ବିସିସିଆଇ ବଡ ନିଷ୍ପତ୍ତି ! ଲଣ୍ଡନ, ଦୁବାଇ ନା ସିଙ୍ଗାପୁର… ଏହି ସହରରେ ହେବ IPL ୨୦୨୫ର ମେଗା ଅକ୍ସନ୍‌

Published By : Prameya-News7 Bureau | October 21, 2024 IST

ନୂଆଦିଲ୍ଲୀ ୨୧।୧୦: ଆଇପିଏଲ୍‌ ୨୦୨୫ । ମେଗା ଅକ୍ସନରେ ହେବ ପ୍ଲେୟରଙ୍କ ଭାଗ୍ୟ ପରୀକ୍ଷା । କେଉଁ ପ୍ଲେୟର କେତେ ଦାମ୍‌ରେ, ଆଉ କେଉଁ ଟିମ୍‌କୁ ଯିବେ, ସେନେଇ ବେଶ୍‌ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ନିକଟରେ ବିସିସିଆଇ ରିଟେନ୍ସନ୍‌ ନିୟମର ଘୋଷଣା କରିଥିଲା । କିନ୍ତୁ ମେଗା ଅକ୍ସନ୍‌ କେବେ ଏବଂ କେଉଁଠି ହେବ ସେନେଇ କୌଣସି ସୂଚନା ଦେଇନଥିଲା । ଏବେ ଏହାକୁ ନେଇ ସାମ୍ନାକୁ ଆସିଛି ଏକ ବଡ ଅପଡେଟ୍‌ । ଯେଉଁଥିରେ ମେଗା ଅକ୍ସନ୍‌ର ଭେନ୍ୟୁ ଏବଂ ତାରିଖକୁ ବିଷୟରେ ଜଣାପଡିଛି । କ୍ରିକ୍‌ବଜ୍‌ ରିପୋର୍ଟ ଅନୁଯାୟୀ, ଏହି ଇଭେଣ୍ଟ ସାଉଦି ଆରବର ରାଜଧାନୀ ରିୟାଦରେ ହୋଇପାରେ । ଆଉ ଏଥିରେ କେବଳ ବିସିସିଆଇର ମୋହର ଲାଗିବା ବାକି ରହିଛି । 

ବିସିସିାଇ ସାଉଦି ଆରବର ୨ଟି ସହର ରିୟାଦ ଏବଂ ଜେଦ୍ଦାକୁ ମେଗା ଅକ୍ସନ୍‌ ପାଇଁ ନଜରରେ ରହିଛି । ଏଥିରେ ରିୟାଦର ନାଁ ଆଗରେ ରହିଛି । ତେବେ କିଛି ଦିନରେ ଏହା ଉପରେ ମଧ୍ୟ ଲଗାଇପାରେ ମୋହର । ଖବର ଅନୁଯାୟୀ ବୋର୍ଡ ଅଧିକାରୀମାନେ ଉଭୟ ସହର ପରିଦର୍ଶନ କରିସାରିଛନ୍ତି । ୨୧ ଅକ୍ଟୋବରରେ ପୁନଶ୍ଚ ଯାଞ୍ଚ କରିବାକୁ ଯାଇପାରନ୍ତି । ଏହା ପରେ ଚୂଡାନ୍ତ ହେବ ମେଗା ଅକ୍ସନ୍‌ ପାଇଁ ସ୍ଥାନ । କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ୨୦୨୫ର ମେଗା ନିଲାମ ୨୪ ଏବଂ ୨୫ ନଭେମ୍ବରରେ ଅନୁଷ୍ଠିତ ହୋଇପାରେ ।  

ବିସିସିଆଇ ପୂର୍ବରୁ ଲଣ୍ଡନ, ଦୁବାଇ, ସିଙ୍ଗାପୁର ଏବଂ ଅଷ୍ଟ୍ରେଲିଆର ଗୋଟିଏ ସହରକୁ ଆଇପିଏଲ୍ ୨୦୨୫ର ମେଗା ନିଲାମର ସ୍ଥାନ ଭାବରେ ବିବେଚନା କରିଥିଲା । କିନ୍ତୁ ବର୍ତ୍ତମାନ ଏହି ୪ଟି ସହର ତାଲିକାରୁ ବାଦ ପଡିଛନ୍ତି । ପାଗ ଯୋଗୁଁ ଲିଷ୍ଟରୁ ହଟାଯାଇଛି ଲଣ୍ଡନ । ଅନ୍ୟପଟେ ଅଷ୍ଟ୍ରେଲିଆର ଟାଇମ ଜୋନ୍‌ରେ ଅଧିକ ପାର୍ଥକ୍ୟ ଯୋଗୁଁ ଅଷ୍ଟ୍ରେଲିଆ ହୋଇଛି ଆଉଟ୍‌ । ବାସ୍ତବରେ ବିସିସିଆଇ ନିଲାମକୁ ଭାରତୀୟ ସମୟ ଅନୁଯାୟୀ ଅପରାହ୍ନରେ ରଖିବାକୁ ଚାହୁଁଛି । କିନ୍ତୁ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ସମୟରେ ବହୁତ ପାର୍ଥକ୍ୟ ରହିଛି । 

ଏହାବ୍ୟତୀତ ବ୍ରୋଡକାଷ୍ଟ ମଧ୍ୟ ଏଥିରେ ଏକ ବଡ଼ ସମସ୍ୟା ପାଲଟିଥିଲା । ବାସ୍ତବରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ୨୨ ରୁ ୨୬ ନଭେମ୍ବର ମଧ୍ୟରେ ହେବ । ଏହି ସମୟରେ ବିସିସିଆଇ ମେଗା ନିଲାମ କରିବାକୁ ଚାହୁଁଥିଲା । କିନ୍ତୁ ଉଭୟର ବ୍ରୋଡକାଷ୍ଟ ପାର୍ଟନର ହେଉଛି ଡିଜନି ଷ୍ଟାର । ତେଣୁ ଏହା କରିବା ସମ୍ଭବ ହୋଇନଥିଲା । ଖବର ଅନୁଯାୟୀ ଆଇପିଏଲର ଶେଷ ନିଲାମ ଦୁବାଇରେ ଅନୁଷ୍ଠିତ ହୋଇଥିଲା। ବୋର୍ଡ ଏଥର ଏଠାରେ ମଧ୍ୟ କରିବାକୁ ଚାହୁଁନି ମେଗା ନିଲାମ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.