ବିଶ୍ୱକପରେ ପୁଣିଥରେ ଚୋକର୍ସ ସାବ୍ୟସ୍ତ ହେଲା ଦକ୍ଷିଣ ଆଫ୍ରିକା: ନ୍ୟୁଜିଲାଣ୍ଡ ଚାମ୍ପିୟନ

Published By : Prameya-News7 Bureau | October 20, 2024 IST

x

ଦୁବାଇ: ବିଶ୍ୱକପ ପାଇଁ ପୁଣିଥରେ ଚୋକର୍ସ ସାବ୍ୟସ୍ତ ହେଲା ଦକ୍ଷିଣ ଆଫ୍ରିକା। ପୁଣିଥରେ ହାତରୁ ଖସିଲା ବିଶ୍ୱକପ୍। ଆଉ ବାଜି ମାରିନେଲା ନ୍ୟୁଜିଲାଣ୍ଡ। ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୩୨ ରନ୍‌ରେ ପରାସ୍ତ କରିଛି। ଆଜିର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ହେଲେ ନ୍ୟୁଜିଲାଣ୍ଡ ଦେଇଥିବା ୧୫୯ ରନ୍‌ ଟାର୍ଗେଟ୍‌ ପୂରା କରି ନପାରି ୧୨୬ ରନରେ ସୀମିତ ରହିଥିଲା ଦଳ। ଫଳରେ ମାତ୍ର ୩୨ ରନ୍‌ରେ ବିଶ୍ୱକପ ହରାଇଛି ଦକ୍ଷିଣ ଆଫ୍ରିକା। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ପୁରୁଷ ଟିମ ମଧ୍ୟ ଭାରତ ଠାରୁ ହାରି ୨୦୨୪ ବିଶ୍ୱକପ ହରାଇଥିଲା।

ଆଜିର ମ୍ୟାଚ୍‌ରେ ପ୍ରଥମେ ବୋଲିଂ ନିଷ୍ପତ୍ତି ଆଫ୍ରିକା ପାଇଁ ଭୁଲ ସାବ୍ୟସ୍ତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ନ୍ୟୁଜିଲ୍ୟାଣ୍ଡ ୨୦ ଓଭରରେ ୧୫୮/୫ ରନ୍ କରିଥିଲା। ନ୍ୟୁଜିଲାଣ୍ଡ ପାଇଁ ଆମେଲିଆ କେର୍ ୩୮ ବଲ୍‌ରେ ୪ଟି ଚୌକା ସହିତ ସର୍ବାଧିକ ୪୩ ରନ୍ କରିଥିଲେ। ସେହିପରି ବ୍ରୋକେ ହାଲିଡେ ୩୮ ରନ୍ ଓ ସୁଜି ବେଟ୍ସ ୩୨ ରନ୍ କରିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ନନକୁଲୁଲେକୋ ମ୍ଲାବା ସର୍ବାଧିକ ୨ ୱିକେଟ ନେଇଥିବା ବେଳେ ଆୟାବୋଙ୍କ ଖାକା, ଚ୍ଲୋଏ ଟ୍ରାୟନ ଓ ନାଗିନେ ଦେ କ୍ଲେର୍କ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। 

୧୫୮ ରନ୍‌ ଟାର୍ଗେଟ୍‌ର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡ ବୋଲରଙ୍କ ସମ୍ମୁଖରେ ଖରାପ ଖେଳ ପ୍ରଦର୍ଶନ କରିଥିଲେ। ଯଦିଓ ଟିମ୍ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। 

ଓପନିଂ ଆସିଥିବା କ୍ୟାପଟେନ ଲୌରା ୱୋଲଭାର୍ଡ ଏବଂ ତାଜମିନ୍ ବ୍ରିଟ୍ସ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୫୧ ରନ୍ (୪୧ ବଲ୍) ଯୋଡିଥିଲେ। ହେଲେ ସପ୍ତମ ଓଭର ବେଳକୁ ଯୋଡ଼ି ଭାଙ୍ଗିଥିଲା। ତାଜମିନ୍ ବ୍ରିଟ୍ସ ୧୮ ଟି ବଲରେ ୧୭ ରନ୍ କରି ଆଉଟ ହୋଇଥିଲେ। ଏହାପର ଠାରୁ ୱିକେଟ ପତ୍ତନ ଆରମ୍ଭ ହୋଇଥିଲା। ଏହାପରେ ଦଶମ ଓଭର କ୍ୟାପ୍ଟେନ୍ ଲୌରା ୩୩ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ କୌଣସି ବ୍ୟାଟର ୨୦ ରନ୍ ସୁଦ୍ଧା କରିପାରି ନଥିଲେ। 

ଅନ୍ୟପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ରେସୋମାରି ମାଏର ଓ ଆମେଲିଆ କେର୍ ସର୍ବାଧିକ ୩ ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଇଡେନ କାର୍ସନ, ଫ୍ରାନ୍ ଜୋନାସ ଓ ବ୍ରୁକ ହାଲିଡେ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.