ନୂଆଦିଲ୍ଲୀ ୨୦।୦୬: ଯୋଗ ଭାରତୀୟ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆଜି ବି, ଯେତେବେଳେ ବିଶ୍ୱରେ ଯୋଗ ବିଷୟରେ ଆଲୋଚନା ହୁଏ, ସେତେବେଳେ ପ୍ରଥମେ ଆସିଥାଏ ଭାରତର ନାଁ । କାରଣ ବିଶ୍ବ ଯେତେବେଳେ ଯୋଗର ଅର୍ଥ ଜାଣିନଥିଲା ଏହାର ହଜାର ହଜାର ବର୍ଷ ପୂର୍ବରୁ ଭାରତର ସାଧୁମାନେ ଯୋଗ-ତପ ମାଧ୍ୟମରେ ଜ୍ଞାନ ଆହରଣ କରୁଥିଲେ । ଆସନ୍ତୁ ଜାଣିବା ଭାରତର ପ୍ରମୁଖ ଯୋଗ ଗୁରୁ କିଏ ? ଯିଏକି ଯୋଗର ଶକ୍ତିକୁ ବିଶ୍ୱକୁ ପରିଚିତ କରାଇଛନ୍ତି । ୨୧ ଜୁନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ । କିନ୍ତୁ ଏହାପୂର୍ବରୁ ଜାଣନ୍ତୁ ଭାରତର ଯୋଗ ଗୁରୁମାନଙ୍କ ବିଷୟରେ…
ପରମହଂସ ଯୋଗାନନ୍ଦ ତାଙ୍କ ପୁସ୍ତକ 'ଯୋଗୀଙ୍କ ଆତ୍ମଜୀବନୀ' ପାଇଁ ଜଣାଶୁଣା । ସେ ବିଶେଷ ଭାବେ ପାଶ୍ଚାତ୍ୟର ଲୋକଙ୍କୁ ଧ୍ୟାନ ଏବଂ ଯୋଗ ସହିତ ପରିଚିତ କରାଇଛନ୍ତି । ପରମହଂସ ଯୋଗାନନ୍ଦ ଯୋଗର ପ୍ରଥମ ତଥା ମୁଖ୍ୟ ଗୁରୁ ଅଟନ୍ତି। ତେବେ ସେ ତାଙ୍କ ଜୀବନର ଅଧିକାଂଶ ସମୟ ଆମେରିକାରେ ବିତାଇଥିଲେ ।
ତାଙ୍କ ବ୍ୟତୀତ ତିରୁମାଲାଇ କୃଷ୍ଣମାଚାର୍ଯ୍ୟଙ୍କୁ 'ଆଧୁନିକ ଯୋଗ ଗୁରୁ' କୁହାଯାଏ। ହସ୍ତ ଯୋଗ ଏବଂ ବିନ୍ୟାସକୁ ପୁନର୍ଜୀବିତ କରିବାର ସମ୍ପୂର୍ଣ୍ଣ ଶ୍ରେୟ ତାଙ୍କୁ ଯାଇଥାଏ । ଏହାବ୍ୟତୀତ ତିରୁମାଲାଇ କୃଷ୍ଣମାଚାର୍ଯ୍ୟ ମଧ୍ୟ ଆୟୁର୍ବେଦ ବିଷୟରେ ଜ୍ଞାନ ରଖିଥିଲେ । ସେ କେବଳ ଯୋଗ ଏବଂ ଆୟୁର୍ବେଦ ସାହାଯ୍ୟରେ ତାଙ୍କ ନିକଟକୁ ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କୁ ଆରୋଗ୍ୟ କରୁଥିଲେ ।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଯୋଗ ଗୁରୁ ଥିଲେ ଧିରେନ୍ଦ୍ର ବ୍ରହ୍ମଚାରି । ସେହି ସମୟରେ, ସେ ଦୁରଦର୍ଶନ ଚ୍ୟାନେଲରେ ଯୋଗକୁ ପ୍ରୋତ୍ସାହିତ କରିବା କାମ ଆରମ୍ଭ କରିଥିଲେ । ସେ ହିନ୍ଦୀ ଏବଂ ଇଂରାଜୀରେ ଅନେକ ପୁସ୍ତକ ଲେଖି ଯୋଗକୁ ପ୍ରୋତ୍ସାହିତ କରିଥିଲେ । ଆଜି ବି ଜାମ୍ମୁରେ ତାଙ୍କର ଏକ ବିଳାସପୂର୍ଣ୍ଣ ଆଶ୍ରମ ରହିଛି ।
ଯୋଗ ବିଷୟରେ ଯେତେବେଳେ ବି କଥା ହୁଏ, ସେତେବେଳେ କୃଷ୍ଣ ପଟ୍ଟାବୀ ଜୋଇସଙ୍କ ନାଁ ମଧ୍ୟ ନିଆଯାଏ । ତାଙ୍କୁ ଯୋଗର ମହାନ ଗୁରୁ ଭାବରେ ବିବେଚନା କରାଯାଏ। କୃଷ୍ଣ, ଅଷ୍ଟାଙ୍ଗ ବିନ୍ୟାସ ଯୋଗ ଶୈଳୀକୁ ବିକଶିତ କରିଥିଲେ । ତାଙ୍କ ଅନୁଗାମୀମାନଙ୍କ ମଧ୍ୟରେ ମ୍ୟାଡୋନା, ଷ୍ଟିଙ୍ଗ୍ ଏବଂ ଗ୍ବେନେଥ୍ ପାଲ୍ଟ୍ରୋ ଭଳି ବଡ ନାଁ ଥିଲା ।
ଏହାବ୍ୟତୀତ ଯୋଗକୁ ସମଗ୍ର ବିଶ୍ୱରେ ସ୍ୱୀକୃତି ଦେବାରେ ବି.କେ.ଏସ୍ ଅଂୟଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କର 'ଅଂୟଗର ଯୋଗ' ନାମକ ଏକ ଯୋଗ ବିଦ୍ୟାଳୟ ମଧ୍ୟ ଅଛି। ଏହି ସ୍କୁଲ୍ ମାଧ୍ୟମରେ ସେ ସମଗ୍ର ବିଶ୍ୱରେ ଲୋକଙ୍କୁ ଯୋଗ ବିଷୟରେ ଅବଗତ କରାଇଥିଲେ । ୨୦୦୪ରେ 'ଟାଇମ୍ ମାଗାଜିନ୍' ତାଙ୍କୁ ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ନାମିତ କରିଥିଲା । ତାଙ୍କର 'ଲାଇଟ୍ ଅନ୍ ଯୋଗ' ନାମକ ଏକ ପୁସ୍ତକ ମଧ୍ୟ ଅଛି ।
ମହାରାଣୀ ମହେଶ ଯୋଗୀ ଦେଶ ତଥା ବିଶ୍ବର 'ଟ୍ରାନ୍ସେଣ୍ଡେଣ୍ଟାଲ୍ ମେଡିଟେସନ୍'ର ଜଣେ ଜଣାଶୁଣା ଗୁରୁ ଥିଲେ। କେବଳ ଏତିକି ନୁହେଁ, ଅନେକ ସେଲିବ୍ରିଟି ମଧ୍ୟ ତାଙ୍କୁ ସେମାନଙ୍କର ଗୁରୁ ବୋଲି ମାନିଥାନ୍ତି । ସାରା ବିଶ୍ୱରେ ସେ ନିଜ ଯୋଗ ପାଇଁ ଜଣାଶୁଣା । ଶ୍ରୀ ଶ୍ରୀ ରବି ଶଙ୍କର ମଧ୍ୟ ମହର୍ଷି ମହେଶ ଯୋଗୀଙ୍କ ଶିଷ୍ୟ।
ସୂଚନାଯୋଗ୍ୟ ଯେ ୨୭ ସେପ୍ଟେମ୍ବର ୨୦୧୪ରେ ପ୍ରଥମ ଥର ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର ସାଧାରଣ ସଭାରେ ତାଙ୍କ ଅଭିଭାଷଣରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ । ସେହିବର୍ଷ, ୧୧ ଡିସେମ୍ବର ୨୦୧୪ରେ ମିଳିତ ଜାତିସଂଘର ସାଧାରଣ ସଭା ଏହି ପ୍ରସ୍ତାବକୁ ମିଳିଥିଲା ଅନୁମୋଦନ । ଏହାପରେ ୨୧ ଜୁନ୍କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରିବାକୁ କରାଯାଇଥିଲା ଘୋଷଣା । ତେବେ ଏହି ପ୍ରସ୍ତାବକୁ ୧୭୭ଟି ଦେଶର ସମର୍ଥନ ମିଳିଛି । ପ୍ରଥମ ଥର ପାଇଁ ୨୧ ଜୁନ୍ ୨୦୧୫ରେ ଯୋଗ ଦିବସ ସାରା ବିଶ୍ୱରେ କରାଯାଇଥିଲା ପାଳନ ।