୬୩ ଅପରାଧୀଙ୍କ ଘରେ ଲାଗିଲା ଲଟ୍‌କା, ହାଜର ନହେଲେ ବାଜ୍ୟାପ୍ତ ହେବ ସମ୍ପତ୍ତି

Published By : Prameya-News7 Bureau | June 25, 2025 IST

ଛତ୍ରପୁର ୨୫।୬: ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ରହୁଥିବା ଫେରାର ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଘର ବାହାରେ ଲଟ୍‌କା ଜାରି କରାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଅପରାଧୀ ମାନେ ହାଜର ହେଉନାହାନ୍ତି । ଏଣୁ ସେମାନଙ୍କ ନାଁରେ ୱାରେଣ୍ଟ ଜାରି ହୋଇଥିଲା । ଏହା ସତ୍ତ୍ବେ ସେମାନେ କୋର୍ଟରେ ହାଜର ହୋଇନଥିଲେ । ଏଣୁ ସେମାନଙ୍କୁ ପଳାତକ ଘୋଷଣା କରାଯାଇ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଲଟ୍‌କା ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ତତ୍ତ୍ବାବଧାନରେ ଚଳିତ ମାସ ୨୧ ତାରିଖରୁ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି । 

ଏପର୍ଯ୍ୟନ୍ତ ବିଭିନ୍ନ ଥାନା ପକ୍ଷରୁ ୬୩ ଜଣ ଅପରାଧୀଙ୍କ ଘର ବାହାରେ ଲଟ୍‌କା ଜାରି କରାଯାଇଛି । ସେଥିମଧ୍ୟରୁ ସର୍ବାଧିକ ଗାଙ୍ଗପୁର ଥାନା ପକ୍ଷରୁ ୧୩ ଜଣ, ଭଞ୍ଜନଗର ଥାନା ଅଞ୍ଚଳର ୫ ଜଣ ଅପରାଧୀଙ୍କ ଘର ବାହାରେ ଲଟ୍‌କା ଲଗାଯାଇଥିବା ବେଳେ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ୨ ଜଣ, ବେଲଗୁଣ୍ଠା ଥାନା ଅଞ୍ଚଳରେ ୨ ଜଣ, ତାରସିଂ ଥାନା ଅଞ୍ଚଳରେ ୫ ଜଣ, ବୁଗୁଡ଼ା ଥାନା ଅଞ୍ଚଳରେ ୮ ଜଣ, ପାଟପୁର ୨, ହିଞ୍ଜିଳି ୩, ପୁରୁଷୋତ୍ତମପୁର ଜଣେ, ପୋଲସରା ଥାନା ଅଞ୍ଚଳରେ ୯ ଜଣ, କୋଦଳା ୪, ବେଗୁନିଆପଡା ଜଣେ, ଛତ୍ରପୁର ଥାନା ଅଞ୍ଚଳରେ ୪ ଜଣ, ଚମାଖଣ୍ଡି ୨ ଜଣ, ରମ୍ଭା  ଓ ଖଲ୍ଲିକୋଟ ଥାନା ଅଞ୍ଚଳରେ ଜଣେ ଲେଖାଏଁ ଅପରାଧୀଙ୍କ ଘର ବାହାରେ ଲଟ୍‌କା ଜାରି କରଯାଇଛି ବୋଲି ଗଞ୍ଜାମ ଏସ୍‌ପି ସୂଚନା ଦେଇଛନ୍ତି । 


ଠିକ୍ ସମୟରେ ଅପରାଧୀ ମାନେ କୋର୍ଟରେ ହାଜର ନହେଲେ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ନୋଟିସ୍ କରାଯାଇଛି । ଆଗକୁ ମଧ୍ୟ ଏଭଳି ପ୍ରକ୍ରିୟା ଜାରି ରହିବ ବୋଲି ଗଞ୍ଜାମ ଏସ୍‌ପି କହିଛନ୍ତି ।

You Can Read:

ଜୁଏଲାରୀରେ ବୁଲାଇଲେ କଳାକନା, ଗ୍ରୀଲ୍ ତାଲା ଭାଙ୍ଗି ନେଇଗଲେ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.