ଜଗତସିଂହପୁର ୦୪।୦୩ : ଜଗତସିଂହପୁରର ଜୟ ବଡ଼ ଗାଁରେ ଟ୍ରିପଲ ମର୍ଡର। ଗୋଟିଏ ପରିବାରର ତିନି ଜଣଙ୍କୁ ପଥରରେ ଛେଚି ହତ୍ୟା । ପାରିବାରିକ କଳହରୁ ବାପା, ମାଆ ଓ ଭଉଣୀକୁ ହତ୍ୟା କଲା ପୁଅ ସୂର୍ଯ୍ୟକାନ୍ତ ସେଠୀ । ମୃତକମାନେ ହେଉଛନ୍ତି ବାପା ପ୍ରଶାନ୍ତ ସେଠୀ, ମାଆ କନକଲତା ସେଠୀ ଏବଂ ଝିଅ ମାମାଲି ସେଠୀ । ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସେଠୀକୁ ଗିରଫ କରାଯାଇଛି। ଘଟଣାସ୍ଥଳରେ ଜଗତସିଂହପୁର ସଦର ଥାନା ପୋଲିସ ପହଞ୍ଚି ଛାନଭିନ୍ କରୁଛି।
ସୋମବାର ବିଳମ୍ବିତ ରାତିରେ ଜୟ ବଡ଼ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗାଁର ପ୍ରଶାନ୍ତ ସେଠୀ ଓରଫ କାଳିଙ୍କ ସାନ ପୁଅ ସୂର୍ଯ୍ୟକାନ୍ତ ଯାହାର ବୟସ ୨୨ ବର୍ଷ ହେବ, ସେ ଏହି କାଣ୍ଡ ଭିଆଇଛି । ସେ ବାପା ପ୍ରଶାନ୍ତ, ମାଆ କନକଲତା ଓ ଭଉଣୀ ମାମାଲିକୁ ପଥରରେ ଛେଚି ଅତି ବିଭତ୍ସ ଭାବେ ହତ୍ୟା କରିଛି।ହତ୍ୟାକାଣ୍ଡ ପରେ ପୁଅ ପଡୋଶୀ ଲୋକଙ୍କ ଘରକୁ ଯାଇ ନିଜେ ହତ୍ୟା କରିଥିବା କହିଥିଲେ । ପରେ ପୋଷାକ ବଦଳାଇ ଘଟଣାସ୍ଥଳରୁ ଫେରାର ହୋଇଥିଲା । ସୂର୍ଯ୍ୟକାନ୍ତ ପାଠ ପଢା ସାରି ଘରେ ରହୁଥିବା ବେଳେ ବାପା ବଜାରରେ ଲଣ୍ଡି କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ତେବେ କେଉଁ କାରଣରୁ ସୂର୍ଯ୍ୟକାନ୍ତ ଏପରି କାଣ୍ଡ ଭିଆଇଲେ , ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାରେ ତଦନ୍ତ କରି ଉଚ୍ଚ ବିଦ୍ୟାଳୟ ନିକଟରୁ ଗିରଫ କରିବା ସହ ଜେରା ମଧ୍ୟ କରୁଛି ।
ଅନ୍ୟପଟେ ମୃତକ ମଝିଆ ପୁଅଙ୍କ ମତରେ, ଭାଇ ଗତ କିଛି ଦିନ ହେଲା ମୋବାଇଲ୍ରେ ବିଭିନ୍ନ ପ୍ରକାରର ଗେମ୍ ଖେଳୁଥିଲେ । ବିଭିନ୍ନ ସମୟରେ ପରିବାର ସଦସ୍ୟଙ୍କ ସହ ପାଟିତୁଣ୍ଡ ମଧ୍ୟ କରୁଥିଲେ । ଏପିରିକି ଗତରାତିରେ ବାପା-ମାଆଙ୍କ ସହ ଭାଇ ପାଟିତୁଣ୍ଡ କରିଥିଲେ। ଯାହାର ପରିଣତି ପରିବାରର ତିନି ଜଣଙ୍କୁ ହତ୍ୟା କରିଦେଇଛି ସାନ ଭାଇ ।