କଟକ: କଳାଧନ ଠାବ କରିବା ଲାଗି ବିଭିନ୍ନ ତଦନ୍ତକାରୀ ସଂସ୍ଥାମାନେ ମିଳିତ ଭାବେ କାମ କରିବାକୁ ଯେଉଁ ନିର୍ଦ୍ଦେଶ ହୋଇଥିଲା ତାହା ଗତ ୬ ମାସ ଭିତରେ ଖୁବ୍ ଫଳପ୍ରଦ ହୋଇଛି। ଯାହାର ପରିଣାମ ସ୍ୱରୂପ ଆଶାଠାରୁ ଅଧିକ ଦୁର୍ନୀତି ସମ୍ପର୍କିତ ମାମଲା ରୁଜୁ ହୋଇପାରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗଠିତ ହୋଇଛି କଳାଧନ ଠାବ ସମ୍ପର୍କିତ ଏସଆଇଟି। ଆଉ ଶନିବାର କଟକରେ ଏସଆଇଟିର ବୈଠକ ସରିବା ପରେ ଏହି ସୂଚନା ଦେଇଛନ୍ତି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ।
ବୈଠକରେ ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଯେଉଁ ରିପୋର୍ଟ ପ୍ରଦାନ କରାଯାଇଛି, ତାକୁ ନେଇ ଜଷ୍ଟିସ ପଶାୟତ ସନ୍ତୋଷ ପ୍ରକାଶ କରିଛନ୍ତି ଉପାଧ୍ୟକ୍ଷ। ତେବେ ସେ କହିଛନ୍ତି କେବଳ ମାମଲା ରୁଜୁ କଲେ ହେବନାହିଁ, ବରଂ ଆଇନ ଅଦାଲତରେ ସେଗୁଡ଼ିକର କିପରି ତ୍ବରିତ ଶୁଣାଣି ହୋଇପାରିବ ସେନେଇ ବୈଠକରେ ବିଶେଷ ଆଲୋଚନା ହୋଇଛି।
ଦୁର୍ନୀତି ନିବାରଣ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଥିବା ବିଭିନ୍ନ ବିଭାଗର ରିପୋର୍ଟ ଆଧାରରେ ସୂଚନା ଦେଇଛନ୍ତି ଜଷ୍ଟିସ ପଶାୟତ କହିଛନ୍ତି, ଚଳିତ ବର୍ଷରେ ବ୍ୟାପକ ଗଞ୍ଜେଇ ନଷ୍ଟ କରାଯାଇଛି। ଆଶାଠାରୁ ଅଧିକ ବେଆଇନ ନିଶା କାରବାର ସମ୍ପର୍କିତ ମାମଲା ରୁଜୁ ହୋଇଛି। ତେବେ ଦେଶରେ ବଢ଼ି ଚାଲିଥିବା ଜିଏସଟି ଠକେଇ, ଅନଲାଇନ ଠକେଇକୁ ରୋକିବା ଦିଗରେ ବ୍ୟାପକ ପଦକ୍ଷେପ ସହିତ, ଜନ ସଚେତନତା ବୃଦ୍ଧି କରିବା ଲାଗି ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଛନ୍ତି ଏସଆଇଟି ଉପାଧ୍ୟକ୍ଷ। ବୈଠକରେ ପ୍ରବର୍ତ୍ତନ ନିର୍ଦେଶାଳୟ, ରାଜ୍ୟ ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଡାଇରେକ୍ଟର୍ସ, ଜିଏସଟି ସମେତ ପ୍ରାୟ ୧୧ଟି ତଦନ୍ତକାରୀ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।