ରୋ-କୋ ଉପରେ ଗୁରୁ ଗୌତମଙ୍କ ଗମ୍ଭୀର ଚାପ; ଘରୋଇ କ୍ରିକେଟ୍ ଖେଳିବେ ବରିଷ୍ଠ ? ୧୨ ଓ ୯ ବର୍ଷ ହେଲା ଖେଳିନାହାନ୍ତି ରଣ୍‌ଜୀ

Published By : Prameya-News7 Bureau | January 08, 2025 IST

ମୁମ୍ବାଇ: ଭାରତୀୟ ମୋଷ୍ଟ୍ ସିନିୟର ଖେଳାଳି ରୋହିତ୍ ଶର୍ମା ଏବଂ ବିରାଟ୍ କୋହଲିଙ୍କ ଟେଷ୍ଟ କ୍ରିକେଟ୍ ଭବିଷ୍ୟତ କ’ଣ ? ରୋ-କୋ ଯୋଡ଼ିଙ୍କ ଠାରେ କ’ଣ ଆହୁରି ବାକି ରହିଛି ରେଡ୍ ବଲ୍ କ୍ରିକେଟ୍ ? ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫି ହାରିବା ପରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ଏଭଳି ପ୍ରଶ୍ନ ପଚରାଯାଇଥିଲା । ଏହା ଉପରେ ଗମ୍ଭୀର କୌଣସି ସ୍ପଷ୍ଟ ଜବାବ ଦେଇନଥିଲେ ମଧ୍ୟ ରଣଜୀ ଟ୍ରଫି କ୍ରିକେଟକୁ ଇସାରା କରିଥିଲେ । ଗମ୍ଭୀର କହିଛନ୍ତି, ସେମାନଙ୍କ ଭବିଷ୍ୟତ ସେମାନଙ୍କ ଉପରେ ନିର୍ଭର କରୁଛି । ଟେଷ୍ଟ କ୍ରିକେଟରେ ଉଚ୍ଚକୋଟିର ପ୍ରଦର୍ଶନ କରିବାକୁ ହେଲେ ଘରୋଇ କ୍ରିକେଟକୁ ଗମ୍ଭୀରତାର ସହିତ ନେବାକୁ ପଡିବ । ଯଦି ଦୁଇ ବରିଷ୍ଠ ଖେଳାଳି ଅନ୍ୟ କୌଣସି ଖେଳରେ ପ୍ରତିଶ୍ରୁତିବଦ୍ଧ ନାହାନ୍ତି ତେବେ ସେମାନେ ରଣଜୀ କ୍ରିକେଟ୍ ଖେଳିବା ଜରୁରୀ ।  

ବିରାଟ୍ କୋହଲି ଶେଷ ଥର ପାଇଁ ୨୦୧୨ରେ ଘରୋଇ କ୍ରିକେଟ୍ ଖେଳିଥିଲେ । ସେହିପରି ରୋହିତ୍ ଶର୍ମା ଅନ୍ତିମ ଥର ପାଇଁ ୨୦୧୫ ନଭେମ୍ବର ମାସରେ ରଣଜୀ କ୍ରିକେଟ୍ ଖେଳିଥିଲେ । କିଙ୍ଗ୍ କୋହଲି ଗାଜିଆବାଦରେ ଉତ୍ତରପ୍ରଦେଶ ବିରୋଧରେ ମ୍ୟାଚ୍ ଖେଳିଥିଲେ । ସେ ଦୁଇଟି ଇନିଂସରେ ୧୪ ଏବଂ ୪୩ ରନ ସଂଗ୍ରହ କରିଥିଲେ । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ୍ ଶର୍ମା ଫାଷ୍ଟକ୍ଲାସ୍ କ୍ରିକେଟରେ ୟୁପି ବିରୋଧରେ ଓ୍ବାଙ୍ଖଡେରେ ଖେଳିଥିଲେ । ସେ ଏଥିରେ ୧୧୩ ରନର ଜବରଦସ୍ତ ଇନିଂସ ଖେଳିଥିଲେ ।

ଗତ ୪ ବର୍ଷ ମଧ୍ୟରେ ଶୁବମନ ଗିଲ୍, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ ଏବଂ କେଏଲ୍ ରାହୁଲ କେବଳ ୪ ଲମ୍ବା ଫର୍ମାଟ୍ ବିଶିଷ୍ଟ ଘରୋଇ କ୍ରିକେଟ୍ ଖେଳିଛନ୍ତି । ବରିଷ୍ଠ ଖେଳାଳିମାନେ ଘରୋଇ ରେଡ୍ ବଲ୍ କ୍ରିକେଟ୍ ଖେଳୁନଥିବାରୁ ଏହାର ପ୍ରଭାବ ଇଣ୍ଟର ନ୍ୟାସନାଲ କ୍ରିକେଟରେ ଦେଖିବାକୁ ମିଳୁଛି । ଲଗାତାର ଭାବେ ଖରାପ ପ୍ରଦର୍ଶନ ଜାରି ରହିଛି । 

ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ହରାଇଛି । ଅଷ୍ଟ୍ରେଲିଆ ସାମ୍ନାରେ ଆତ୍ମସମର୍ପଣ କରିଛି ଦଳ । ଏହା ପୂର୍ବରୁ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଭାରତକୁ ଘରୋଇ ମାଟିରେ ଟେଷ୍ଟ ସିରିଜ୍ ହ୍ବାଇଟ୍ ଓ୍ବାସ୍ କରିଥିଲା । ୩-୦ରେ ଟିମ୍ ଇଣ୍ଡିଆ ଠାରୁ ହାରିଥିଲା ଦଳ । ତେବେ ଲଗାତାର ଦୁଇଟି ସିରିଜ୍ ପରାଜୟ ଯୋଗୁଁ ଭାରତୀୟ ଦଳ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରୁ ବାଦ୍ ପଡ଼ିଛି । ବିରାଟ୍ କୋହଲି ବିଜିଟିର ୫ଟି ମ୍ୟାଚରୁ ୨୩.୭୫ ହାରରେ ୧୯୦ ରନ ସଂଗ୍ରହ କରିଛନ୍ତି । ସେହିପରି ଅଧିନାୟକ ରୋହିତ୍ ଶର୍ମାଙ୍କ ପ୍ରଦର୍ଶନ ଅତି ଖରାପ ରହିଛି । ସେ ୩ଟି ମ୍ୟାଚରୁ ୬.୨୦ ହାରରେ ୩୧ ରନ୍ ସଂଗ୍ରହ କରିଛନ୍ତି । ତେଣୁ ବହୁ ବରିଷ୍ଠ କ୍ରିକେଟ୍ ରୋହିତ୍ ଏବଂ ବିରାଟଙ୍କୁ ଘରୋଇ କ୍ରିକେଟ୍ ଖେଳିବାକୁ ପରାମର୍ଶ ଦେଇଛନ୍ତି ।...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.