ଭୁବନେଶ୍ୱର: କିଟ୍ ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ ନେପାଳ କାଉନସିଲରଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ନେପାଳି କାଉନସିଲର ସଞ୍ଜୀବ ଦାସ ଶର୍ମା ଏବଂ ନବୀନ ରାଜ ଅଧିକାରୀଙ୍କ ସହ କଥା ହୋଇଛନ୍ତି। ତେବେ ନେପାଳି ଛାତ୍ରୀ ପ୍ରକୃତିକୁ ନ୍ୟାୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।
ଖୁବଶୀଘ୍ର କିଟ୍ କ୍ୟାମ୍ପସରେ ଶାନ୍ତି ଫେରିବ ବୋଲି ସେ କହିଛନ୍ତି। କ୍ୟାମ୍ପସକୁ ଫେରିବାକୁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ରାଜ୍ୟ ଅତିଥି ଭବନରେ ନେପାଳ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଆଲୋଚନାରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସାମିଲ ଥିଲେ। ଏହାସହ ନେପାଳର ବୈଦେଶିକ ମନ୍ତ୍ରୀଙ୍କ ସହ ଫୋନ ଯୋଗେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କଥା ହୋଇଛନ୍ତି।
ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ମୃତ ଛାତ୍ରୀଙ୍କ ସୁଇସାଇଡ୍ ନୋଟ୍ ଜବତ କରାଯାଇଛି। ନେପାଳୀ ଭାଷାରେ ଲେଖାଇ ହୋଇଛି ସୁଇସାଇଡ୍ ନୋଟ୍। ଯେଉଁଥିରେ ପୁରୁଷ ବନ୍ଧୁ କେମିତି ନିର୍ଯାତନା ଦେଉଥିଲା, ସେ ସବୁ ଘଟଣା ଉକ୍ତ ସୁଇସାଇଡ୍ ନୋଟ୍ରେ ଲେଖା ଥିଲା। ସୁଇସାଇଡ୍ ନୋଟ୍କୁ ଜବତ କରି ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଇଛି ପୋଲିସ ।
ସେପଟେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଗିରଫ ୫ ଜଣଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ। ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ବର JMFC - 2 କୋର୍ଟ। ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲ ବଣ୍ଡରେ ଏମାନଙ୍କୁ ଜାମିନ ମିଳିଛି। ତଦନ୍ତ ରେ ସହଯୋଗ କରିବା ସହ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ ନକରିବାକୁ କୋର୍ଟଙ୍କ ନିର୍ଦେଶ ରହିଛି । ଘଟଣାରେ ୫ ଜଣଙ୍କୁ ଗିରଫ କରିଥିଲା ଇନଫୋସିଟି ଥାନା ପୋଲିସ । ଜାମିନ ପାଇଛନ୍ତି ତିନି ଡାଇରେକ୍ଟର ଏବଂ ଦୁଇ ସିକ୍ୟୁରିଟି ଗାର୍ଡ ।
ସେପଟେ କିଟ୍ ପ୍ରସଙ୍ଗକୁ ନେଇ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ଏହା ଅତ୍ୟନ୍ତ ଜଘନ୍ୟ ଏବଂ ନିନ୍ଦନୀୟ ଘଟଣା। ଯେଉଁଭଳି ଭାବେ କିଟର ସିକ୍ୟୁରିଟି ଗାର୍ଡ ପିଲାମାନଙ୍କୁ ବାଡେଇଲେ ଏହା ଆହୁରି ନିନ୍ଦନୀୟ। ଜଣେ ଝିଅ ଆତ୍ମହତ୍ୟା କରିବା ପରେ ଏଭଳି ଘଟଣା ଘଟିଲା। କିଟ୍ ପ୍ରଶାସନର ଏଜେନ୍ସି କାମ କରୁନି। ଏଭଳି ଘୃଣ୍ୟ କାର୍ଯ୍ୟ ଉପରେ କଠୋର କାର୍ଯ୍ୟନୁଷ୍ଠାନ ହେବା ଆବଶ୍ୟକ । ସରକାର ଏହା ଉପରେ ବିହିତ ପଦକ୍ଷେପ ନେବେ ବୋଲି ଆଶା ଅଛି।