ଭୁବନେଶ୍ୱର: ଯାତ୍ରା ମାଲିକ ମହାସଂଘର ଆକ୍ସନ ପରେ ଯାତ୍ରା କଳାକାର କର୍ମଚାରୀ ମହାସଂଘର ରି-ଆକ୍ସନ । ବୟକଟ୍ ଜବାବରେ ବର୍ଜନ ଚେତାବନୀ । ବରିଷ୍ଠ ହାସ୍ୟ ଅଭିନେତା ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କୁ ଯାତ୍ରା ମାଲିକ ସଂଘ ବ୍ୟାନ କରିବା ପରେ ଆଜି ବସିଥିଲା ଯାତ୍ରା କଳାକାର କର୍ମଚାରୀ ମହାସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଯାତ୍ରା କଳାକାରମାନେ ଖୋଲାଖୋଲି ମାଲିକଙ୍କୁ ଶୁଣାଇ ଦେଇଛନ୍ତି ଚରମବାଣୀ । କଳାକାଳଙ୍କୁ ବ୍ୟାନ ନିଷ୍ପତ୍ତି ପ୍ରତ୍ୟାହାର ନକରାଗଲେ, ଯାତ୍ରାକୁ ବର୍ଜନ କରାଯିବ ବୋଲି ସଂଘର ବୈଠକରେ ଚେତାବନୀ ଦିଆଯାଇଛି ।
ବୈଠକ ପରେ ବରିଷ୍ଠ ଯାତ୍ରା କଳାକାର ବାପି ପଣ୍ଡା କହିଛନ୍ତି, 'ନରି ପଣ୍ଡାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସଂଘ ତାଙ୍କ ସହ ରହିବ । କଳାକାରଙ୍କ ପେଟକୁ ଲାତ ମାରିବା ଠିକ୍ ନୁହେଁ । ବିନା ଦୋଷରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ନୁହେଁ । ନାରି ପଣ୍ଡା ମାମଲାରେ ଥାନା ଅଧିକାରୀ ସଠିକ ତଦନ୍ତ କରନ୍ତୁ । ନରି ପଣ୍ଡା ମାମଲା ଚାପି ଦେବା ପାଇଁ ଷଡଯନ୍ତ୍ର କରି ଥାଇପରେ । ଏନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରସ୍ଥ ହେବୁ । ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବୁ । କଳାକାର ଓ ମାଲିକଙ୍କ ସହ ସମନ୍ୱୟ ରକ୍ଷା କରିବା ଆମ କାମ ।'
ସେ ଆହୁରି କହିଛନ୍ତି ଯେ 'କଳାକାର ସୁରକ୍ଷିତ ନୁହନ୍ତି । କଳାକାର ଓ ମାଲିକଙ୍କ ମଧ୍ୟରେ ସମ୍ନନ୍ୱୟ ରହିଲେ ମଞ୍ଚ ବଞ୍ଚିବ । ଯାତ୍ରାରେ କଳାକାରଙ୍କୁ ବ୍ୟାନ୍ କରିବାର ଅଧିକାର ଯାତ୍ରା ମାଲିକଙ୍କ ପାଖରେ ନାହିଁ । ଯେଉଁମାନେ ଯାତ୍ରା ମାଲିକଙ୍କ ଦ୍ୱାରା ଶୋଷଣର ଶିକାର ହୋଇଛନ୍ତି ଆଗକୁ ଆସନ୍ତୁ ।'
ବିଗତ କିଛି ଦିନ ହେବ ଓଡ଼ିଶା ଯାତ୍ରା ଅପେରା ଖାଲି ଉଠୁଛି ପଡ଼ୁଛି । ପ୍ରତିଦିନ କିଛି ନା’ କିଛି ଘଟଣା ଏବେ ଶୀର୍ଷ ଖବର । ଯାହାକୁ ନେଇ ଚହଳ ପଡ଼ିଛି । ଯାତ୍ରା ପାର୍ଟି ବଦଳାଇବାକୁ ଅଗ୍ରୀମ ନେଇ ଅଡ଼ୁଆରେ ପଡ଼ିଥିବା ହାସ୍ୟାଭିନେତା ନରି ପଣ୍ଡାଙ୍କୁ ଯାତ୍ରା ମାଲିକ ସଂଘ ବ୍ୟାନ୍ କରିଥିଲା ବେଳେ ପୀୟୂଷଙ୍କ ବିବାଦ ତୁଟାଇ ତାଙ୍କ ଅନୁରୋଧରେ ତାଙ୍କୁ ବର୍ଷେ ବିଶ୍ରାମ ଦେଇଛି । ଏଣେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ବୟାନ ରଖି ମାଲିକଙ୍କ ଉପରକୁ ଅଙ୍ଗୁଳି ଉଠାଇଥିବା ପ୍ରତାପ ମହାନ୍ତିଙ୍କୁ ବି ନରିଙ୍କ ଭଳି ବ୍ୟାନ୍ ଦଶା ଭୋଗିବାକୁ ପଡ଼ିଛି । କିନ୍ତୁ ସମାନ କଥା ଲାଗି ଅଭିନେତ୍ରୀ ନମିତାଙ୍କୁ ମାଲିକ ସଂଘ ବ୍ୟାନ୍ ବଦଳରେ କାରଣ ଦର୍ଶାଅ ନୋଟିସ୍ ପଠାଇଛି । ଅନ୍ୟପକ୍ଷରେ ଓଡ଼ିଶାର ନାଟ୍ୟଗୁରୁଙ୍କ ଉପରେ ନକାରାତ୍ମକ ଟିପ୍ପଣୀ ଦେଇ ଅପମାନିତ କରିଥିବା ଅଭିନେତା ଦୟାଙ୍କୁ ବିରୋଧ କରିଛି ଅପେରା ମାଷ୍ଟର୍ସ ଆସୋସିଏସନ୍ (ଓମା) ।