ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଖୋଲିଲା କୁଳଡିହା ଅଭୟାରଣ୍ୟ

Published By : Prameya-News7 Bureau | November 01, 2024 IST

ନୀଳଗିରି ୧।୧୧: ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ବର୍ଷା ଋତୁ ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ୍ ୧୫ ତାରିଖରୁ ବନ୍ଦ ରହିଥିଲା କୁଳଡିହା ଅଭୟାରଣ୍ୟ । ପୁଣି ପର୍ଯ୍ୟଟନ ଋତୁ ଆସିବାରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନଭେମ୍ବର ୧ ତାରିଖରୁ ଅଭୟାରଣ୍ୟ ଖୋଲିବା ନେଇ ବନ ବିଭାଗ ତରଫରୁ ପ୍ରାକ୍ ପ୍ରସ୍ତୁତି ସରିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ୨୭୨.୭୫ ବର୍ଗ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ କୁଳଡିହା ଅଭୟାରଣ୍ୟ ଚଳିତ ବର୍ଷ ବନ ବିଭାଗ ପକ୍ଷରୁ ଓଡ଼ିଶା ଏବଂ ଓଡିଶା ବାହାରୁ ଆସିବାକୁ ଥିବା ପର୍ଯ୍ୟଟକଙ୍କୁ କିପରି ଅଧିକ ଆକୃଷ୍ଟ କରାଯିବ ସେନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏପରିକି ପର୍ଯ୍ୟଟକଙ୍କ ରାତ୍ରିଯାପନ କରିବା ପରେ ରୋମାଞ୍ଚକର ଅନୁଭୂତି ନେଇ ଫେରିବା ଉଦ୍ଦେଶ୍ୟରେ ବାଲେଶ୍ବର ଡିଏଫଓଙ୍କ ତତ୍ତ୍ବାବଧାନରେ କୁଳଡିହା ରେଞ୍ଜର ବ୍ୟାପକ ପ୍ରସ୍ତୁତି କରିଛନ୍ତି । 

ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ନୀଳଗାଈ, ବଳିଆ କୁକୁର, ବଜ୍ରକାପ୍ତା, ମୟୂର ଇତ୍ୟାଦି ବନ୍ୟପ୍ରାଣୀ ଦେଖାଯାଆନ୍ତି । କୁଳଡିହାକୁ ଲାଗି ରହିଥିବା ଡ୍ୟାମ୍ ସାତଘାଟି, ରିସିଆ, ପୁରୁଣାପାଣି, ଜୋଡ଼ାଚୁଆ, ମୁଖଚତୁରି, କଇମଚତୁରୀ ଅଞ୍ଚଳରେ ୨୫୦ରୁ ଅଧିକ ସଂଖ୍ୟାରେ ଦେଶୀ, ବିଦେଶୀର ପକ୍ଷୀ ଦେଖିବାକୁ ମିଳେ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ଅଭୟାରଣ୍ୟରେ ପର୍ଯ୍ୟଟନର ବିକାଶ ଲାଗି ଗୋହିରାଭୋଳ ଠାରେ ‘ରିସିଆ ପ୍ରକୃତି ନିବାସ’ ଖୋଲାଯାଇଛି । ରାତ୍ରରହଣି ନିମନ୍ତେ ୯ଟି ତମ୍ବୁଘର ହୋଇଛି । ଏହାସହ ନେଚର୍ସ କ୍ୟାମ୍ପ କରାଯାଇ ଖାଦ୍ୟ, ପିଇବା ପାଣି ଏବଂ ଶୌଚାଳୟର ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷେ ମାଦକଦ୍ରବ୍ୟ ଉପରେ କଟକଣା ରହିଛି । ବନ୍ୟପ୍ରାଣୀ ପଶି ନ ଆସିବା ପାଇଁ ଚାରିପାଖରେ ଟ୍ରେଞ୍ଚ ମଧ୍ୟ ଖୋଳାଯାଇଛି । ଏହି ନେଚର୍ସ କ୍ୟାମ୍ପରେ ରହି ରାତ୍ରିଯାପନ କରି ପର୍ଯ୍ୟଟକମାନେ ବୁଲିବା ସମୟରେ ୪ଟି କୃତ୍ରିମ ସଲ୍ଟପିଟ, ୫ଟି ୱାଚ ଟାୱାରରୁ କୁଳଡିହା ଅଭୟାରଣ୍ୟ ପଶୁପକ୍ଷୀଙ୍କୁ ଦେଖିବା ସହ ପ୍ରକୃତିର ମଜା ନେଇପାରିବେ । 

ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ ପାଇଁ ଅନ୍‌ ଲାଇନରେ ବୁକିଂର ବ୍ୟବସ୍ଥା ରହିଛି । ଏପରିକି ଏହି ବିଷୟରେ ଅଧିକ ଜାଣିବା ପାଇଁ ୱେବ୍‌ସାଇଟ୍ ecotourodisha.com ରହିଛି । ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ୧ଟାରେ ପ୍ରବେଶ ସହ ୫ଟା ପର୍ଯ୍ୟନ୍ତ ପରିଭ୍ରମଣର ସୁବିଧା ରଖାଯାଇଛି । ଏଠାରେ ଜଣେ ବ୍ୟକ୍ତି ପାଇଁ ୪୦ଟଙ୍କା, କ୍ୟାମେରା ପାଇଁ ୫୦ଟଙ୍କା, ଚାରିଚକିଆ ଯାନ ପାଇଁ ୧୦୦ ଟଙ୍କା ଓ ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ ପାଇଁ ୩ ହଜାର ୮୫୪ ଟଙ୍କା ଧାର୍ଯ୍ୟ କରାଯାଇଛି । 

You Can Read:

କଇଁଛ ସୁରକ୍ଷା ଚିନ୍ତା : ସମୁଦ୍ରରେ ୭ମାସ ମାଛ ଧରିବା ମନା, ନଭେମ୍ବର ୧ରୁ ମେ’ ୩୧ ଯାଏଁ କଟକଣା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.