SEBIମୁଖ୍ୟ ପଦରୁ ହଟିବାମାତ୍ରେ ଜଟିଳ ହେଲା ମାଧବୀ ପୁରୀବୁଚ୍ ଙ୍କ ସମସ୍ୟା, ରୁଜୁ ହେବ FIR

Published By : Prameya-News7 Bureau | March 02, 2025 IST

ମୁମ୍ବାଇ ୨।୩: ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମୁଖ୍ୟ ଭାବେ ମାଧବୀ ପୁରୀବୁଚଙ୍କ କାର୍ଯ୍ୟକାଳ ଫେବୃଆରୀ ୨୮ ତାରିଖରେ ସମାପ୍ତ ହୋଇଛି। ଗତ କିଛିମାସ ହେଲା ତାଙ୍କ ନାମ ବିବାଦରେ ଘେରି ରହିଛି। ହିଣ୍ଡନବର୍ଗ ରିପୋର୍ଟରେ ତାଙ୍କ ଉପରେ କନଫ୍ଲିକ୍ଟ ଅଫ ଇଣ୍ଟରେଷ୍ଟ ଅଭିଯୋଗ ଅଣାଯାଇଥିଲା। ଏବେ ସେବି ମୁଖ୍ୟ ଭାବେ ରିଟାୟାର୍ଡ ହେବା ପରେ ମାଧବୀ ପୁରୀବୁଚଙ୍କ ସମସ୍ୟା ବଢିଯାଇଛି। ମୁମ୍ବାଇର ଏକ କୋର୍ଟ ମାଧବୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଏକ ସ୍ୱତନ୍ତ୍ର ନ୍ୟାୟାଳୟ ଭ୍ରଷ୍ଟାଚାର ନିରୋଧକ ବ୍ୟୁରୋ (ଏସିବି)ଙ୍କୁ ସେୟାର ବଜାରରେ କଥିତ ଠକେଇ, ରେଗୁଲେଟରୀ ଭାୟୋଲେସନ ନେଇ ସେୟାର ବଜାର ନିୟାମକ ସେବିଙ୍କ ପୂର୍ବତନ ଚେୟାରପର୍ସନ ମାଧବୀ ପୁରୀବୁଚ୍ ଓ ଅନ୍ୟ ୫ ଜଣ ଅଧିକାରୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇସ୍ଥିତ ସ୍ୱତନ୍ତ୍ର ଏସିବି କୋର୍ଟଙ୍କ ବିଚାରପତି ଶଶିକାନ୍ତ ଏକନାଥରାଓ ବାଙ୍ଗର ଶନିବାର ଗୃହୀତ ଆଦେଶରେ ପ୍ରିମା ଫେସୀ ବିନିୟାମକୀୟ ତ୍ରୁଟି ଓ ମିଳିମିଶି ଭାଗବାଣ୍ଟିବାର ପ୍ରମାଣ ରହିଛି, ଯାହାର ନିରପେକ୍ଷା ଯାଞ୍ଚର ଆବଶ୍ୟକତା ଥିବା କହିଛନ୍ତି। କୋର୍ଟ କହିଛନ୍ତି ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମାମଲାର ଯାଞ୍ଚ ହେବ। ଏହା ସହିତ କୋର୍ଟ ୩୦ ଦିନ ମଧ୍ୟରେ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। 

ସିଆରପିସିରେ ରୁଜୁ ହେବ ମାମଲା
କୋର୍ଟ ତାଙ୍କ ଆଦେଶରେ ଏହା ମଧ୍ୟ କହିଛନ୍ତି ଯେ ଅଭିଯୋଗରୁ ଏହା ଏକ କଗ୍ନିଜେବଲ ଅପରାଧ ପ୍ରତିତ ହେଉଥିବାରୁ, ଏହାର ଯାଞ୍ଚ ଜରୁରି। ଏଥିରେ କୁହାଯାଇଛି ଯେ ଲ ଏନଫୋର୍ସମେଣ୍ଟ ଏଜେନ୍ସୀ ଓ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି)ଙ୍କ ନିଷ୍କ୍ରିୟତା କାରଣରୁ ମାମଲାରେ ଆପରାଧିକ ପ୍ରକ୍ରିୟା ସଂହିତା (ସିଆରପିସି)ପ୍ରାବଧାନରେ ବିଚାରବିଭାଗୀୟ ହସ୍ତକ୍ଷେପର ଆବଶ୍ୟକତା ରହିଛି। 

ଜାଣନ୍ତୁ ଅଭିଯୋଗ କ’ଣ?
ଅଭିଯୋଗକାରୀ ‘ମିଡିଆ ରିପୋର୍ଟର’ ବଡ଼ ଧରଣର ଆର୍ଥିକ ଠକେଇ, ବିନିୟାମକ ଉଲ୍ଲଂଘନ ଓ ଭ୍ରଷ୍ଟାଚାରର କଥିତ ଅପରାଧର ତଦନ୍ତ ଦାବି କରିଛନ୍ତି। ଅଭିଯୋଗକାରୀ କହିଛନ୍ତି ମାମଲାରେ ଅନେକ ବାର ପୋଲିସ ଷ୍ଟେସନ ଓ ସମ୍ପର୍କିତ ନିୟାମକୀୟ ସଂସ୍ଥାଙ୍କ ସହ ସମ୍ପର୍କ କରାଯିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଅଭିଯୋଗକାରୀ କହିଛନ୍ତି ଯେ ସେବି ଅଧିକାରୀ ନିଜ ବୈଧାନିକ କର୍ତ୍ତବ୍ୟ ପାଳନରେ ବିଫଳ ହୋଇଛନ୍ତି ଓ ବଜାରରେ ହେରଫେରକୁ ପ୍ରୋତ୍ସାହିତ କରିବା ସହିତ ନିର୍ଦ୍ଧାରିତ ସର୍ତ୍ତ ପୂରଣ କରୁନଥିବା କମ୍ପାନୀଙ୍କୁ ସୂଚୀବଦ୍ଧ କରିବାର ଅନୁମତି ଦେଇ କର୍ପୋରେଟ ଠକେଇ ପାଇଁ ରାସ୍ତା ଖୋଲିଥିଲେ। 

ହିଣ୍ଡନବର୍ଗ ରିପୋର୍ଟରେ ବି ହୋଇଥିଲା ଅଭିଯୋଗ

ଭାରତର ପ୍ରଥମ ମହିଳା ସେବି ମୁଖ୍ୟ ମାଧବୀ ପୁରୀବୁଚଙ୍କ ଉପରେ ଆମେରିକାସ୍ଥିତ ଗବେଷଣା ଓ ନିବେଶ କମ୍ପାନୀ ହିଣ୍ଡନବର୍ଗ ରିସର୍ଚ୍ଚ କନଫ୍ଲିକ୍ଟ ଅଫ ଇଣ୍ଟରେଷ୍ଟର ଅଭିଯୋଗ ଆଣିଥିଲା। ଏହା ପରେ ରାଜନୈତିକ ଅସନ୍ତୋଷ ମଧ୍ୟରେ ମାଧବୀ ପୁରୀବୁଚ୍ ଫେବୃଆରୀ ୨୮ ତାରିଖ ଦିନ ତାଙ୍କ ୩ ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.