ନୂଆଦିଲ୍ଲୀ: ଶିବସେନା ବିଧାୟକ ସଞ୍ଜୟ ଗାଏକୱାଡ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି ଯେ ସଂରକ୍ଷଣ ଶେଷ କରିବା ବୟାନକୁ ନେଇ ଯିଏ ବି ରାହୁଲ ଗାନ୍ଧୀଙ୍କ ଜିଭ କାଟି ଆଣିବ, ତାଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବେ । ସଞ୍ଜୟ ଗାଏକୱାଡଙ୍କ ଏହି ବୟାନ ପରେ ବେଶ ସମାଲୋଚନା କରାଯାଉଛି । ଅନ୍ୟପଟେ ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରଶେଖର ବାବନକୁଲେ ବିଧାୟକଙ୍କ ବୟାନକୁ ସମର୍ଥନ କରୁନାହାନ୍ତି ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିଜେପି ମହାରାଷ୍ଟ୍ରରେ ଶିବସେନା ସିନ୍ଦେ ଗୋଷ୍ଠୀ ସହ ମେଣ୍ଟ ସରକାରରେ ଅଛି ।
ସଞ୍ଜୟ ଗାଏକୱାଡ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯଏ ରାହୁଲ ଗାନ୍ଧୀ ବିଦେଶରେ ବୟାନ ଦେଇଛନ୍ତି ଯେ ସେ ଭାରତରେ ସଂରକ୍ଷଣ ବ୍ୟବସ୍ଥାକୁ ଶେଷ କରିବାକୁ ଚାହୁଁଛନ୍ତି । ତାଙ୍କର ଏହି ବୟାନରେ କଂଗ୍ରେସର ମୁଖା ଖୋଲିଯାଇଛି । ଏହାପରେ ସେ ପୁରସ୍କାର ରାଶି ଘୋଷଣା କରିଛନ୍ତି ଯେ ଯିଏ ବି ରାହୁଲ ଗାନ୍ଧୀଙ୍କ ଜିଭ କାଟି ଆଣିଲେ ତାଙ୍କୁ ୧୧ ଲକ୍ଷ ଟଙ୍କା ଦେବି । ଗାଏକୱାଡ ବୁଲଢାଣା ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ସେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି ।
ଗତ ମାସରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ପୋଲିସକର୍ମୀ ବିଧାୟକ ସଞ୍ଜୟ ଗାଏକୱାଡଙ୍କ କାର ସଫା କରୁଥିଲେ । ପରେ ସ୍ପଷ୍ଟୀକରଣ ଦେଇ ବିଧାୟକ କହିଥିଲେ ଯେ ପୋଲିସକର୍ମୀ କାର ଭିତରେ ବାନ୍ତି କରିଦେଇଥିଲେ । ଏହାପରେ ସେ ନିଜେ ହିଁ କାରକୁ ସଫା କରିଥିଲେ । ଏହା ପୂର୍ବରୁ ଗତ ଫେବ୍ରୁଆରୀରେ ସେ ଦାବି କରିଥିଲେ ଯେ ୧୯୮୭ରେ ବାଘ ଶିକାର କରିଥିଲେ ଏବଂ ପରେ ବାଘ ଦାନ୍ତକୁ ମାଳି କରି ପିନ୍ଧିଥିଲେ । ଏହି ଦାବି ପରେ ବନ ବିଭାଗ କଥିତ ବାଘ ଦାନ୍ତକୁ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଇଥିଲା ଏବଂ ଗାଏକୱାଡାଙ୍କ ବିରୋଧରେ ବନ୍ୟଜୀବ ସଂରକ୍ଷଣ ଅଧିନିୟମରେ ମାମଲା ରୁଜୁ କରିଥିଲା ।