ବିଶ୍ଵ ଚାମ୍ପିଅନ ନ୍ୟୁଜିଲାଣ୍ଡକୁ ଧୂଳି ଚଟାଇଲା ଭାରତୀୟ ମହିଳା ଦଳ

Published By : Prameya-News7 Bureau | October 24, 2024 IST

livehindustan

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୫୯ ରନରେ ହରାଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ ଭାରତ ଭ୍ରମଣକାରୀ କିଓ୍ଵି ଦଳକୁ ୨୨୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ କିଓ୍ଵି ଦଳ ୪୦.୪ ଓଭରରେ ୧୬୮ ରନରେ ଅଲଆଉଟ୍ ହୋଇଥିଲା। ଭାରତୀୟ ଦଳର ବିଜୟରେ ଦୀପ୍ତି ଶର୍ମା ଓ ରାଧା ଯାଦବଙ୍କ ପ୍ରମୁଖ ଯୋଗଦାନ ଦେଇଛନ୍ତି। 

ଏହି ମ୍ୟାଚ୍‌ରେ ନିୟମିତ ଅଧିନାୟକ ହରମନପ୍ରୀତ କୌର ଖେଳୁ ନ ଥିବାରୁ ସ୍ମୃତି ମନ୍ଧାନା ଦଳର ନେତୃତ୍ଵ ନେଇଥିଲେ। ଟସ୍ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ଆରମ୍ଭ ନିରାଶଜନକ ଥିଲା। ସ୍ମୃତି ମନ୍ଧାନା ନିଜର ଖରାପ ଫର୍ମ ବଜାୟ ରଖି ମାତ୍ର ୫ ରନ କରି ଆଉଟ୍ ହୋଇଥିଲେ। ଶେଫାଳି ବର୍ମା ଦ୍ରୁତ ବ୍ୟାଟିଂ କରି ୨୨ ବଲ୍‌ରୁ ୩୩ ରନ କରିଥିଲେ ହେଁ ଏହାକୁ ବଡ଼ ସ୍କୋରରେ ପରିଣତ କରି ପାରି ନ ଥିଲେ। ଓ୍ଵିକେଟ୍ କିପର ବ୍ୟାଟର ୟାସ୍ତିକ ଭାଟିଆ ୩୭ ରନ ଓ ଜେମିମା ରୋଡ୍ରିଗଜ ୩୫ ରନ କରିଥିଲେ। ଭାରତ ମଧ୍ୟ ପୂରା ଓଭର ଖେଳି ପାରି ନ ଥିଲା। ଦଳ ୪୪.୩ ଓଭରରେ ୨୨୭ ରନ କରି ଅଲଆଉଟ୍ ହୋଇଥିଲା।  ଆମେଲିଆ କେର ସର୍ବାଧିକ ୪ ଓ୍ଵିକେଟ୍  ନେଇଥିଲେ।

୨୨୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ନ୍ୟୁଜିଲାଣ୍ଡର ଆରମ୍ଭ ନୈରାଶ୍ୟଜନକ ଥିଲା। ଦଳ ୪୬ ରନ ଭିତରେ ପ୍ରଥମ ଓ୍ଵିକେଟ୍ ୩ ଓ୍ଵିକେଟ୍ ହରାଇଥିଲା। ଅହମ୍ମଦାବାଦ ପିଚ୍‌ରେ ଦୁଇ ଦଳର ବ୍ୟାଟରଙ୍କୁ ସଂଘର୍ଷ କରିଥିବା ଦେଖିବାକୁ ମିଳିଥିଲା। ନ୍ୟୁଜିଲାଣ୍ଡ ପାଇଁ ସବୁଠୁ ଅଧିକ ରନ ବ୍ରୁକ ହେଲିଡେ  ୩୯ ରନ କରିଥିବା ବେଳେ ମେଡି ଗ୍ରୀନ ୩୧ ରନ କରିଥିଲେ। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଆମେଲିଆ କେର ବୋଲିଂରେ ୪ ଓ୍ଵିକେଟ୍ ନେବା ସହ ବ୍ୟାଟିଂରେ ୨୫ ରନର ଅପରାଜିତ ଇନିଂସ ଖେଳିଥିଲେ। କିଓ୍ଵି ଦଳ ୪୦.୪ ଓଭରରେ ୧୬୮ ରନରେ ଅଲଆଉଟ୍ ହୋଇ ୫୯ ରନରେ ପରାଜିତ ହୋଇଛି।

ସୂଚନାଯୋଗ୍ୟ, ନିକଟରେ ସଂପନ୍ନ ମହିଳା ଟି-୨୦ ବିଶ୍ଵକପ୍‌ ୨୦୨୪ରେ ନ୍ୟୁଜିଲାଣ୍ଡ ଚାମ୍ପିଅନ ହୋଇଥିଲା। ଭାରତୀୟ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ଲିଗ୍‌ ପର୍ଯ୍ୟାୟରୁ ହିଁ ବିଶ୍ଵକପ୍‌ରୁ ବିଦାୟ ନେଇଥିଲା। ଗ୍ରୁପ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୫୮ ରନରେ ଭାରତକୁ ହରାଇଥିଲା। ଯାହା ପରବର୍ତ୍ତୀ ସମୟରେ ଦଳକୁ ମହଙ୍ଗା ପଡ଼ିଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.