ନୂଆଦିଲ୍ଲୀ: ୨୦୨୪ ମସିହା ଟେଷ୍ଟ କ୍ରିକେଟ୍ ଦୃଷ୍ଟିରୁ ଅନେକ ଉପଲବ୍ଧିର ବର୍ଷ ଥିଲା । ଟେଷ୍ଟ କ୍ରିକେଟ୍ ପାଇଁ ଦର୍ଶକଙ୍କ ଭଲ ପାଇବା ମଧ୍ୟ ବଢିଥିଲା । କିଛି ଖେଳାଳି ନିଜ ପ୍ରଦର୍ଶନରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ନିଜ ନିଜ ଟିମର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଏହାରି ଭିତରେ ଆଇସିସି ଟେଷ୍ଟ ଟିମ୍ ଅଫ୍ ଦ’ ଇଅର ଘୋଷଣା କରିଛି । ଆଇସିସି ଶୁକ୍ରବାର ଆଇସିସି ଘୋଷଣା ରକରିଥିବା ଟିମରେ ତିନି ଜଣ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ଅଷ୍ଟ୍ରେଲିଆର କେବଳ ଜଣେ ଖେଳାଳିଙ୍କୁ ଟିମରେ ସ୍ଥାନ ମିଳିଛି । ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସଙ୍କୁ ଟିମର କ୍ୟାପ୍ଟେନ କରାଯାଇଛି ।
ଆଇସିସି ଟେଷ୍ଟ ଟିମ୍ ଅଫ୍ ଦ’ ଇଅରରେ ଟିମ୍ ଇଣ୍ଡିଆର ଯୁବ ଓପନର ଯଶସ୍ୱୀ ଜୈସ୍ୱାଲଙ୍କୁ ଓପନିଂରେ ସ୍ଥାନ ମିଳିଛି । ଦ୍ୱିତୀୟ ଓପନର ଭାବେ ଇଂଲଣ୍ଡର ବେନ୍ ଡକେଟ୍ଙ୍କୁ ସ୍ଥାନ ମିଳିଛି । ଜୈସ୍ୱାଲ ପାଇଁ ୨୦୨୪ ମସିହାର ଭାରତର ଅନ୍ୟ ବ୍ୟାଟରଙ୍କ ତୁଳନାରେ ଭଲ ବିତିଛି । ଗତ ବର୍ଷ ସେ ୨୯ଟି ଟେଷ୍ଟ ଇନିଂସରେ ୫୪.୭୪ ହାରରେ ୧୪୭୮ ରନ୍ କରିଥିଲେ । ଏଥିରେ ତାଙ୍କ ବ୍ୟାଟରୁ ୨ଟି ଶତକ ଏବଂ ୯ ଅର୍ଦ୍ଧଶତକ ସାମିଲ ଥିଲା । ଜୋ ରୁଟଙ୍କ ପରେ ସବୁଠୁ ଅଧିକ ରନ୍ କରିବା ସୂଚୀରେ ସେ ଦ୍ୱିତୀୟ ସ୍ଥାନରେ ଥିଲେ ।
ଟିମ୍ ଇଣ୍ଡିଆ ଷ୍ଟାର୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଇସିସିର ଏହି ଟିମରେ ସ୍ଥାନ ପାଇଛନ୍ତି । ଜାଡେଜା ଗତ ବର୍ଷ ୧୮ ଇନିଂସରେ ଗୋଟିଏ ଶତକ ଏବଂ ୩ ଅର୍ଦ୍ଧଶତକ ସମେତ ମୋଟ ୫୨୭ ରନ୍ କରିଥିଲେ । ଏହାସହ ୨୧ ଇନିଂସରେ ୪୮ ୱିକେଟ୍ ବି ହାସଲ କରିଥିଲେ । ସେହିପରି ୨୦୨୪ ଟିମ୍ ଇଣ୍ଡିଆ ପାଇଁ ସବୁଠୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଯଶପ୍ରୀତ ବୁମରା ମଧ୍ୟ ଟିମର ସଦସ୍ୟ ଅଛନ୍ତି । ବୁମରା ୨୦୨୪ରେ ୨୬ ଇନିଂସରେ ସବୁଠୁ ଅଧିକ ୭୧ ୱିକେଟ୍ ହାସଲ କରିଥିଲେ । ଆଇସିସି ଟେଷ୍ଟ ଟିମ୍ ଅଫ୍ ଦ ଇଅରରେ ଇଂଲଣ୍ଡର ୪, ଭାରତର ୩, ନ୍ୟୁଜିଲାଣ୍ଡର ୨ ଖେଳାଳି ଅଛନ୍ତି । ଅନ୍ୟପଟେ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କାରୁ ଜଣେ ଜଣେ ଖେଳାଳିଙ୍କୁ ସ୍ଥାନ ମିଳିଛି ।
ଆଇସିସି ଟେଷ୍ଟ ଟିମ୍ ଅଫ୍ ଦ ଇଅର: ପ୍ୟାଟ୍ କମିନ୍ସ (ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ, ବେନ୍ ଡକେଟ୍, କେନ୍ ୱିଲିୟମ୍ସନ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, କାମିଣ୍ଡୁ ମେଣ୍ଡିସ୍, ଜାମି ସ୍ମିଥ୍ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ମ୍ୟାଟ୍ ହ୍ୟାନେରୀ ଏବଂ ଜଶପ୍ରୀତ ବୁମରା