ନୂଆଦିଲ୍ଲୀ: ପାକିସ୍ତାନର ସେନା ପ୍ରମୁଖ ଜେନେରାଲ ଅସୀମ ମୁନୀର ଦୁଇ ରାଷ୍ଟ୍ର ସିଦ୍ଧାନ୍ତ ଓ କାଶ୍ମୀର ପ୍ରସଙ୍ଗରେ ଦେଇଥିବା ଟିପ୍ପଣୀ ଉପରେ ଗୁରୁବାର ପାଲଟା ଜବାବ ଦେଇଛି ଭାରତ। ଗଣମାଧ୍ୟମ ପ୍ରତିନିଧିକୁ ସମ୍ବୋଧିତ କରି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ କହିଛନ୍ତି କାଶ୍ମୀରର ପାକିସ୍ତାନ ସହିତ ଏକ ମାତ୍ର ସମ୍ବନ୍ଧ ହେଉଛି ଅବୈଧ ଭାବେ କବଜା କରିଥିବା ଅଞ୍ଚଳକୁ ଖାଲି କରିବା। ମୁନୀରଙ୍କ ନିଜ ଓଭରସିଜ ନାଗରିକଙ୍କୁ ସମ୍ବୋଧିତ କରୁଥିବାର ଭିଡିଓ ଭାଇରାଲ୍ ହେବା ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରତିକ୍ରିୟା ପ୍ରକାଶ ପାଇଛି।
ପାକିସ୍ତାନର ସେନା ପ୍ରମୁଖ ଦୁଇ ରାଷ୍ଟ୍ର ସିଦ୍ଧାନ୍ତ ପ୍ରସଙ୍ଗ ଉଠାଇ ଦୃଢତାର ସହ କହିଥିଲେ ଯେ, ଭାରତ ଓ ପାକିସ୍ତାନ ଦୁଇ ଅଲଗା ଅଲଗା ରାଷ୍ଟ୍ର। ଇସଲାମାବାଦରେ ବୁଧବାର ଦରିଆପାରି ପାକିସ୍ତାନୀ ସମାବେଶକୁ ସମ୍ବୋଧିତ କରି ଅସୀମ ମୁନୀର ପାକିସ୍ତାନୀ ନାଗରିକଙ୍କୁ ଅପିଲ୍ କରିଛନ୍ତି ଯେ, ସେମାନେ ନିଜ ପିଲାଙ୍କୁ ଜଣାନ୍ତୁ ଯେ, ରାଷ୍ଟ୍ରର ଜନ୍ମ କେମିତି ହୋଇଛି। ମୁନୀର କହିଛନ୍ତି, ଆମର ବଂଶଜ ଭାବିଥିଲେ, ଆମ ଜୀବନର ପ୍ରତିଟି କ୍ଷେତ୍ରରେ ହିନ୍ଦୁଠୁ ଆମେ ଅଲଗା। ଆମର ଧର୍ମ ଅଲଗା, ଆମର ରୀତି ନୀତି ଅଲଗା, ଆମ ପରମ୍ପରା ଅଲଗା। ଏପରିକି ଆମର ବିଚାରଧାରା ଅଲଗା ଓ ଆମର ମହତ୍ଵାକାଂକ୍ଷୀ ମଧ୍ୟ ଅଲଗା। ଏଠାରୁ ହିଁ ଦୁଇଟି ରାଷ୍ଟ୍ର ସିଦ୍ଧାନ୍ତର ମୂଳଦୁଆ ପଡ଼ିଥିଲା। ଆମେ ଦୁଇ ରାଷ୍ଟ୍ର। ଆମେ ଗୋଟିଏ ରାଷ୍ଟ୍ର ନୁହନ୍ତି ବୋଲି ମୁନୀର କହିଛନ୍ତି।
Pakistan Army Chief General Asim Munir spews hate against #Hindus and propagates the #TwoNationTheory, which failed in 1971 when Bangladesh got independence from Pakistan. He asserts that children must be taught such "falsehoods" since it's easier to brainwash youth. Shameful! pic.twitter.com/vaVZhEK4v8
— Taha Siddiqui (@TahaSSiddiqui) April 16, 2025
କେବଳ ଏତିକି ନୁହେଁ ପାକିସ୍ତାନୀ ସେନା ପ୍ରମୁଖ ନିଜ ସମ୍ବୋଧନରେ କାଶ୍ମୀର ପ୍ରସଙ୍ଗ ବି ଉଠାଇଛନ୍ତି। ସେ କହିଛନ୍ତି, ଦୁନିଆର କୌଣସି ବି ଶକ୍ତି କାଶ୍ମୀରକୁ ପାକିସ୍ତାନଠୁ ଅଲଗା କରି ପାରିବ ନାହିଁ। ଆମର ପୂର୍ବଜମାନେ କାଶ୍ମୀର ପାଇଁ ବହୁତ ତ୍ୟାଗ କରିଛନ୍ତି। ଆମେ ଏହି ଦେଶର ନିର୍ମାଣ ପାଇଁ ବହୁତ ତ୍ୟାଗ କରିଛୁ। ଏହାର ରକ୍ଷା କେମିତି କରାଯାଏ ଏହା ବେଶ ଭଲ ଭାବେ ଆମକୁ ଜଣା। ଦୟା କରି ଆପଣମାନେ କେହି ପାକିସ୍ତାନର ଇତିହାସକୁ ଭୁଲିବେ ନାହିଁ। ପରବର୍ତ୍ତୀ ପିଢିଙ୍କୁ ପାକିସ୍ତାନର କାହାଣୀ କହିବାକୁ ଭୁଲିବେ ନାହିଁ। ଆଗାମୀ ପିଢିକୁ ପାକିସ୍ତାନ ସହ ସଂପର୍କକୁ ଦୁର୍ବଳ ହେବାକୁ ଦିଅନ୍ତୁ ନାହିଁ। ସେ ତୃତୀୟ ପିଢି ହେଉ କି ଚତୁର୍ଥ ପିଢି କିମ୍ବା ପଞ୍ଚମ ପିଢି, ସେମାନେ ଜାଣନ୍ତୁ ଯେ, ପାକିସ୍ତାନ ସେମାନଙ୍କ ପାଇଁ କଣ।