ନୂଆଦିଲ୍ଲୀ: ଭାରତୀୟ ଟେଲିକମ ସେକ୍ଟରେ କମିବ ଜିଓ ଓ ଏୟାରଟେଲ୍ର ଏକଚାଟିଆ ପ୍ରଭାବ। ଖୁବ୍ଶୀଘ୍ର ଏଲନ୍ ମସ୍କଙ୍କ ସାଟେଲାଇଟ ବ୍ରଡବ୍ୟାଣ୍ଡ କମ୍ପାନୀ ଷ୍ଟାରଲିଙ୍କ ଭାରତରେ ଇଣ୍ଟରନେଟ୍ ସେବା ଯୋଗାଇ ଦେଇପାରେ। କାରଣ ଭାରତ ସରକାର ଯେ କୌଣସି କମ୍ପାନୀକୁ ଲାଇସେନ୍ସ ଦେବାକୁ ରାଜି। ହେଲେ ସରକାରଙ୍କ ସର୍ତ୍ତ, କମ୍ପାନୀକୁ ସବୁ ନିୟମ ମାନିବାକୁ ପଡ଼ିବ। ସେପଟେ ଭାରତ ଭଳି ବଡ଼ ମାର୍କେଟ୍ରେ ଇଣ୍ଟରନେଟ୍ ସର୍ଭିସ୍ ଯୋଗାଇ ଦେବାକୁ ଟ୍ରମ୍ପ ବି ବେଶ୍ ଆଗ୍ରହୀ। ତେଣୁ ସେ ଭାରତ ସରକାରଙ୍କ ସବୁ ନିୟମ ମାନିବାକୁ ପ୍ରସ୍ତୁତ। ଯଦି ସବୁକିଛି ଠିକ୍ ହେଲା ତେବେ ଭାରତର ଉପାନ୍ତ ଅଞ୍ଚଳରେ ଘାଇଁ ଘାଇଁ ଚାଲିବ ଇଣ୍ଟରନେଟ୍।
କେନ୍ଦ୍ର ଟେଲିକମ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କହିଛନ୍ତି ଯେ 'ଷ୍ଟାରଲିଙ୍କ୍ ହେଉ କିମ୍ବା ଅନ୍ୟ କୌଣସି କମ୍ପାନୀ, ଆମେ ଲାଇସେନ୍ସ ଦେବାକୁ ପ୍ରସ୍ତୁତ। ହେଲେ ସମସ୍ତଙ୍କୁ ଆମର ସୁରକ୍ଷା ଏବଂ ଅନ୍ୟାନ୍ୟ ନିୟମ ମାନିବାକୁ ପଡ଼ିବ। ଲାଇସେନ୍ସ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା, ଏଥିରେ ସମସ୍ତ ବକ୍ସ ଚେକ୍ କରିବାକୁ ପଡିବ। ତା’ପରେ ଯାଇ ଲାଇସେନ୍ସ ଦିଆଯିବ। କେନ୍ଦ୍ର ସରକାରଙ୍କ ସମସ୍ତ ନିୟମ ମାନିବାକୁ ଷ୍ଟାର୍ ଲିଙ୍କ ରାଜି ହୋଇଥିବା ସୂଚନା ମିଳିଛି। ସୋମବାର ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ କମ୍ପାନୀ ଏନେଇ ଏପର୍ଯ୍ୟନ୍ତ କୌଣସି ଚୁକ୍ତିନାମ ଦାଖଲ କରି ନାହିଁ ବୋଲି ସୂଚନା ମିଳିଛି।
ଗ୍ଲୋବାଲ ମୋବାଇଲ ପର୍ସନାଲ କମ୍ୟୁନିକେଶ ବାଏ ସାଟେଲାଇଟ ସର୍ଭଇସ୍ (PMPCS) ଲାଇସେନ୍ସ ହେଉଛି ସାଟେଲାଇଟ ଇଣ୍ଟରନେଟ୍ ସେଟ୍ଅପ ଦିଗରେ ପ୍ରଥମ ପାହାଚ। ଏହାପରେ ସ୍ୱଳ୍ପ ଆପ୍ଲିକେସନ ଫିସ୍ ଦେଇ ଟେଷ୍ଟିଂ ପାଇଁ ସ୍ପେକ୍ଟ୍ରମ ହାସିଲ କରାଯାଇପାରିବ। ତେବେ ଦେଶର ସୁରକ୍ଷା ସମ୍ପର୍କିତ ନିୟମ ଅନୁସାରେ, ଦେଶରେ କାମ କରୁଥିବା ସାଟେଲାଇଟ କମ୍ୟୁନିକେଶନ କମ୍ପାନୀ ସମସ୍ତ ଡାଟା ଦେଶ ଭୀତରେ ସୀମିତ ରଖିବ। ଏଥିସହିତ ଗୁଇନ୍ଦା ବିଭାଗର ଆବଶ୍ୟକତା ପଡ଼ିଲେ ଡାଟା କେମିତି ମିଳିବ ତାହା ବି କମ୍ପାନୀକୁ କହିବାକୁ ପଡ଼ିବ।
ସୂଚନା ଅନୁସାରେ, ଅକ୍ଟୋବର ୨୦୨୨ରେ ଷ୍ଟାରଲିଙ୍କ ଭାରତରେ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ଏହାପରେ କମ୍ପାନୀ ସ୍ପେସ୍ ରେଗୁଲେଟର, ଇଣ୍ଡିଆନ୍ ନ୍ୟାସନାଲ ସ୍ପେସ୍ ପ୍ରୋମୋସନ୍ ଆଣ୍ଡ ଅଥରାଇଜେସନ କେନ୍ଦ୍ର (IN-SPACe) ରୁ ଅନୁମୋଦନ ପାଇଁ ଆବେଦନ କରିଥିଲା। IN-SPACeରେ ଥିବା ଡକ୍ୟୁମେଣ୍ଟ ଏକ ପ୍ରକାର ପାସ ହୋଇଯାଇଛି। ହେଲେ ଫାଇନାଲ ଅପ୍ରୁଭାଲ ପାଇଁ ଅତିରିକ୍ତ ବିବରଣୀ ମଗାଯାଇଛି।
ତେବେ ବଡ଼ କଥା ହେଲା ଏବେ ଯାଇ ଦେଶରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ ସ୍ପେକ୍ଟ୍ରମ ଆବଣ୍ଟନ ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଡିସେମ୍ବର ସୁଦ୍ଧା ଟ୍ରାଇ ଏହା ଉପରେ ସୁପାରିଶ ଜାରି କରିବା ପରେ ନିଷ୍ପତ୍ତି ନିଆଯିବ। ତେବେ ଯାଇ ଦେଶରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ ହୋଇପାରିବ। ସ୍ପେକ୍ଟ୍ରମ ଆବଣ୍ଟନ ନେଇ ଗତ କିଛି ମାସ ହେଲା ବିବାଦ ଲାଗି ରହିଥିଲା। ରିଲାଏନ୍ସ ଜିଓ ଭଳି ଘରୋଇ କମ୍ପାନୀ ଏହାର ନିଲାମୀ ଚାହୁଁଥିବା ବେଳେ ଷ୍ଟାରଲିଙ୍କ ଓ ଆମାଜାନର କୁଇପର ଭଳି କମ୍ପାନୀ ଏହାର ପ୍ରଶାସନିକ ଆବଣ୍ଟନ ଦାବି କରିଥିଲେ। ଶେଷରେ ଅନ୍ତର୍ଜାତୀୟ ନିୟମ ଅନୁସାରେ ସରକାର ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଇଥିଲେ। ଷ୍ଟାରଲିଙ୍କ ଭାରତରେ ପ୍ରବେଶ ପରେ ଘରୋଇ କମ୍ପାନୀ ସହିତ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।