କଟକ: ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବୟାନକୁ ନେଇ ସାରା ଓଡ଼ିଶାରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିବାବେଳେ, କଟକରେ ମଧ୍ୟ ଜୋରଦାର ବିରୋଧ କରାଯାଇଛି। ଯୁବ ବିଜେଡି କର୍ମକର୍ତ୍ତମାନେ କଟକ ବକ୍ସି ବଜାର ଛକରେ ଏକତ୍ରିତ ହୋଇ ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ବିରୋଧ କରିବା ସହ ତାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଶାସକ ଦଳର ବିଧାୟକ ହୋଇ କିଭଳି ଓଡ଼ିଶା ବିଭାଜନ କରିବା ଭଳି ମନ୍ତବ୍ୟ ଦେଇଛନ୍ତି ତାହା ବିରୁଦ୍ଧରେ ସରକାର କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
ସୂଚନାଥାଉକି, ସମ୍ବଲପୁର ‘ସୁଭଦ୍ରା’ ସଭାରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ କହିଥିଲେ ‘ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ୍ ଥିଲା । ଉତ୍କଳ କହିଲେ କେବଳ କଟକ, ପୁରୀ, ବାଲେଶ୍ବରକୁ ବୁଝାଏ । କିନ୍ତୁ ଉତ୍କଳ, କଳିଙ୍ଗ ଓ କୋଶଳ ମିଶିକି ଓଡ଼ିଶା ହୋଇଛି । କେବଳ ଉତ୍କଳର ଜୟଗାନ କରିବା ଆଉ ଆମର କୋଶଳ, କଳିଙ୍ଗର ଜୟଗାନ ହେବନି ? ଏଇଟା କ’ଣ ଗୋଟେ ମାନସିକତା ? ଆମକୁ ତମେ ଶୋଷଣ କରୁଛ । ଆମର ଅର୍ଥ, ଆମର ଖଣି, ଆମର ଚାଷ, ଆମର ଜଙ୍ଗଲ ସବୁଥିରେ ଆମକୁ ତମେ ଶୋଷଣ କଲ । ଚାକିରି ବାକିରି ସବୁଥିରେ । ଆଉ ଆଜି ତମେ ଆମକୁ କଲ୍ଚରାଲି ବି ଏକ୍ସପ୍ଲଏଟ୍ କରିବାକୁ ଚାହୁଁଛ । ଏଇଟା କି କଥା ? ଆମେ ଓଡ଼ିଶା ପ୍ରଦେଶରେ ମିଶିଥିଲୁ । ଓଡ଼ିଶା ପ୍ରଦେଶରେ ମିଶିବାକୁ ଆନ୍ଦୋଳନରେ ବି ସାମିଲ ହୋଇଥିଲୁ । କିନ୍ତୁ ଓଡ଼ିଶାରେ ମିଶିକି ଆମେ ସବୁଠୁ ବଡ଼ ଭୁଲ୍ ହେଲା । ଏହା ଏକ ଐତିହାସିକ ଭୁଲ୍ । ଆଉ ଏହି ଐତିହାସିକ ଭୁଲକୁ ଆମେ ବାରମ୍ବାର କହୁଛୁ ।’’ ତେବେ ଜୟନାରାୟଣଙ୍କ ଏହି ବୟାନରେ ଏବେ ତାଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।