ପାର୍ଲେ ଜୀର ୯୬ ବର୍ଷର ସ୍ୱାଭିମାନ ଯାତ୍ରା: ବ୍ରିଟିସ ସରକାରଙ୍କୁ ଚ୍ୟାଲେଞ୍ଜ୍ ଦେଇ ଚକୋଲେଟ୍‌ରୁ କେମିତି ହେଲା ବିଶ୍ୱର ଟପ୍‌ ବିସ୍କୁଟ୍ ବ୍ରାଣ୍ଡ୍ ?

Published By : Prameya-News7 Bureau | March 08, 2025 IST

ନୂଆଦିଲ୍ଲୀଦେଶର ଏକ ବଡ଼ ଏଫ୍‌ସିଜି କମ୍ପାନୀ ପାର୍ଲେଜି ଉପରେ ହୋଇଛି ଆୟକର ବିଭାଗର ଚଢ଼ାଉ। ଅଭିଯୋଗ, ଅଘୋଷିତ ବିଦେଶୀ ସମ୍ପତ୍ତି ଓ ବେଆଇନ ନେଣଦେଣ। ଏସବୁର ଯାଞ୍ଚ କରୁଛି ଆୟକର ବିଭାଗ। ରିପୋର୍ଟ ଆସିଲେ ସତ୍ୟାସତ୍ୟ ଜଣାପଡ଼ିବ। ତେବେ ପାର୍ଲେଜିର ବ୍ୟବସାୟିକ ଯାତ୍ରା କିନ୍ତୁ ଖୁବ୍ ରୋଚକ। ପାର୍ଲେ ଜି ନାଁ ଶୁଣିଲେ ସମସ୍ତଙ୍କ ପିଲାଦିନର ଶ୍ମୃତି ସତେଜ୍ ହୋଇ ଉଠେ। ଏହି ବିସ୍କୁଟ୍ ପ୍ରପ୍ରାୟ ଆମ ସମସ୍ତଙ୍କ ପିଲାଦିନ ସହ ଜଡ଼ିତ। ଚା ସହ ବିସ୍କୁଟ୍ ମାନେ,ଲୋକେ ବୁଝୁଥିଲେ ପାର୍ଲେଜୀ। ସ୍ୱଦେଶୀ ଆନ୍ଦୋଳନରୁ ପ୍ରଭାବିତ ହୋଇ ଏକ ଚୋକଲେଟ୍ କମ୍ପାନୀରୁ ଆରମ୍ଭ ହୋଇଥିବା ପାର୍ଲେଜୀ କେମିତି ବିଶ୍ୱର ଟପ୍ ବିସ୍କୁଟ୍ ବ୍ରାଣ୍ଡ ହୋଇପାରିଲା ଆସନ୍ତୁ ଜାଣିବା ସେହି ସଫଳ ବ୍ୟବସାୟର ରୋଚକ କାହାଣୀ। 


ଭାରତରେ ବୋଧ୍ ହୁଏ ଏମିତି କେହି ନଥିବେ ଯିଏ ପାର୍ଲେଜୀ ବିସ୍କୁଟ୍ ବିଷୟରେ ଶୁଣି ନଥିବେ। ଇଏ ସେହି ବିସ୍କୁଟି ଯିଏ ସ୍ୱାଧୀନତା ପୂର୍ବରୁ ହିଁ ଲୋକଙ୍କ ଚା’ର ସାଥି ହୋଇ ଆସିଛି। ପାର୍ଲେଜୀର ଯାତ୍ରା ଆରମ୍ଭ ହୁଏ ପରାଧିନ ଭାରତରୁ। ସେତେବେଳେ ଇଂରେଜଙ୍କୁ ସୁହାଇଲା ଭଳି ଭାରତରେ ଅନେକ ବିଦେଶୀ ସାମଗ୍ରୀ ବିକ୍ରି ହେଉଥିଲା। ନିଜର ସୌଖିନ ସ୍ୱାଭାବ ପାଇଁ ଇଂରେଜମାନେ ଦାମି ଦାମି ଚୋକଲେଟ ଓ ବିସ୍କୁଟର ବ୍ୟବହାର କରୁଥିଲେ। ହେଲେ ଭାରତୀୟଙ୍କ ପାଇଁ ଏଭଳି ଚୋକୋଲେଟ୍ ଓ ବିସ୍କୁଟ୍‌ର ମଜା ନେବା ସ୍ୱପ୍ନ ଥିଲା। କାରଣ ଏଗୁଡ଼ିକ ଏତେ ଦାମ ଥିଲା ଯେ ସାଧାରଣ ଲୋକଙ୍କ ପାଇଁ କିଣିବା ଦୂରର କଥା ଚିନ୍ତା କରିବା ବି ମହରଗର ବ୍ୟାପାର ଥିଲା। ତେଣୁ ଭାରତୀୟଙ୍କ ବିକଳ ମନ ଏସବୁ ଖୋଜୁଥିଲେ ବି ବ୍ରିଟିସ ଆଗରେ ସେମାନେ ନାଚାର ଥିଲେ।  

ଆଉ ଏପଟେ ଇଂରେଜମାନଙ୍କର ଏଭଳି ଭେଦଭାବକୁ ସହିପାରିଲେନି ମୁମ୍ବାଇର ରେସମ ବ୍ୟବସାୟୀ ମୋହନ ଲାଲ୍ ଦୟାଲ ଚୌହ୍ୱାନ। ସ୍ୱେଦେଶୀ ଆନ୍ଦୋଳନରୁ ପ୍ରେରିତ ହୋଇ ସେ ଭାରତୀୟଙ୍କ ପାଇଁ ତିଆରି କଲେ ଏକ ସ୍ୱାଦିଷ୍ଟ ଚୋକୋଲେଟ୍। ଏଇଠୁ ଜନ୍ମ ନେଲା ପାର୍ଲେଜୀ।

ମୋହନ ଲାଲ ଦୟାଲ ଭାବିଲେ ସେ ବି ଭାରତୀୟଙ୍କ ପାଇଁ ଏକ ସ୍ୱଦେଶୀ ଚକୋଲେଟ୍ ତିଆରି କରିବେଯାହାର ମଜା ଭାରତୀୟ ନେଇପାରିବେ। ନିଜ ଦେଶର ଲୋକଙ୍କ ପାଇଁ ଥିବା ଭଲପାଇବା ଓ ସ୍ୱାଭିମାନ ନେଇ ସେ ଚାଲିଗଲେ ଜର୍ମାନୀ। ମିଶନ ଥିଲା ଜର୍ମାନୀରେ ଚକୋଲେଟ୍ ତିଆରି ଶିଖିବା.. ଆଉ ଭାରତ ଆସି ଏହାର ବ୍ୟବସାୟ ଆରମ୍ଭ କରିବା।  


ଶେଷରେ ସେୟା ହେଲା। ମୋହନ ଜର୍ମାନୀରେ ଚୋକୋଲେଟ୍ ତିଆରି କରିବା ଶିଖିଲେ, ଆଉ ୧୯୨୯ ମସିହାରେ ୬୦ ହଜାର ଟଙ୍କାର ଏକ ଚୋକୋଲେଟ୍ ତିଆରି ମେସିନ କିଣି ଭାରତ ଫେରିଆସିଲେ। ମୁମ୍ବାଇ ଭିଲେ ପାର୍ଲେରେ ଏକ ପୁରୁଣା ଫ୍ୟାକ୍ଟ୍ରି କିଣି ୧୨ ଜଣ ପରିବାର ସଦସ୍ୟଙ୍କୁ ନେଇ ଆରମ୍ଭ ହେଲା କମ୍ପାନୀ। ହେଲେ ପୂରା ପରିବାର କମ୍ପାନୀ ନିର୍ମାଣ କାମରେ ଏତେ ବ୍ୟସ୍ତ ହୋଇଗଲେ ଯେ କମ୍ପାନୀର ନାଁ କ'ଣ ଦିଆଯିବ ସେ କଥା ଭାବିବାକୁ କାହା ପାଖରେ ସମୟ ନଥିଲା। ଶେଷରେ ବ୍ୟବସାୟ ଯେଉଁ ସ୍ଥାନରେ ଆରମ୍ଭ ହୋଇଥିଲା ସେହି ନାଁରେ ସାମାନ୍ୟ ପରିବର୍ତ୍ତନ କରି କମ୍ପାନୀର ନାଁ ରଖାଗଲା ପାର୍ଲେ।

ପାର୍ଲେ ପ୍ରଥମେ ଏକ ଅରେଞ୍ଜ ଚୋକୋଲେଟ୍ ତିଆରି କରି ଭାରତୀୟ ବଜାରକୁ ଛାଡ଼ିଲା। ଏହି ଚୋକେଲେଟକୁ ଲୋକେ ଏତେ ପସନ୍ଦ କଲେ ଯେ କମ୍ପାନୀ ଆହୁରି ଅନେକ ସ୍ୱାଦର ଚୋକୋଲେଟ୍ ତିଆରି କଲା।। ଧୀରେ ଧୀରେ ବ୍ୟବସାୟ ସଫଳ ହେଲା। ଚୋକୋଲେଟ୍ ବ୍ୟବସାୟ ସଫଳ ହେବା ପରେ ଭାରତୀୟଙ୍କୁ ବିସ୍କୁଟର ମଜା ଦେବାକୁ କମ୍ପାନୀ ଏବେ ବିସ୍କୁଟ୍ ତିଆରି କରିବା ପାଇଁ ଚିନ୍ତା କଲା। 

ସେତେବେଳେ ଇଂରେଜମାନେ ଚା’ ସହ ବିସ୍କୁଟ୍ ଖାଉଥିଲେ। ହେଲେ ଏସବୁ ବିଦେଶୀ ଖାଦ୍ୟ ଦାମୀ ହୋଇଥିବାରୁ ଭାରତୀୟଙ୍କ ପାଇଁ ସ୍ୱପ୍ନ ଥିଲା। ଏଥିପାଇଁ ମୋହନଲାଲ ଦୟାଲ ଭାରତୀୟଙ୍କ ପାଇଁ ବିସ୍କୁ ବି ତିଆରି କରିବା ଆରମ୍ଭ କରିଦେଲେ। ୧୯୩୯ରେ ଭାରତକୁ ପ୍ରଥମ କରି ଆସିଲା ପାର୍ଲେ ଗ୍ଲୋକୋ ବିସ୍କୁଟ୍। ଏହା ଗହମରେ ତିଆରି ହୋଇଥିବାରୁ କମ ଦାମ ସହ ସ୍ୱାଦ ବି ଖୁବ୍ ଚମତ୍କାର ଥିଲା। ଦେଖୁ ଦେଖୁ ସାରା ଭାରତରେ ପାର୍ଲେ ଗ୍ଲୁକୋ ବିସ୍କୁଟ୍ ଖେଳି ଗଲା। ବ୍ରିଟିଶରମାନେ ବି ଚା’ ସହ ପାର୍ଲେ ବିସ୍କୁଟ୍‌ର ମଜା ଉଠାଇଲେ। 

ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ପାର୍ଲେ ଗ୍ଲୁକୋ ବିସ୍କୁଟ ଏକ ବଡ଼ ବ୍ରାଣ୍ଡ ହୋଇସାରିଥିଲା। ତାପରେ ଭାରତ ସ୍ୱାଧୀନ ହେବା ଓ ପାକିସ୍ତାନ ଅଲଗା ହୋଇଯିବା, ଅର୍ଥନୀତି ଓ କୃଷି ଉପରେ ଗଭୀର ପ୍ରଭାବ ପକାଇଲା। ବିସ୍କୁଟ ତିଆରି ପାଇଁ ବ୍ୟବହାର ହେଉଥିବା କଞ୍ଚାମାଲ ଗହମର ଘୋର ଅଭାବ ଯୋଗୁ ଶେଷରେ ପାର୍ଲେ ବିସ୍କୁଟ୍ ପ୍ରଡକ୍ସନ ବନ୍ଦ କରିବାକୁ ପଡ଼ିଲା।


ପାର୍ଲେ ଗ୍ଲୁକୋର ବନ୍ଦ ହୋଇଯିବା ପରେ ଭାରତର ଲୋକଙ୍କୁ ବିସ୍କୁଟ୍‌ର ଅଭାବ ଘାରିଲା। ଲୋକଙ୍କର ଡିମାଣ଼୍ଡ ଏତେ ବଢ଼ିଲା ଯେ କମ୍ପାନୀକୁ ବି ଏହା ହୃଦବୋଧ ହେଲା। ସ୍ଥିତିରେ ସୁଧାର ଆସିଲେ ପୁଣିଥରେ ବିସ୍କୁଟ ଉତ୍ପାଦନ ଆରମ୍ଭ ହେବ ବୋଲି କମ୍ପାନୀ ପ୍ରତିଶ୍ରୁତି ବି ଦେଇଥିଲା। 

ହେଲେ ଏହି ସମୟରେ ପାର୍ଲେର ସଫଳତା ଦେଖି ବଜାରରେ ଅନ୍ୟ ବିସ୍କୁଟ୍ କମ୍ପାନୀମାନେ ଏଣ୍ଟ୍ରି କରି ସାରିଥିଲେ। ୧୯୬୦ ବେଳକୁ ଭାରତୀୟ ବଜାରକୁ ବ୍ରିଟାନିଆର ଏଣ୍ଟ୍ରି ହୋଇଥିଲା। ଆଉ ପାର୍ଲେର ଲୋକପ୍ରିୟତା ଦେଖି ବ୍ରିଟାନିଆ ମଧ୍ୟ ଗ୍ଲୁକୋ ନାଁରେ ବିସ୍କୁଟ୍ ତିଆରି କରି ମାର୍କେଟ୍‌କୁ ଛାଡ଼ିଲା। ଗ୍ଲୁକୋ ଶବ୍ଦ ଗ୍ଲୁକୋଜରୁ ଆସିଥିବାରୁ ପାର୍ଲେ ପାଖରେ ଏହାର କୌଣସି କପି ରାଇଟ୍ ନଥିଲା। 

ତେଣୁ ଯେ କୌଣସି କମ୍ପାନୀ ଗ୍ଲୁକୋ ନାଁକୁ ବ୍ୟବହାର ଏହାର ପାଇଦା ଉଠାଉଥିଲେ। ଏକାଧିକ କମ୍ପାନୀ ଗ୍ଲୁକୋ ନାଁ ବ୍ୟବହାର କରି ଅନେକ ବିସ୍କୁଟି ପ୍ରଡକ୍ସନ ଆରମ୍ଭ କରିଦେଇଥିଲେ। ତେଣୁ ଲୋକେ ପାର୍ଲେ ଗ୍ଲୁକୋ ଓ ଅନ୍ୟ ବିସ୍କୁଟ୍ ବିଷୟରେ ମଝିରେ ଫସିଗଲେ। ପାର୍ଲେ ବିସ୍କୁଟ୍‌ର ବ୍ୟବସାୟ ଉପରେ ଏହାର ଗଭୀର ପ୍ରଭାବ ପଡ଼ିବ ବୋଲି କମ୍ପାନୀ ଚିନ୍ତା କଲା। 

ନକଲି ରୋକିବା ଓ ବ୍ୟବସାୟକୁ ବଞ୍ଚାଇବା ପାଇଁ ପାର୍ଲେ ବିସ୍କୁଟ୍ ଏହାର ପ୍ୟାକେଜିଂରେ ପରିବର୍ତ୍ତନ କଲା। ହଳଦିଆ ହାଲ୍‌କା ୱାକ୍ସ ପେପରରେ ଛୋଟ ପିଲାର ଫଟୋ ଥାଇ ପାର୍ଲେ ଗ୍ଲୁକୋ ନାଁରେ ବଜାରକୁ ଆସଲା ନୂଆ ବିସ୍କୁଟ। ତଥାପି ନକଲି ବିସ୍କୁଟ୍‌କୁ ରୋକାଯାଇପାରିଲ ନାହିଁ। ଶେଷରେ ୧୯୮୨ରେ ପାର୍ଲେ ଗ୍ଲୁକୋ ବିସ୍କୁଟର ନୂଆ ନାଁ ପରିବର୍ତ୍ତନ କରି ରଖିଲା ପାର୍ଲେ ଜି। ଗ୍ଲୁକୋଜ୍‌ର ରୁ ଜି ଆସିଥିଲା। ହେଲେ ପରେ ଏହାକୁ ଜି ଫର ଜିନିୟସ୍ ବୋଲି ଲୋକେ ଜାଣିଲେ। ୨୦୦୧ରେ ପାର୍ଲେଜି କାଗଜ ପ୍ୟାକେଜିଂ ବନ୍ଦ କରି ଜରି ପ୍ୟାକିଂ ଆରମ୍ଭ କରିଥିଲା।

ତେବେ ଯାହା ହେଉ ନାଁ ବଦଳାଇବା ପରେ ପୁଣି ଏକ ନୂଆ ଇନିଂସ ଆରମ୍ଭ କରିଦେଲା ପାର୍ଲେ-ଜି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨୦୦୩ରେ ପାର୍ଲେଜି ବିଶ୍ୱର ସର୍ବାଧିକ ବିକ୍ରି ହୋଇଥିବା ବିସ୍କୁଟ୍ ବୋଲି ଘୋଷଣା କରାଯାଇଥିଲା। ପାର୍ଲେଜି ଭାରତର ପ୍ରଥମ FMCG ବ୍ରାଣ୍ଡ ହିସାବରେ ୨୦୧୨ରେ ୫ ହଜାର କୋଟିର ବିକ୍ରି କରିଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। 

ହଁ ତେବେ ପାର୍ଲେଜୀ ବିସ୍କୁଟ୍ ପ୍ୟାକେଟ୍‌ରେ ଥିବା ଛୋଟ ପିଲାର ଫଟୋକୁ ନେଇ ମଧ୍ୟ ଅନେକ ସମୟରେ ଟର୍ଚ୍ଚା ହୁଏ। ଏହି ଫଟୋ ଟି ନେଇ ୩ ମହିଳାଙ୍କର ନାଁ ଆସେ. ନିରୁଦେଶପାଣ୍ଡେ, ସୁଧା ମୁର୍ତ୍ତୀ ଓ ଗୁଞ୍ଜନ ଗଣ୍ଡାନିଆଙ୍କ ମଧ୍ୟରୁ କାହାର ଜଣଙ୍କର ହୋଇଥିବା। ତେବେ ଏସବୁ ଗୁଜବ ଭିତରେ ପାର୍ଲେ କମ୍ପାନୀର ପ୍ରଡକ୍ଟ ମ୍ୟାନେଜର ମୟଙ୍କ ଜୈନ୍ ଏହାର ଖୁଲାସା କରିଥିଲେ। ପ୍ରକୃତରେ ଏହି ଛୋଟପିଲାର ଚିତ୍ରଟି କୌଣସି ମଣିଷର ନୁହେଁ.. ବରଂ ୬୦ ଦଶକରେ ମଗନ ଲାଲ୍ ଦହିଆ ନାମକ ଜଣେ ଚିତ୍ରକର ଏହାକୁ ଆଙ୍କିଥିଲେ ବୋଲି ସେ କହିଛନ୍ତି। 

ପାର୍ଲେଜି କେବଳ ବିସ୍କୁଟ୍‌ ନୁହେଁ, ପାଣି, ଚୋକୋଲେଟ, କେକ୍, କୋଲ୍‌ଡ୍ରିଙ୍କସ୍ ଆଦି ବିକ୍ରି କରୁଛି। ତା ସହିତ ମୋନାକୋ, କ୍ରାକଜ୍ୟାକ୍, ବର୍ବନ୍, ମାରି ଗୋଲ୍ଡ, ହାଇଡ୍ ଆଣ୍ଡ ସିକ୍ ସିକ୍, ମ୍ୟାଙ୍ଗୋ ବାଇଟ୍ ଏବଂ ପପିନ୍ସ ସମେତ ଅନେକ ଲୋକପ୍ରିୟ ଉତ୍ପାଦ ବଜାରକୁ ଛାଡ଼ୁଛି। ଆଜିର ଗ୍ଲୋବାଲାଇଜେସନ ସମୟରେ ଏକାଧିକ ଭାରତୀୟ ବ୍ରାଣ୍ଡର ବିସ୍କୁଟି ବିକ୍ରି ହେଉଛି। ହେଲେ ଆଜି ବି ପାର୍ଲେଜୀ ଲୋକଙ୍କ ହୃଦରେ ରହିଛି। ପାର୍ଲେଜୀ ପ୍ରତି ଲୋକଙ୍କ ଭଲପାଇବା ଠିକ୍ ସେମିତି ରହିଛି ଯେମିତି ସ୍ୱାଧୀନତା ପୂର୍ବରୁ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.