କେରଳର ନାଁ ପରିବର୍ତ୍ତନ ପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ, ଗୃହ ମନ୍ତ୍ରଣାଳୟର ମଞ୍ଜୁରୀକୁ ଅପେକ୍ଷା

Published By : Prameya-News7 Bureau | June 24, 2024 IST

ନୂଆଦିଲ୍ଲୀ: କେରଳ ବିଧାନସଭାରେ ସୋମବାର ସର୍ବସମ୍ମତିରେ ଏକ ପ୍ରସ୍ତାବ ପାରିତ ହୋଇଛି । ଏଥିରେ କେନ୍ଦ୍ର ନିକଟରେ ଆନୁଷ୍ଠାନିକ ଭାବେ ରାଜ୍ୟର ନାଁ ବଦଳାଇ କେରଳମ କରିବା ପାଇଁ ଆଗ୍ରହ କରାଯାଇଛି । ବିଧାନସଭା ଦ୍ୱିତୀୟ ଥର ପାଇଁ ପ୍ରସ୍ତାବ ପାରିତ କରିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ (ଏମଏଚଏ) ପ୍ରଥମ ପ୍ରସ୍ତାବର ସମୀକ୍ଷା କରିଥିଲା ଏବଂ କିଛି ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିଲା ।

ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ବିଧାନସଭାରେ ପ୍ରସ୍ତାବକୁ ଉପସ୍ଥାପନ କରିଥିଲେ । ସେ କେନ୍ଦ୍ର ନିକଟରେ ଦେଶର ସମ୍ୱିଧାନର ଅଷ୍ଠମ ଅନୁସୂଚୀରେ ସାମିଲ ସମସ୍ତ ଭାଷାରେ ଦକ୍ଷିଣ ରାଜ୍ୟର ନାମ କେରଳରୁ କେରଳମ କରିବା ପାଇଁ ଦାବି କରିଛନ୍ତି । ପ୍ରସ୍ତାବ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମଲୟାଲମରେ ରାଜ୍ୟକୁ କେରଳମ କୁହାଯାଏ ଏବଂ ମଲୟାଲମ ଭାଷୀ ସମୁଦାୟଙ୍କ ପାଇଁ ଏକୀକୃତ କେରଳ କରିବା ପାଇଁ ଦାବି ରାଷ୍ଟ୍ରୀୟ ସ୍ୱାଧୀନତା ସଂଗ୍ରାମ ସମୟରୁ ଜୋରଦାର ଭାବେ ଉଠିଥିଲା । କିନ୍ତୁ ସମ୍ୱିଧାନର ପ୍ରଥମ ଅନୁସୂଚୀରେ ଆମ ରାଜ୍ୟର ନାମ କେରଳ ଲେଖାଯାଇଛି । ଏହି ବିଧାନସଭା କେନ୍ଦ୍ରକୁ ଅନୁରୋଧ କରୁଛି ଯେ ସମ୍ୱିଧାନର ଅନୁଚ୍ଛେଦ ତିନି ଅନୁସାରେ ଏହାର ନାଁ ପରିବର୍ତ୍ତନ କରି କେରଳମ କରାଯାଉ । ଏହି ବିଧାନସଭା ସମ୍ୱିଧାନର ଅଷ୍ଟମ ଅନୁସୂଚୀରେ ଉଲ୍ଲେଖିତ ସମସ୍ତ ଭାଷାରେ ଏହା ନାଁ ପରିବର୍ତ୍ତନ କରି କେରଳମ କରିବା ପାଇଁ ଅନୁରୋଧ କରୁଛି ।

ଏହା ଦ୍ୱିତୀୟ ଥର ଯେତେବେଳେ ରାଜ୍ୟ ବିଧାନସଭା ରାଜ୍ୟର ନାଁ ପରିବର୍ତ୍ତନ ପାଇଁ ଦାବି କରି ଏକ ପ୍ରସ୍ତାବ ପାରିତ କରିଛି । ବିଧାନସଭା ସଚିବାଳୟର ସୂତ୍ର ଅନୁସାରେ, ଗୃହରେ ଗତ ବର୍ଷ ଅଗଷ୍ଟରେ ମଧ୍ୟ ସର୍ବସମ୍ମତିରେ ଏହିପରି ଏକ ପ୍ରସ୍ତାବ ପାରିତ କରାଯାଇଥିଲା ଏବଂ କେନ୍ଦ୍ରକୁ ପଠାଯାଇଥିଲା । କିନ୍ତୁ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଏଥିରେ କିଛି ବୈଷୟିକ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.