ଜେଲରୁ ମୁକୁଳି ବର୍ଷିଲେ JMM ନେତା ହେମନ୍ତ ସୋରେନ, ଜାଣନ୍ତୁ ବୟାନରେ କହିଲେ କ’ଣ?

Published By : Prameya-News7 Bureau | June 28, 2024 IST

ରାଞ୍ଚୀ ୨୮।୬: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶୁକ୍ରବାର ଅପରାହ୍ନ ୪ଟା ବେଳେ ହୋଟୱାରସ୍ଥିତ ବିରସା ମୁଣ୍ଡା ସେଣ୍ଟ୍ରାଲ ଜେଲରୁ ମୁକୁଳିଛନ୍ତି। ଏହା ପରେ ସେ ମୋରହାବାଦ ସ୍ଥିତ ତାଙ୍କ ଘରକୁ ଯାଇ ପିତା ଶିବୁ ସୋରେନ ଓ ମା ରୂପୀ ସୋରେନଙ୍କୁ ଭେଟିଛନ୍ତି। ଜେଲରୁ ମୁକ୍ତ ହେବା ପରେ ସୋରେନ କହିଛନ୍ତି ଯେ ‘ଷଡ଼ଯନ୍ତ୍ର କରି ମିଥ୍ୟା କାହାଣୀ ଗଢି ମୋତେ ୫ ମାସ ପର୍ଯ୍ୟନ୍ତ ଜେଲରେ ରଖାଗଲା। ଅନ୍ତତଃ କୋର୍ଟଙ୍କ ଆଦେଶରେ ଏବେ ଜନତାଙ୍କ ଗହଣକୁ ପହଞ୍ଚିଛି। କୋର୍ଟ ଯେଉଁ ଆଦେଶ ଦେଇଛନ୍ତି ତାହା ଦେଖିବା ଓ ବୁଝିବା ଯୋଗ୍ୟ’। 


ସୋରେନ କହିଛନ୍ତି ଯେ କୋର୍ଟଙ୍କ ଆଦେଶକୁ ମୁଁ ପୁରା ସମ୍ମାନ କରୁଛି। ତେବେ ନ୍ୟାୟ ପ୍ରକ୍ରିୟାକୁ ଦୀର୍ଘ କରାଯିବା ବାସ୍ତବିକ ଚିନ୍ତାର କାରଣ। ସେ କହିଛନ୍ତି ଯେ ‘ଆଜି ଦେଶରେ ସରକାରଙ୍କ ବିରୋଧରେ କହୁଥିବା ରାଜନେତା, ସମାଜସେବୀ, ଲେଖକ ଓ ସାମ୍ବାଦିକଙ୍କ ଶ୍ୱରକୁ ସୁନିୟୋଜିତ ଢଙ୍ଗରେ ଚପାଇ ଦିଆଯାଉଛି’। ଜମି ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଝାଡଖଣ୍ଡ ହାଇକୋର୍ଟ ଶୁକ୍ରବାର ମଧ୍ୟାହ୍ନରେ ସୋରେନଙ୍କ ଜାମିନକୁ ମଞ୍ଜୁର କରିଛନ୍ତି। 


କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ‘କୋର୍ଟଙ୍କ ନଜରକୁ ଏପର୍ଯ୍ୟନ୍ତ ଯେଉଁ ତଥ୍ୟ ଅଣାଯାଇଛି ସେଥିରେ ସୋରେନ ମନିଲଣ୍ଡ୍ରିଂରେ ଦୋଷୀ ତାହା ମାନିବା ପାଇଁ କୌଣସି ଆଧାର ନାହିଁ’। ହାଇକୋର୍ଟଙ୍କ ଏହି ଆଦେଶ ଜାରି ହେବା ପରେ ରାଞ୍ଚୀ ସିଭିଲ କୋର୍ଟରେ ତାଙ୍କ ଭାଇ ବସନ୍ତ ସୋରେନ ଓ କୁମାର ସୋରେନ ୫୦-୫୦ ହଜାର ଟଙ୍କାର ଦୁଇଟି ବ୍ୟକ୍ତିଗତ ମୁଚାଲିକା ଦାଖଲ କରିଥିଲେ। ଏହା ପରେ ହେମନ୍ତ ସୋରେନଙ୍କୁ ମୁକ୍ତ କରିବା ପାଇଁ ଜେଲକୁ ଆଦେଶ ଯାଇଥିଲା। 

ସୋରେନ ଯେତେବେଳେ ଜେଲରୁ ବାହାରକୁ ବାହାରିଲେ ତାଙ୍କୁ ସ୍ୱାଗତ କରିବା ପାଇଁ ତାଙ୍କ ପତ୍ନୀ କଳ୍ପନା ସୋରେନ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ହଫିଜୁଲ ହସନ, ଜେଏମଏମ ସାଧାରଣ ସମ୍ପାଦକ ବିନୋଦ ପାଣ୍ଡେୟ, ମୁଖପାତ୍ର ତନୁଜ କ୍ଷତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ନେତା ଓ ଜେଏମଏମ କାର୍ଯ୍ୟକର୍ତ୍ତା ଜେଲ ବାହାରେ ରୁଣ୍ଡ ହୋଇଥିଲେ। ହେମନ୍ତ ସୋରେନ ସମସ୍ତଙ୍କୁ ହାତଯୋଡି ଓ ହାତ ହଲାଇ କୃତଜ୍ଞତା ଜଣାଇଥିଲେ। 


ଉଲ୍ଲେଖଯୋଗ୍ୟ ଯେ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାନୁୟାରୀ ୩୧ ତାରିଖ ଦିନ ପାଖାପାଖି ୮ ଘଣ୍ଟା ପଚରା ଉଚରା କରିବା ପରେ ଗିରଫ କରିଥିଲା। ଏହା ପରେ ସେ ଇଡି କଷ୍ଟଡିରେ ରାତି ସାଢେ ୮ଟା ବେଳେ ରାଜଭବନକୁ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଫେବୃଆରୀ ୧ ତାରିଖ ଦିନ ତାଙ୍କୁ ବିର୍ସା ମୁଣ୍ଡା ଜେଲର ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ପ୍ରାୟ ୧୪୯ ଦିନ ପରେ ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଥିବା ବେଳେ ସେ ଜେଲରୁ ମୁକୁଳିଛନ୍ତି।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.