ଲୁଲୁଙ୍ଗ ପେଣ୍ଟର୍ସ କ୍ୟାମ୍ପ ୨୦୨୪, ‘ଆଇ ଆମ୍‍ ଉଇଥ୍‍ ନେଚର୍‍’ ବିଷୟବସ୍ତୁକୁ ନେଇ ଶିବିର ଅନୁଷ୍ଠିତ

Published By : Prameya-News7 Bureau | September 18, 2024 IST

ମୟୂରଭଞ୍ଜ, ୧୮/୦୯: କେତକୀ ଫାଉଣ୍ଡେସନ୍‌ ଟ୍ରଷ୍ଟ ଓ ଲୁଲୁଙ୍ଗ ଅରଣ୍ୟ ନିବାସର ମିଳିତ ସହଯୋଗରେ ଦ୍ୱିତୀୟଥର ପାଇଁ ଚଳିତ ସେପ୍ଟେମ୍ବର ମାସ ୧୦-୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ଲୁଲୁଙ୍ଗ ପେଣ୍ଟର୍ସ କ୍ୟାମ୍ପ୨୦୨୪ । ଏହି ଶିବିରର ବିଷୟବସ୍ତୁ ରହିଥିଲା ‘ଆଇ ଆମ୍‍ ଉଇଥ୍‍ ନେଚର୍‍’ । ଶିମିଳିପାଳର ଲୁଲୁଙ୍ଗ ସ୍ଥିତ ଅରଣ୍ୟ ନିବାସଠାରେ ଏକ ସପ୍ତାହ ଧରି ଚାଲିଥିବା ଏହି ଶିଳ୍ପୀ ଶିବିରରେ ଚିତ୍ରଶିଳ୍ପୀମାନଙ୍କୁ ମନଲୋଭା ପ୍ରକୃତି ଏବଂ ଏହାର ସ୍ଥାନୀୟ ଅଧିବାସୀମାନଙ୍କ ସହିତ ମିଶିବାର ଅନନ୍ୟ ସୁଯୋଗ ମିଳିଥିଲା । ଭାରତର ଅନ୍ୟତମ ପ୍ରମୁଖ ଜୈବମଣ୍ଡଳ କ୍ଷେତ୍ର ମଧ୍ୟରୁ ଓଡ଼ିଶାର ଶିମିଳିପାଳ ଅନ୍ୟତମ । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିଳ୍ପୀମାନେ ଯେତେବେଳେ ଏକତ୍ରିତ ହୋଇ ଏଠାର ପ୍ରକୃତି ସହିତ ସମ୍ପୃକ୍ତ ହେଲେ ସେତେବେଳେ ସେମାନଙ୍କ ମନରେ ଏହାର କାଳ୍ପନିକ ସୌନ୍ଦର୍ଯ୍ୟ ବହୁଗୁଣିତ ହୋଇଯାଇଥିଲା ।

ଶିବିରର ଉଦ୍‍ଘାଟନୀ ଦିବସରେ ଶିମିଳିପାଳ ବ୍ୟାଘ୍ରସଂରକ୍ଷଣର ଡେପୁଟି ଡାଇରେକ୍ଟର ଡ଼.ସମ୍ରାଟ ଗୌଡ଼ା ଓ ସୁନାମଧନ୍ୟ ଫଟୋଗ୍ରାଫର ସୌରଭା ଗୌଡ଼ା ଅତିଥି ରୂପେ ଯୋଗଦେବା ସହିତ ବ୍ୟାଘ୍ରସଂରକ୍ଷଣ ଓ ସ୍ଥାନୀୟ ଜନଜାତି ସମସ୍ୟା ଉପରେ ଆଲୋଚନା କରିବା ସହ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶିବିରରେ ଅଂଶଗ୍ରହଣ କରିଥିବା ଶିଳ୍ପୀମାନେ ପ୍ରକୃତି ସହିତ ସମୟ ବିତାଇବା ସହ ସ୍ଥାନୀୟ ଅଧିବାସୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ନିଜର ଭାବବିନିମୟ କରିଥିଲେ । ଚିତ୍ରଶିଳ୍ପୀମାନେ ସେମାନଙ୍କ ଲୁଲୁଙ୍ଗ ଅରଣ୍ୟ ନିବାସଠାରେ ଅବସ୍ଥାନକାଳରେ ମୟୂରଭଞ୍ଜର ସମୃଦ୍ଧ ଲୋକକଳା ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇବା ସହିତ ଐତିହାସିକ ଟେରାକୋଟା ମନ୍ଦିର ପରିଦର୍ଶନ, ଆଦିବାସୀମାନଙ୍କ ସହ କର୍ମଶାଳା, ସେମିନାର ଏବଂ ପ୍ରକୃତିକୁ ନେଇ ବିଭିନ୍ନ ବିଷୟ ଉପରେ ଆଲୋଚନାଏବଂ ଉପସ୍ଥାପନା କରିଥିଲେ ।

ଶିବିରର ଅନ୍ୟ ଏକ ସନ୍ଧ୍ୟା ଆସରରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଶ୍ରୀ ଅଶ୍ୱିନୀ କୁମାର ପଣ୍ଡା ଅତିଥି ରୂପେ ଯୋଗଦେବା ସହିତ ସଞ୍ଜୀବ ନାୟକ, ଆର୍କିଟେଟ୍‍ ସୁଗତ୍‍ ମହାନ୍ତି, ବିଶିଷ୍ଟ କବି ରବିନ୍ଦ୍ର କୁମାର ସ୍ୱାଇଁ, ବିଶିଷ୍ଟ ସାମ୍ବାଦିକ ତଥା କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା କପିଳାସ ଭୂୟାଁ, ବରିଷ୍ଠ ଚିତ୍ରଶିଳ୍ପୀ ରାମହରି ଜେନା ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଶିବିରରେ ଅଂଶଗ୍ରହଣ କରିଥିବା ଚିତ୍ରଶିଳ୍ପୀ ଓ ସ୍ଥାନୀୟ ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ କଳାକୃତିଗୁଡିକୁ ନେଇ ଭୁବନେଶ୍ୱରଠାରେ ୨୦୨୫ ଜାନୁଆରୀ ୧୦ରୁ୧୫ ତାରିଖ ଯାଏ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.