ମେକ୍ ଇନ୍ ଇଣ୍ଡିଆ ସତ୍ତ୍ୱେ ବି ହୋଇପାରୁନି ଯଥେଷ୍ଟ ପ୍ରଡକ୍ସନ: ୨୦୨୪ରେ ବଢ଼ିଲା ବାଣିଜ୍ୟିକ କ୍ଷତି

Published By : Prameya-News7 Bureau | September 17, 2024 IST

internet

ନୂଆଦିଲ୍ଲୀ: ମେକ୍ ଇନ୍ ଇଣ୍ଡିଆ ନାରା ଦେଇ ମୋଦୀ ସରକାର ଆମଦାନୀ ଉପରେ ନିର୍ଭରଶୀଳତା କମ୍ କରିବାକୁ ଚାହୁଁଛନ୍ତି। ଅଭିଯାନରେ ବିଭିନ୍ନ ଦିଗରେ ଭାରତୀୟ ଉତ୍ପାଦନ ହେଉଛି। ଏହାସତ୍ତ୍ୱେ ବି ଯେତେ ପରିମାଣରେ ପ୍ରଡକ୍ସନ ହେବା କଥା ହୋଇପାରୁ ନାହିଁ। ତେଣୁ ଏବେ ବି ଅନେକ କ୍ଷେତ୍ରରେ ବହୁ ମାତ୍ରାରେ ଆମଦାନୀ ହେଉଛି। ଆଉ ଆମଦାନୀ ଅଧିକ ହେଲେ ରପ୍ତାନୀ କମିଯିବାରୁ ବାଣିଜ୍ୟିକ କ୍ଷତି ସହିବାକୁ ପଡୁଛି। ଯାହା ଭାରତୀୟ ଅର୍ଥନୀତିକୁ ପଛକୁ ଟାଣି ନେଉଛି। 

ଗତ ବର୍ଷ ଅପେକ୍ଷା ଏ ବର୍ଷ ଅଗଷ୍ଟ ସୁଦ୍ଧା ଭାରତର ବାଣିଜ୍ୟିକ କ୍ଷତି ବା ଟ୍ରେଡ୍ ଡେଫିସିଟ୍ ବଢ଼ିଯାଇଛି। ବାଣିଜ୍ୟ ମନ୍ତ୍ରଣାଳୟ ଜାରି କରିଥିବା ରିପୋର୍ଟ ଅନୁସାରେ,ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ବାଣିଜ୍ୟିକ କ୍ଷତି ୨୯.୬୫ ବିଲିଅନ ଡଲାର ହୋଇଛି। ଯାହା ଗତ ଅଗଷ୍ଟ ବେଳକୁ ୨୪.୨ ବିଲିଅନ ଡଲାର ରହିଥିଲା। ଜୁଲାଇରେ ବାଣିଜ୍ୟିକ କ୍ଷତି ୨୩.୫୦ ବିଲିଅନ ପଞ୍ଚିଥିବା ବେଳେ ମାସକ ଭିତରେ ଅଗଷ୍ଟରେ ପାଖାପାଖି ୫ ବିଲିଅନ ଡଲାରରୁ ଅଧିକ କ୍ଷତି ହୋଇଛି।

ଚଳିତ ବର୍ଷ ଅଗଷ୍ଟରେ ଭାରତର ବାଣିଜ୍ୟ ରପ୍ତାନୀ ୩୪.୭୧ ବିଲିୟନ ଡଲାରକୁ ହ୍ରାସ ପାଇଛି। ଯାହା ଗତବର୍ଷ ଅଗଷ୍ଟରେ ୩୮.୨୮ ବିଲିୟନ ଡଲାର ଥିଲା। ସେହିପରି ଗତବର୍ଷ ଅପେକ୍ଷା ଏଥର ଆମଦାନୀ ବହୁତ ବଢ଼ିଛି। ୨୦୨୩ ଅଗଷ୍ଟରେ ଆମଦାନୀ ୬୨.୩୦ ବିଲିଅନ ଡଲାର ଥିବା ବେଳେ ଏଥର ଅଗଷ୍ଟ ସୁଦ୍ଧା ଆମଦାନୀ ୬୪.୩୬ ବିଲିଅନ ଡଲାର ହୋଇଛି।  ଏଥିରେ ଦୁଇ ବିଲିଅନରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ତେବେ ରଏଟର୍ସ ସର୍ଭେ ଅନୁଯାୟୀ ଦେଶର ଅଗଷ୍ଟ ବାଣିଜ୍ୟ ନିଅଣ୍ଟ ୨୩ ବିଲିୟନ ଡଲାର ହେବ ବୋଲି ଅର୍ଥନୀତିଜ୍ଞମାନେ ଆଶା କରିଥିଲେ। ହେଲେ ଆକଳନ ଠାରୁ ବହୁତ ଅଧିକ କ୍ଷତି ଦେଖିବାକୁ ମିଳିଛି। 

ରପ୍ତାନୀ କମିବା ନେଇ ବାଣିଜ୍ୟ ସଚିବ ସୁନୀଲ ବର୍ଥୱାଲ କହିଛନ୍ତି ବର୍ତ୍ତମାନ
ବିଶ୍ୱରେ ସ୍ଥିତି ଭଲ ନଥିବାରୁ ରପ୍ତାନୀରେ ସମସ୍ୟା ସୃଷ୍ଟି ହେଉଛି। ଚୀନରେ ମାନ୍ଦାବସ୍ଥା ଓ ପରିବହନ ଖର୍ଚ୍ଚ ବଢ଼ୁଥିବାକୁ ସେ ମୁଖ୍ୟ ସମସ୍ୟା ବୋଲି ଦର୍ଶାଇଛନ୍ତି।  

ତେବେ ସର୍ଭିସ୍‌(ସେବା) ରପ୍ତାନୀରେ ଭାରତ ଭଲ ପ୍ରଦର୍ଶନ କରିଛି। ତଳିତ ବର୍ଷ ଅଗଷ୍ଟ ସୁଦ୍ଧା ୩୦.୬୯ ବିଲିଅନ ସର୍ଭିସ୍ ଏକ୍ସପୋର୍ଟ ହୋଇଥିବା ବେଳେ ଆମଦାନୀ ହୋଇଛି ୧୫.୭୦ ବିଲିଅନ ଡଲାର। ଗତବର୍ଷ ସର୍ଭିସ୍ ରପ୍ତାନୀ ୨୮.୭୧ ବିଲିଅନ ହୋଇଥିବା ବେଳେ ଆମଦାନୀ ୧୫.୦୯ ବିଲିଅନ ହୋଇଥିଲା। ୨୦୨୩ ଅପେକ୍ଷା ୨୦୨୪ରେ ସର୍ଭିସ୍‌ ଆମଦାନୀ ସାମାନ୍ୟ ବଢ଼ିଛି। 

ସୂଚନା ଥାଉକି ଚଳିତ ବର୍ଷ ବାଣିଜ୍ୟ ମନ୍ତ୍ରଣାଳୟ ପିୟୁଷ ଗୋୟଲ ଭାରତର ଗୁଡ୍‌ ଆଣ୍ଡ ସର୍ଭିସ୍ ଏକ୍ସପୋର୍ଟ ୮୦୦ ବିଲିଅନ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.