ନଦୀମ ଗୋଲ୍ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଥିଲା।ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂ ୧୩ତମ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣର ଜରିଆରେ ଗୋଲ୍ ଦେଇ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ପ୍ରଥମ କ୍ଵାର୍ଟରରେ ଖେଳ ୧-୧ରେ ରହିଥିଲା।




ପୁଣି ହରମନପ୍ରୀତ ସିଂହ ୧୯ତମ ମିନିଟ୍‌ରେ ଭାରତ ପାଇଁ ଦ୍ଵିତୀୟ ଗୋଲ୍ ଦେଇଥିଲେ। ଏହି ଗୋଲ୍‌ ମଧ୍ୟ ପେନାଲ୍ଟି କର୍ଣ୍ଣର ଜରିଆରେ ଆସିଥିଲା। ଭାରତ ୨-୧ରେ ଅଗ୍ରଣୀ ହାସଲ କରିବା ସହ ପାକିସ୍ତାନ ଉପରେ ଆଧିପତ୍ୟ ବିସ୍ତାର କରିଥିଲା। ପାକିସ୍ତାନ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ ହେଁ ଭାରତୀୟ ଖେଳାଳି କୌଣସି ସୁଯୋଗ ଦେଇ ନ ଥିଲେ। ଆଉ ଶେଷରେ ଭାରତ ମ୍ୟାଚ୍‌କୁ ୨-୧ରେ ଜିତି ନେଇଛି। 

ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରି ପୂର୍ବରୁ ସେମିରେ ସ୍ଥାନ ସୁନିଶ୍ଚିତ କରି ସାରିଛି। ହରମନପ୍ରୀତ ସିଂଙ୍କ ଦଳ ପ୍ରଥମ ମ୍ୟାଚ୍‌ରେ ଚୀନକୁ ୩-୦ରେ, ଜାପାନକୁ ୫-୧ରେ, ମାଲେସିଆକୁ ୮-୧ ଓ କୋରିଆକୁ ୩-୧ରେ ହରାଇଥିଲା। ଆଜିର ମ୍ୟାଚ୍‌ରେ ପାକିସ୍ତାନ ୧୦ ମିନିଟ୍ ପାଇଁ ୧୦ ଖେଳାଳିଙ୍କୁ ନେଇ ଖେଳିଥିଲା। କାରଣ ଓ୍ଵାହିଦ ଅଶ୍ରଫ ରାଣାଙ୍କୁ ଭାରତୀୟ ଖେଳାଳିଙ୍କୁ ଟକ୍କର ମାରିବା କାରଣରୁ ୟେଲୋ କାର୍ଡ ମିଳିଥିଲା। ଆଉ ସେ ୧୦ ମିନିଟ୍ ପାଇଁ ବାହାରେ ଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.