ତିରୁଅନନ୍ତପୁରମ ୧୬।୨: କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ରବିବାର ଲୋକଙ୍କୁ ରାଜ୍ୟରେ ବଢୁଥିବା ତାପମାତ୍ରାକୁ ନେଇ ସତର୍କ କରାଇଛନ୍ତି। ଚେତାବନୀ ଦେଇଛନ୍ତି ଯେ ଉତ୍ତାପ ବୃଦ୍ଧି ଯୋଗୁ ଲୁ, ସନବର୍ଣ୍ଣ ଓ ଅଂଶୁଘାତ ଭଳି ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିପାରେ। ଏ ନେଇ ମୁଖ୍ୟମନ୍ତ୍ରୀ ଫେସବୁକ୍ ରେ ଏକ ପୋଷ୍ଟ କରିଥିବା ବେଳେ କିଛି ସ୍ଥାନର ତାପମାତ୍ରା ବୃଦ୍ଧି ନେଇ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିଙ୍କ ଆଶଙ୍କା ସମ୍ପର୍କରେ ସୂଚିତ କରିଛନ୍ତି।
ଏଥିରେ କେତେକ ସ୍ଥାନରେ ତାପମାତ୍ରା ସ୍ୱଭାବିକଠାରୁ ୨ରୁ ୩ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପରିସ୍ଥିତିରେ ସମସ୍ତଙ୍କୁ ପାଣିପାଗ ବିଜ୍ଞାନ ବିଭାଗ ଓ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣଙ୍କ ଗାଇଡଲାଇନ ଅନୁସାରେ ଆବଶ୍ୟକ ସାବଧାନତା ଅବଲମ୍ବନ କରିବା ସହ ପ୍ରସ୍ତୁତ ରହିବା ଆବଶ୍ୟକ। ବିଜୟନ ଲୋକଙ୍କୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟାଣ ଖରାରୁ ବର୍ତ୍ତିବା ପାଇଁ ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି ଯେ ହାଟବଜାର, ଆବର୍ଜନା ଘର, ଡମ୍ପିଂ ୟାର୍ଡ ଓ ବିଲ୍ଡିଂମାନଙ୍କରେ ନିଆଁ ଲାଗିବା ଓ ବ୍ୟାପିବାର ଅନେକ ସମ୍ଭାବନା ରହିଛି। ଏଣୁ ଏଭଳି ସ୍ଥାନ ପ୍ରତି ସତର୍କତା ଅବଲମ୍ବନ କରାଯିବା ଦରକାର। ବିଜୟନ କହିଛନ୍ତି ଯେ ବଢୁଥିବା ଗରମ କାରଣରୁ ଜଙ୍ଗଲରେ ବି ନିଆଁ ଲାଗିବାର ଆଶଙ୍କା ରହିଛି। ଏଣୁ ପର୍ଯ୍ୟଟକ ଓ ଜଙ୍ଗଲ ଆଖପାଖରେ ଥିବା ଗାଁର ଲୋକଙ୍କୁ ଅତିରିକ୍ତ ସାବଧାନତା ଅବଲମ୍ବନ କରିବା ଦରକାର। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏ ସମ୍ପର୍କରେ ବନ ବିଭାଗର ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରାଯିବା ଦରକାର।
ସେହିପରି ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ପର୍ଯ୍ୟାପ୍ତ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ସହ ଶ୍ରେଣୀଗୃହକୁ ମୁକ୍ତ ପବନ ଯାତାୟାତର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫେସବୁକ୍ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ପୋଲିସ କର୍ମଚାରୀ, ଗଣମାଧ୍ୟମ କର୍ମଚାରୀ ଓ ଅନ୍ୟ କର୍ମଚାରୀଙ୍କୁ ଗ୍ରୀଷ୍ମ ଋତୁରେ ଅଧିକ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। କାରଣ ଏପରି କର୍ମଚାରୀମାନଙ୍କୁ ସାଧାରଣତଃ ଅଧିକ ସମୟ ଟାଣ ଖରାରେ କାମ କରିବାକୁ ପଡେ। ଏଣୁ ଅଂଶୁଘାତରୁ ରକ୍ଷା ପାଇବା ପାଇଁ କର୍ମଚାରୀ ଆବଶ୍ୟକ ପ୍ରସ୍ତୁତି କରି ରଖିବା ଦରକାର ବୋଲି କହିଛନ୍ତି।