ନୂଆଦିଲ୍ଲୀ ୦୫/୦୩: ଜାପାନରେ ସମ୍ରାଟ ହେବା ନିୟମ ବହୁତ କଠୋର । ସେଠି କେବଳ ରାଜଗାଦିରେ ବସିପାରିବେ ପୁରୁଷ । ମହିଳାଙ୍କୁ ସିଂହାସନରେ ବସିବା ମନା । ଏହି କାରଣରୁ ସମ୍ରାଟ ନାରୁହିତୋଙ୍କ ଝିଅକୁ ମିଳିଲାନି ସୁଯୋଗ । ଆଉ ପୁତୁରା ହିସାହିତୋ ହେଲେ ସିଂହାସନରେ ବସିବାର ପ୍ରଥମ ଦାବିଦାର । ନିକଟରେ ୧୮ ବର୍ଷୀୟ ଯୁବରାଜ ହିସାହିତୋ ଦେଇଥିଲେ ପ୍ରଥମ ସାକ୍ଷାତକାର । ଯେଉଁଥିରେ ସେ ବଖାଣିଥିଲେ ନିଜ ଭବିଷ୍ୟତର ଦାୟିତ୍ୱ ଓ କର୍ତ୍ତବ୍ୟ କଣ ।
ଜଣେ ରାଜକୁମାରୀ, ଯିଏ ଜନ୍ମରୁ ଥିଲେ ସିଂହାସନର ପ୍ରକୃତ ଉତ୍ତରାଧିକାରୀ । କିନ୍ତୁ ପରମ୍ପରା ପାଇଁ ପଡିଗଲେ ପଛରେ । ଜାପାନୀ ରାଜପରିବାରରେ ନଜର ଆସିଥିଲା ଏମିତି ଘଟଣା । ସମ୍ରାଟ ନାରୁହିତୋଙ୍କ ଝିଅ ଆଇକୋ ଉତ୍ତରାଧିକାରୀ ଦୌଡ଼ରୁ ପଡିଥିଲେ ବାଦ୍ । କାରଣ ନିୟମ ଥିଲା ଅଲଗା । ଯେଉଁଠି ଜଣେ ପୁରୁଷକୁ ସମ୍ରାଟ ହେବାର ଅଧିକାର ରହିଛି, ସେଠି ଝିଅକୁ କିଏ ଦେବ ତାର ହକ୍ । କ୍ରାଉନ୍ ପ୍ରିନ୍ସ ହିସାହିତୋ - ସିଂହାସନ ପାଇଁ ସବୁଠାରୁ ଶକ୍ତିଶାଳୀ ଦାବିଦାର ହୋଇଛନ୍ତି।
କ୍ରାଉନ୍ ପ୍ରିନ୍ସ ହିସାହିତୋ ହେଉଛନ୍ତି ଜାପାନର ବର୍ତ୍ତମାନର ସମ୍ରାଟ ନାରୁହିତୋଙ୍କ ସାନ ଭାଇ କ୍ରାଉନ୍ ପ୍ରିନ୍ସ ଆକିଶିନୋଙ୍କ ପୁଅ। ସେ ଜାପାନର ସିଂହାସନର ଦ୍ୱିତୀୟ ଉତ୍ତରାଧିକାରୀ, ଏବଂ ଯଦି ଭବିଷ୍ୟତରେ ଉତ୍ତରାଧିକାରର ନିୟମ ପରିବର୍ତ୍ତନ ନ ହୁଏ, ତେବେ ସେ ଜାପାନର ପରବର୍ତ୍ତୀ ସମ୍ରାଟ ହୋଇପାରନ୍ତି। ସେ ଖୁବଶୀଘ୍ର ଜାପାନ ଟୋକିଓ ସୁକୁବା ବିଶ୍ୱବିଦ୍ୟାଳୟରେ ତାଙ୍କର ପାଠପଢ଼ା ଆରମ୍ଭ କରିବେ । ଯେଉଁଠାରେ ସେ ଜୀବବିଜ୍ଞାନରେ ବିଶେଷଜ୍ଞତା ହାସଲ କରିବାକୁ ଯୋଜନା କରୁଛନ୍ତି।
ରାଜଗାଦି ପାଇଁ ନା ଘୋଷଣା ପରେ ସେ କରିଥିଲେ ପ୍ରଥମ ସାମ୍ବାଦିକ ସମ୍ମିଳନୀ । ପ୍ରଥମେ ଟିକେ ଗମ୍ଭୀର ଓ ନର୍ଭସ ହୋଇଥିଲେ । କିନ୍ତୁ କଥାବାର୍ତ୍ତା ଆଗକୁ ବଢ଼ିବା ସହିତ ତାଙ୍କର ବଢିଥିଲା ଆତ୍ମବିଶ୍ୱାସ । ଖୁସିର କଥା, ଯୁବରାଜ ହିସାହିତୋ ଚାଷ କରିବାକୁ ଭଲ ପାଆନ୍ତି। ସେ କହିଥିଲେ ଯେ ସେ ନିଜେ ପନିପରିବା ଓ ଚାଉଳ ଚାଷ କରନ୍ତି । ତେବେ ତାଙ୍କର ଏହି ସରଳତା ଏବଂ ପ୍ରକୃତି ପ୍ରତି ପ୍ରେମ ଜାପାନୀ ଲୋକଙ୍କୁ ବେଶ୍ କରିଛି ପ୍ରଭାବିତ ।
ଜାପାନରେ ରାଜକୀୟ ଉତ୍ତରାଧିକାର ନିୟମରେ ପରିବର୍ତ୍ତନ ପାଇଁ ଦୀର୍ଘ ଦିନ ଧରି ହୋଇଆସୁଛି ଦାବି । ଅନେକଙ୍କ ବିଶ୍ୱାସ କରନ୍ତି ଯେ ସମ୍ରାଟ ନାରୁହିତୋଙ୍କ ଝିଅ ଆଇକୋ ବି ସିଂହାସନ ପାଇଁ ଯୋଗ୍ୟ । ତଥାପି, ବର୍ତ୍ତମାନ ଜାପାନର ସାମ୍ରାଜ୍ୟ ଆଇନ କେବଳ ପୁରୁଷ ଉତ୍ତରାଧିକାରୀଙ୍କୁ ସ୍ୱୀକୃତି ଦିଏ। ଯଦି ଏହି ନିୟମ ପରିବର୍ତ୍ତନ ନ କରାଯାଏ, ତେବେ ହିସାହିତୋ ଭବିଷ୍ୟତରେ ଜାପାନର ସମ୍ରାଟ ହୋଇପାରିବେ।