ସ୍ତନ କର୍କଟ ସଂପର୍କିତ ବାର୍ତ୍ତା ଦେବା ଯୁବରାଜଙ୍କୁ ପଡିଲା ମହଙ୍ଗା, ବିବାଦିତ ପୋଷ୍ଟର ପାଇଁ ସମସ୍ତେ କରୁଛନ୍ତି ନିନ୍ଦା

Published By : Prameya-News7 Bureau | October 25, 2024 IST

ମୁମ୍ଵାଇ ୨୫।୧୦: ସ୍ତନ କର୍କଟ ସମ୍ବନ୍ଧରେ ସଚେତନତା ଅଭିଯାନରେ ଯୋଗଦେବା ଯୁବରାଜ ସିଂଙ୍କ ପାଇଁ ମହଙ୍ଗା ପଡିଛି। ସ୍ତନ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଯୁବରାଜଙ୍କ YouWeCan ଫାଉଣ୍ଡେସନ୍ ଏକ ପୋଷ୍ଟର ପ୍ରସ୍ତୁତ କରିଛି । ତାହାକୁ କେହି ପସନ୍ଦ କରୁ ନାହାନ୍ତି। କେହି କେହି ଏହାକୁ ଅଶ୍ଲୀଳ କହିଥିବା ବେଳେ ଆଉ କେହି ଏହା ଦ୍ୱାରା ନାରୀର ସମ୍ମାନ ହାନି ହୋଇଛି ବୋଲି କହିଛନ୍ତି। ବର୍ତ୍ତମାନ ସଚେତନତା ପୋଷ୍ଟରରେ ବ୍ୟବହୃତ ବିବାଦୀୟ ଶବ୍ଦ ଉପରେ ପ୍ରଶଂସକମାନେ ଯୁବରାଜ ସିଂଙ୍କୁ ସମାଲୋଚନା କରୁଛନ୍ତି।

YouWeCan ପକ୍ଷରୁ ଦିଲ୍ଲୀ ମେଟ୍ରୋରେ ଏହି ବିଜ୍ଞାପନକୁ ଲଗାଯାଇଥିଲା। ଜଣେ ଯାତ୍ରୀ ଏହାର ଫଟୋ ଉଠାଇ ସୋସିଆଲ ମିଡିଆ ‘ଏକ୍ସ’ ପୋଷ୍ଟ କରିଥିଲେ। ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ଦ୍ୱାରା ପ୍ରସ୍ତୁତ ଏହି ବିଜ୍ଞାପନରେ ଜଣେ ଯୁବତୀ ଦୁଇଟି କମଳା ଧରି ଛିଡ଼ା ହୋଇଛନ୍ତି। ଏହି ଫଟୋ ତଳେ ଇଂରାଜୀରେ ଲେଖା ଯାଇଛି- Check Your Oranges Once a month। ଏହାର ଅର୍ଥ ମାସରେ ଥରେ ଆପଣଙ୍କ କମଳା ଗୁଡ଼ିକୁ ଯାଞ୍ଚ କରନ୍ତୁ। ଏହା ପରେ ଇଂରାଜୀରେ ଯାହା ଲେଖାଯାଇଛି, ଶୀଘ୍ର ଚିହ୍ନଟ ହେଲେ ଜୀବନ ବଞ୍ଚିଯାଏ। ଏହା ପରେ ହ୍ୟାସଟ୍ୟାଗ ସହିତ ସ୍ତନକର୍କଟ ସଚେତନତା ବାର୍ତ୍ତା ବୋଲି ଲେଖାଯାଇଛି।

ଏହି ବିଜ୍ଞାପନରେ Check Your Oranges ବୋଲି ଲେଖାଯିବାରୁ , କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହି ଫଟୋକୁ ଉଠାଇ ଏକ୍ସରେ ପୋଷ୍ଟ କରିଛନ୍ତି, ସେ ଲେଖିଛନ୍ତି- ଆମେ ଯଦି ସ୍ତନକୁ ‘ସ୍ତନ’ ବୋଲି କହିବାକୁ ଲାଜ କରୁଛନ୍ତି, ତା’ହେଲେ ସ୍ତନ କର୍କଟ ସଂପର୍କରେ କିଭଳି ଭାବେ ଲୋକଙ୍କୁ ସଚେତନ କରିପାରିବା? ଏହା ଲଜ୍ଜାଜନକ। ସୋସିଆଲ ମିଡିଆ ୟୁଜର୍ସ ଦିଲ୍ଲୀ ମେଟ୍ରୋ କୋଚ ଭିତରେ ଲାଗିଥିବା ପୋଷ୍ଟରର ଚିତ୍ର ସେୟାର କରି ଏହାକୁ ସମାଲୋଚନା କରିଛନ୍ତି। ପୋଷ୍ଟର ଏବଂ ଶବ୍ଦର ଅପବ୍ୟବହାର ପାଇଁ ୟୁଜର୍ସ ଯୁବରାଜ ସିଂଙ୍କ ସଂଗଠନ ତଥା ଦିଲ୍ଲୀ ମେଟ୍ରୋକୁ ସମାଲୋଚନା କରିଛନ୍ତି। ଏହି ପୋଷ୍ଟରକୁ ଯଥାଶୀଘ୍ର ହଟାଇବାକୁ ଦିଲ୍ଲୀ ମେଟ୍ରୋ ଅଧିକାରୀଙ୍କୁ ନିବେଦନ କରିଛନ୍ତି। ଯୁବରାଜ ସିଂଙ୍କୁ ମଧ୍ୟ ଟ୍ୟାଗ୍ କରି ଏହି ପୋଷ୍ଟର ହଟାଇବାକୁ ଅନୁରୋଧ କରିଥିଲେ। ସେହିପରି ବିବାଦ ବଢ଼ିବା ପରେ YouWeCan ପକ୍ଷରୁ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲରରେ ଥିବା ଏହି ବିଜ୍ଞାପନକୁ ହଟାଇ ଦିଆଯାଇଛି। ତେବେ ସଂସ୍ଥା ପକ୍ଷରୁ ଦାବି କରାଯାଇଛି ଯେ ଏହି ବିଜ୍ଞାପନରେ କିଛି ବି ଭୁଲ୍ ନାହିଁ। 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.