ଭାରତ ପାଇଁ ଖେଳିବା ଛାଡ଼ି ଯାଅ ଟି-୨୦ ଖେଳିବ..., ବୁମରାଙ୍କ ଉପରେ ବର୍ଷିଲେ ପୂର୍ବତନ କ୍ରିକେଟ୍‌ର

Published By : Prameya-News7 Bureau | January 07, 2025 IST

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ରେ ଅଷ୍ଟ୍ରେଲିଆ ଭାରତକୁ ୩-୧ରେ ହରାଇ ୧୦ ବର୍ଷ ପରେ ଟ୍ରଫି ଜିତିବାରେ ସଫଳ ହୋଇଛି। ଅଷ୍ଟ୍ରେଲିଆ ସିରିଜ୍ ଜିତିଥିଲେ ହେଁ ପ୍ଲେୟାର ଅଫ୍ ଦ ସିରିଜ୍ ଆଓ୍ଵାର୍ଡ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ମିଳିଛି। ବୁମରା ଏହି ସିରିଜ୍‌ରେ ଘାତକ ବୋଲିଂ କରି ୯ଟି ଇନିଂସରେ ୩୨ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ବୁମରା ନିଜ ଦମରେ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ପାଣି ପିଆଇ ଦେଇଥିଲେ। 

ସିରିଜ୍‌ର ଶେଷ ଟେଷ୍ଟ ମ୍ୟାଚ୍ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳା ଯାଇଥିଲା, ଯେଉଁଠି ବୁମରା ଦ୍ଵିତୀୟ ଇନିଂସରେ ଆହତ କାରଣରୁ ବୋଲିଂ କରି ପାରି ନ ଥିଲେ। ବୁମରାଙ୍କ ଏହି କଥା ପୂର୍ବତନ କ୍ରିକେଟ୍ ବଲବିନ୍ଦର ସନ୍ଧୁଙ୍କୁ ଆଦୌ ପସନ୍ଦ ଆସିନି। ୧୯୮୩ ବିଶ୍ଵକପରେ ଭାରତୀୟ ଦଳକୁ ଚାମ୍ପିଅନ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ଦ୍ରୁତ ବୋଲର କହିଛନ୍ତି ଯେ, କାର୍ଯ୍ୟଭାର କଥା ଏବେ ପ୍ରଚଳନ ହେଉଛି। ଆମ ସମୟରେ ଦ୍ରୁତ ବୋଲର ଏଥିରୁ ଅଧିକ ବୋଲିଂ କରୁଥିଲେ।

Also read: ଡବ୍ଲ୍ୟୁଟିସି ସ୍ଵପ୍ନ ଧୂଳିସାତ, ଦେଖନ୍ତୁ ୨୦୨୫-୨୭ରେ ଭାରତର କ୍ରୀଡ଼ାସୂଚୀ

ସନ୍ଧୁ ଟାଇମ୍ସ ଅଫ ଇଣ୍ଡିଆ ସହ ଆଲୋଚନା ବେଳେ କହିଛନ୍ତି, ବୁମରା କେତେ ଓଭର ବୋଲିଂ କରିଛନ୍ତି ? ପାଖାପାଖି ୧୫୦ ଓଭର ହେବ। ଏହି ବୋଲିଂ ସେ ୫ ମ୍ୟାଚ୍‌ର ୯ଟି ଇନିଂସରେ କରିଛନ୍ତି। ଏମିତି ଦେଖିଲେ ପ୍ରତି ଇନିଂସରେ ପ୍ରାୟ ୧୬ ଓଭର ଅର୍ଥାତ ଗୋଟିଏ ମ୍ୟାଚ୍‌ରେ ୩୦ ଓଭର। ବୁମରା କଣ ଲଗାତାର ବୋଲିଂ କରିଛନ୍ତି କି ? ସେ ତ ଭିନ୍ନ ଭିନ୍ନ ସ୍ପେଲ୍‌ରେ ବୋଲିଂ କରିଛନ୍ତି। ଓ୍ଵାର୍କଲୋଡ ମ୍ୟାନେଜମେଣ୍ଟ ବେକାର କଥା କହୁଛନ୍ତି। ଏହା ଅଷ୍ଟ୍ରେଲିଆ ଶବ୍ଦ ଏବଂ ଏହା ଅଷ୍ଟ୍ରେଲିଆ ଦ୍ଵାରା ପ୍ରଚଳିତ ବ୍ୟବସ୍ଥା। ଏହା ମୋ ପାଇଁ ବେକାର କଥା।

ସନ୍ଧୁ କହିଛନ୍ତି, ମୁଁ ଏମିତି ସମୟରେ କ୍ରିକେଟ୍ ଖେଳିଛି, ଯେଉଁଠି ଖେଳାଳି ନିଜ ଶରୀରକୁ ଶୁଣୁଥିଲେ ଏବଂ ବୁଝୁଥିଲେ। ଗୋଟିଏ ଦିନରେ ୧୫ ଓଭର ବୋଲିଂ କରିବା ପୁଣି ଭିନ୍ନ ଭିନ୍ନ ସ୍ପେଲରେ, ଏହା କୌଣସି ବଡ଼ କଥା ନୁହେଁ। ବୁମରା ତିନି ଚାରି ସ୍ପେଲରେ ବୋଲିଂ କରିଛନ୍ତି। ଆଜିର ସମୟରେ ଖେଳାଳିଙ୍କ ନିକଟରେ ବେଷ୍ଟ ଫିଜିଓ, ବେଷ୍ଟ ମାଲିସ କରୁଥିବା ଲୋକ ଏବେଂ ବେଷ୍ଟ ଡାକ୍ତର ଅଛନ୍ତି, ଯେଉଁମାନେ ସେମାନଙ୍କ ଧ୍ୟାନ ରଖନ୍ତି। 

Also read: ଅନେକ ମାସରୁ ଅଲଗା ରହୁଛନ୍ତି ଚହଲ ଓ ଧନଶ୍ରୀ, କ'ଣ ନେଇଛନ୍ତି କି ଅଲଗା ଅଲଗା ଘର ?

ଯଦି କୌଣସି ବୋଲର ଗୋଟିଏ ଇନିଂସରେ ୨୦ ଓଭର ବୋଲିଂ କରି ପାରୁନି ତେବେ ତାଙ୍କୁ ଭାରତ ପାଇଁ ଖେଳିବା ଭୁଲିଯିବା ଉଚିତ୍। ଆମେ ଦିନକୁ ୨୫-୩୦ ଓଭର ବୋଲିଂ କରୁଥିଲୁ। କପିଲ୍ ଦେବ ନିଜ ପୂରା କ୍ୟାରିୟରରେ ଲଙ୍ଗ୍ ସ୍ପେଲ୍ ବୋଲିଂ କରୁଥିଲେ। ଯେବେ ଆପଣ ବୋଲିଂ କରନ୍ତି, ତେବେ ଆପଣଙ୍କ ମସଲ ଆହୁରି ଫିଟ୍ ରହେ। ମୋତେ ଓ୍ଵାର୍କଲୋଡ୍ ମ୍ୟାନେଜମେଣ୍ଟର ନୀତି ଠିକ୍ ଲାଗୁନି ବୋଲି ସନ୍ଧୁ କହିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.