ଦଶମୂଳ ସେବନ ପରେ ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ, ମଙ୍ଗଳବାର ଖଳିଲାଗି ଏକାଦଶୀ

Published By : Prameya-News7 Bureau | July 02, 2024 IST

ପୁରୀ ୦୨।୦୬ :  ସ୍ନାନ ପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ସୋମବାର ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି। ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ। ଆଜି ଖଳିଲାଗି ଏକାଦଶୀ। ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଦଶମୂଳ ସେବନ ପରେ ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହେବେ। 

ତେବେ ଚାରିଦିନ ଧରି ଶ୍ରୀଅଙ୍ଗରେ ଓଷ ଲାଗି ପରେ ଧିରେଧିରେ ଜ୍ୱରରୁ ଉପଶମ ହୋଇଛନ୍ତି ମହାପ୍ରଭୁ। ମଙ୍ଗଳବାର ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଠାରେ ଦଶମୂଳ ମୋଦକ ଲାଗି କରାଯିବ। ଏହାପରେ ଅସୁସ୍ଥ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ସୋମବାର ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଦଶମୂଳ ମୋଦକ  ଶ୍ରୀମନ୍ଦିରରେ ଆସି ପହଞ୍ଚିଥିଲା। ଏକାଦଶୀ ତିଥି ପରେ ମହାପ୍ରଭୁଙ୍କୁ ଏହା ଲାଗି କରାଯିବାର ପରମ୍ପରା ରହିଛି। ଆଜି ଖଳିଲାଗି ଏକାଦଶୀରେ ଠାକୁରମାନଙ୍କୁ ଖଳି ଲାଗି କରାଯିବ। ଦଇତା ଓ ପତିମହାପାତ୍ର ସେବାୟତ ତିନି ବାଡରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ। ଚନ୍ଦନରେ କର୍ପୂର, କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହ ମାନଙ୍କୁ ଲାଗି କରାଯିବାର ବିଧି ରହିଛି। 

ମଙ୍ଗଳବାର ମହାପ୍ରଭୁ ବାରଲାଗି ପାଟ ପରିଧାନ କରିବା ସହ ତୁଳସୀ ଲାଗି କରିବା ପରେ ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯିବ। ଏହାପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ତେବେ ମହାପ୍ରଭୁ ଜ୍ୱରରେ ଅସୁସ୍ଥ ଥିବାରୁ ଭୋଗଲାଗି ସମୟରେ ଘଣ୍ଟ ବାଜିବା ବନ୍ଦ ରହିଥାଏ। ମଙ୍ଗଳବାର ଖଳି ଲାଗି ସମୟରେ ଘଣ୍ଟ ଓ କାହାଳୀ ବଜାଇ ଶ୍ରୀଜୀଉ ମାନେ ସୁସ୍ଥ ହେଉଥିବା ବାର୍ତ୍ତା ଭକ୍ତଙ୍କୁ ଜଣାଇବାର ପରମ୍ପରା ରହିଛି। ଏକାଦଶୀ ତିଥିର  ପୂର୍ବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆଜିଠାରୁ ତୁଳସୀ ଲାଗି ହେବାର ବିଧି ରହିଛି। ବୁଧବାର  ଅଣସର ଦ୍ୱାଦଶୀ ନୀତି। ଏହି ନୀତି ବିଶେଷ ମହତ୍ତ୍ବପୂର୍ଣ୍ଣ। କାରଣ, ଏହିଦିନ ରାଜ ନଅରକୁ ରାଜପ୍ରସାଦ ବିଜେ କରାଯାଏ ଏବଂ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ଦିଆଯାଏ।

 

  • puri
  • Deva Snana Purnima 2024
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.