ହେମା କମିଟି ରିପୋର୍ଟକୁ ନେଇ ମୁହଁ ଖୋଲିଛନ୍ତି ସାଉଥ ଅଭିନେତ୍ରୀ କୃତି ଶେଟ୍ଟୀ, କହିଲେ-ଇଣ୍ଡଷ୍ଟ୍ରିରେ ଭଲ ମାହୋଲ ଜରୁରି

Published By : Prameya-News7 Bureau | September 08, 2024 IST

ମୁମ୍ଵାଇ ୦୮।୦୯: ମାଲାୟାଲମ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାଙ୍କ ସହ ଶାରିରୀକ ନିଯ୍ୟାତନା ଅଭିଯୋଗକୁ ନେଇ ହେମା କମିଟି ରିପୋର୍ଟ ଉପରେ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି ସାଉଥ୍‌ ଅଭିନେତ୍ରୀ କୃତି ଶେଟ୍ଟୀ । ସେ କହିଛନ୍ତି ‘ମୁଁ ଓ ମୋର ଜଣେ ସାଙ୍ଗ ଏ ନେଇ ଅନେକ ସମୟରେ କଥା ହେଉ । ଆମେ ପିଲାଦିନେ ଅନେକ ଅସହଜ ପରିସ୍ଥିତିର ସମ୍ମୁଖୀନ ହୋଇଛୁ । ଝିଅଙ୍କ ସହ ଏଭଳି ଘଟଣା ଅତ୍ୟନ୍ତ ନୈରାଶ୍ୟଜନକ । ଏ ନେଇ ସଚେତନତା ଜରୁରି । ପିଲାଦିନେ ମୁଁ ଅନେକ ଅସହଜ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଆଜି ଆମେ ଚିନ୍ତା କରୁଛୁ ଯେ ସେତେବେଳେ କ’ଣ କରିଥିଲେ ଠିକ୍‌ ହୋଇଥାନ୍ତା। 

କିନ୍ତୁ ସେ ମୁହୂର୍ତ୍ତ ଏତେ ଅସହଜ ହୋଇଥାଏ ଯେ ସେ ବିଷୟରେ ଆମେ ଠିକ୍‌ରେ ବୁଝାଇ ପାରୁନଥିଲୁ । ମୋ ଭଳି ଅଧିକାଂଶ ମହିଳା ଏହା ଅନୁଭବ କରନ୍ତି । ହେମା କମିଟି ରିପୋର୍ଟ ପଢ଼ିବା ପରେ ମୁଁ ଚକିତ ହୋଇଗଲି । କିଛି ବର୍ଷ ତଳେ ମିଟୁ ଅଭିଯାନ ଆରମ୍ଭ ହୋଇଥିଲା । ସେତେବେଳେ ଇଣ୍ଡଷ୍ଟ୍ରିରେ ଅନେକ ପରିବର୍ତ୍ତନ ହୋଇଥିଲା । ଏବେ ମଧ୍ୟ ସେମିତି ହେବ ବୋଲି ମୋର ଆଶା । ଏହାର ଶୁଭାରମ୍ଭ ହୋଇସାରିଛି । ଶୁଭଙ୍କର କଥା ହେଉଛି ମହିଳା ଏବେ ନିଜ ପାଇଁ ସ୍ୱର ଉଠାଉଛନ୍ତି । ତେବେ ଏହା କେବଳ ଗୋଟିଏ ଇଣ୍ଡଷ୍ଟ୍ରିର କଥା ନୁହେଁ, ସବୁଠି ଘଟୁଛି । ମହିଳାଙ୍କୁ ଏଭଳି ସ୍ଥିତିରେ ରଖିବା ବଦଳରେ ଏକ ଭଲ ମାହୋଲ ଗଢ଼ିବାକୁ ଚେଷ୍ଟା କରିବା ଉଚିତ୍‌ ।

ସଚେତନତା ସୃଷ୍ଟି ସହିତ ସୂଚନା ଦେବା ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରେ । ଏହା ଦ୍ୱାରା ସମାଜରେ ବଡ଼ ପରିବର୍ତ୍ତନ ହେବ । କୃତି ତେଲୁଗୁ, ମାଲାୟାଲମ୍‌, ତାମିଲ ଓ ହିନ୍ଦୀ ଫିଲ୍ମରେ କାମ କରୁଛନ୍ତି । ଫିଲ୍ମ ‘ସୁପର୍‌-୩୦’ରେ ସେ ବଲିଉଡ୍‌ରେ ନଜର ଆସିଥିଲେ । ସୁପର୍‌ହିଟ୍‌ ତେଲୁଗୁ ଫିଲ୍ମ ‘ଉପ୍ପେନା’ରେ ସେ ଲିଡ୍‌ ରୋଲ୍‌ ପ୍ଲେ କରିଥିଲେ । ତାଙ୍କର ଅପ୍‌କମିଙ୍ଗ ଫିଲ୍ମ ‘ଅଜୟନ୍ତେ ର‌୍ୟାଣ୍ଡମ୍‌ ମୋଶନମ୍‌’ ୬ଟି ଭାଷାରେ ମୁକ୍ତିଲାଭ କରିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.