କେବେ ପାଳନ ହେବ ରାମନବମୀ? ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ପୂଜା ବିଧି

Published By : Prameya-News7 Bureau | March 26, 2025 IST

ନୂଆଦିଲ୍ଲୀ ୨୬।୩: ଭଗବାନ ଶ୍ରୀରାମ ବିଷ୍ଣୁଙ୍କ ସପ୍ତମ ଅବତାର। ରାମ ନବମୀ ଉତ୍ସବ ପ୍ରଭୁ ଶ୍ରୀରାମଙ୍କୁ ସମର୍ପିତ। ରାମ ନବମୀକୁ ଶ୍ରୀରାମଙ୍କ ଜନ୍ମଦିନ ଭାବେ ପାଳନ କରାଯାଏ। ଭଗବାନ ଶ୍ରୀରାମଙ୍କ ଜନ୍ମ ଚୈତ୍ରମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ହୋଇଥିଲା। ଏଣୁ ପ୍ରତ୍ୟେକ ବର୍ଷ ଚୈତ୍ର ଶୁକ୍ଳପକ୍ଷ ନବମୀକୁ ଦେଶରେ ରାମନବମୀ ଭାବେ ପାଳନ କରାଯାଏ। ଶ୍ରୀରାମଙ୍କ କୃପା ପାଇବା ପାଇଁ ରାମ ନବମୀ ଦିନକୁ ସବୁଠୁ ଶୁଭ ମନେ କରାଯାଏ। ଏହି ଦିନ ଭକ୍ତ ଶ୍ରୀରାମଙ୍କ ବିଶେଷ ପୂଜା କରନ୍ତି। ତେବେ ଆସନ୍ତୁ ଜାଣିବା ୨୦୨୫ ରାମନବମୀ ଉତ୍ସବ କେବେ ପାଳିତ ହେବ?

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ତିଥି ୫ ଏପ୍ରିଲ ସନ୍ଧ୍ୟା ୭ଟା ବାଜି ୨୬ ମିନିଟରେ ଆରମ୍ଭ ହେବ। ଏହି ତିଥି ତା ପରଦିନ ଅର୍ଥାତ ୬ ଏପ୍ରିଲ ସନ୍ଧ୍ୟା ୭ଟା ୨୨ ମିନିଟରେ ସମାପନ ହେବ। ହିନ୍ଦୁ ଧର୍ମରେ ଉଦୟ ତିଥିର ମାନ୍ୟତା ରହିଛି। ଏଣୁ ଉଦୟ ତିଥି ଅନୁସାରେ ଏଥର ୬ ଏପ୍ରିଲ ୨୦୨୫ରେ ରାମନବମୀ ପାଳନ ହେବ। ହିନ୍ଦୁ ମାନ୍ୟତା ଅନୁସାରେ ରାମନବମୀର ଅନେକ ମହତ୍ୱ ରହିଛି। କୁହାଯାଏ ଘରେ ରାମ ନବମୀ ପୂଜା କଲେ ସୁଖ, ଶାନ୍ତି ଓ ସମୃଦ୍ଧି ଆସେ। ଘରେ ସକରାତ୍ମକ ଶକ୍ତିର ପ୍ରବାହ ବଢିଥାଏ। 

ଘରେ ରାମନବମୀ କଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ମା ସୀତା ଲକ୍ଷ୍ମୀଙ୍କର ହିଁ ରୂପ ଏଣୁ ଘରେ ଧନ, ଧାନ୍ୟ ବୃଦ୍ଧି ହୁଏ। ରାମ ନବମୀ ଦିନ ମାତା ସୀତାଙ୍କ ପୂଜା କଲେ ଲକ୍ଷ୍ମୀଙ୍କ ଆଶିର୍ବାଦ ପ୍ରାପ୍ତ ହୋଇଥାଏ। ରାମ ନବମୀ ଦିନ ପ୍ରତ୍ୟୁଷରୁ ସ୍ନାନାଦି କାର୍ଯ୍ୟ ସାରି ନବବସ୍ତ୍ର ପରିଧାନ ପୂର୍ବକ ପୂଜାର୍ଚ୍ଚନା କରିବା ଉଚିତ। ପୂଜା ପାଇଁ ଏକ ଚୌକି ଉପରେ ଆସନ ବିଛାଇ ଶ୍ରୀରାମଙ୍କ ଫଟୋଚିତ୍ର ରଖି ଫୁଲ, ଚନ୍ଦନ ଗଙ୍ଗାଜଳ ଓ ପଞ୍ଚାମୃତରେ ଅଭିଷେକ କରି ପୂଜାର୍ଚ୍ଚନା କରିବା ବିଧେୟ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.