ମଝି ଆକାଶରେ ବିମାନରେ ବିସ୍ଫୋରଣ, ଭାରତୀୟ ଅରବପତିଙ୍କ ସମେତ ୬ ମୃତ

Published By : Prameya-News7 Bureau | October 02, 2023 IST

ନୂଆଦିଲ୍ଲୀ, ୨/୧୦: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଭାରତୀୟ ଅରବପତି। ଜିମ୍ବାୱେରେ ବିମାନ ଦୁର୍ଘଟଣାରେ ଜଣେ ଭାରତୀୟ ଅରବପତି ଏବଂ ତାଙ୍କ ପୁଅଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଦୁର୍ଘଟଣାର ଶିକାର ହୋଇଥିବା ବିମାନଟି ଭାରତୀୟ ଶିଳ୍ପପତିଙ୍କ ନିଜ କମ୍ପାନୀର ବିମାନ ଥିଲା। ଜିମ୍ବାୱେର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ଏକ ହୀରା ଖଣି ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ହରପାଲ ସିଂ ରାଧୱା, ତାଙ୍କ ପୁଅ ଏବଂ ଅନ୍ୟ ୪ ଜଣ ଅଛନ୍ତି।

ସୂଚନା ଅନୁସାରେ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅରବପତି ହରପାଲ ସିଂ ରାନ୍ଧୱା RioZim ନାମକ ଏକ ଖଣି କମ୍ପାନୀର ମାଲିକ ଥିଲେ। ଏହି କମ୍ପାନି ଜିମ୍ବାୱେରେ ସୁନା, କୋଇଲା ଖଣି ଉତ୍ପାଦ କରିଥାଏ ଏବଂ ନିକେଲ ଏବଂ ତମ୍ବା ପରି ଧାତୁକୁ ବିଶୋଧନ କରିବାର କାର୍ଯ୍ୟ ମଧ୍ୟ କରିଥାଏ।

ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବିମାନ ସେସେନା-206 ଏୟାରକ୍ରାପ୍ଟ ଥିଲା। ସିଙ୍ଗଲ୍‌ ଇଞ୍ଜିନ୍ ବିମାନ ରିଓଜିମ୍ କମ୍ପାନୀର ମାଲିକାନା ଅଟେ। ବିମାନଟି ରାଜଧାନୀ ହରାରେରୁ ମୁରୋବା ହୀରା ଖଣି ଅଭିମୁଖେ ଯାଉଥିବାବେଳେ ମଶାୱା ଅଞ୍ଚଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଯେଉଁଥିରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଶୁକ୍ରବାର ସକାଳ ସମୟରେ ଘଟିଛି।

ସୂଚନା ଅନୁସାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନରେ ଆକାଶରେ ବିସ୍ଫୋରଣ ହୋଇଥିଲା।  ହରପାଲଙ୍କ ମୃତ୍ୟୁରେ ତାଙ୍କ ସମ୍ପର୍କୀୟ ଓ ଫିଲ୍ମ ନିର୍ମାତା ହୋପବେଲ୍‌ ଚିନେନେ ଶୋକ ପ୍ରକାଶ କରିଛନ୍ତି। କମ୍ପାନୀ ପକ୍ଷରୁ ହରପାଲଙ୍କ ମୃତ୍ୟୁକୁ ନେଇ ପ୍ରେସ୍‌ ବିଜ୍ଞପ୍ତି ଜାରି କରିବା ସହ ଶୋକ ପ୍ରକାଶ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.